Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୂଜା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ସହାୟତା:ମନ୍ତ୍ରୀ

    Share on :
    ajab-Image
    Date: Oct 1, 2026    Views: 3075

    ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ବିତ୍ପାତ ଦେଖାଦେଇଥିବା ବେଳେ ଉତ୍ତର ଓଡ଼ିଶାର କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ଜିଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ କରାଯାଉଛି। ଦୁର୍ଗାପୂଜା ପୂର୍ବରୁ ବିପନ୍ନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
    ପ୍ରବଳ ବର୍ଷାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଓ ମାଲକାନଗିରି ଜିଲା ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଏବଂ ସାଳନ୍ଦୀରେ ବନ୍ୟା ଆସିବା ଦ୍ବାରା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଉପକୂଳ ଓଡ଼ିଶାର କିଛି ଜିଲା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ଉତ୍ତର ଓଡ଼ିଶାରେ ପ୍ରଭାବିତ ନଦୀଗୁଡ଼ିକରେ ବନ୍ୟାଜଳ କମୁଥିବା ବେଳେ ଜଳମଗ୍ନ ଗାଁରୁ ବନ୍ୟାପାଣି ନିଷ୍କାସନ ପାଇଁ ପାଖାପାଖି ଆହୁରି ଗୋଟିଏ ସପ୍ତାହ ଲାଗିଯିବ। ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମି ଋତୁରେ ରାଜ୍ୟରେ ଏଯାଏଁ ୧୨ଟି ଲଘୁଚାପସୃଷ୍ଟି ହୋଇଥିବା ବେଳେ ୫ଟି ଅବପାତ ରୂପ ନେଇଥିବାରୁ ଲଗାଣ ବର୍ଷାରେ ବନ୍ୟା ଆସିଛି। ଲଗାଣ ବର୍ଷା ଦ୍ବାରା ମୋଟ ୨୮ଟି ଜିଲା କମ୍ ବେଶି ପ୍ରଭାବିତ ହୋଇଥିବାରୁ ସରକାରଙ୍କ ପକ୍ଷରୁ ମୋଟ ୨୪୧.୩୭ କୋଟି ଟଙ୍କା ସହାୟତା ରାଶି ଆବଣ୍ଟନ କରାଯାଇ ସାରିଛି।
    ଦକ୍ଷିଣ ଓଡ଼ିଶା ସମେତ ବିଭିନ୍ନ ପ୍ରଭାବିତ ଜିଲା ପାଇଁ ଗତକାଲି ଏସ୍ଆରସିଙ୍କ ପକ୍ଷରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଜିଲାଗୁଡ଼ିକର ବିସ୍ତୃତ ରିପୋର୍ଟ ଆସିବା ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଫଳରେ ଏ ପର୍ଯ୍ୟନ୍ତ ମୋଟ ୨୬୧.୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ବିଭିନ୍ନ ଜିଲାରେ କ୍ଷୟକ୍ଷତି ଅନୁପାତରେ ଆବଣ୍ଟନ କରାଯାଉଛି। ଏହା ଭିତରେ କେନ୍ଦ୍ରାପଡ଼ା ଜିଲାକୁ ୧୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୧.୦୧ କୋଟି ଟଙ୍କା ଜିଲା ପ୍ରଶାସନ ଖର୍ଚ୍ଚ କରିଛି। ଯାଜପୁର ଜିଲାକୁ ୫୨.୦୪ କୋଟି ଟଙ୍କା ଦିଆଯାଇଥିବା ବେଳେ ସେଥିରୁ ଜିଲା ପ୍ରଶାସନ ବନ୍ୟା ସହାୟତା ଏବଂ ଖର୍ଚ୍ଚ ବାବଦରେ ୩୩.୮୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଭଦ୍ରକ ଜିଲାକୁ ୬୪.୫୪ କୋଟି ଟଙ୍କା ଦିଆଯାଇଥିବା ବେଳେ ଜିଲା ପ୍ରଶାସନ ଅଦ୍ୟାବଧି ୪୩.୨୮ କୋଟି ଟଙ୍କା ଖର୍ଚ୍ଚ କରିଛି। ବାଲେଶ୍ବର ଜିଲାକୁ ୨୬.୯୨ କୋଟି ଟଙ୍କା ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୫.୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନବରଙ୍ଗପୁର ଜିଲାକୁ ୫କୋଟି, ମାଲକାନଗିରିକୁ ୧.୦୧ କୋଟି, କୋରାପୁଟକୁ ୧.୦୧କୋଟି, ଗଜପତିକୁ ୨ କୋଟି ଏବଂ ଗଞ୍ଜାମକୁ ୨ କୋଟି ଟଙ୍କା ଦିଆଯାଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ବନ୍ୟାବିପନ୍ନଙ୍କ ପାଇଁ ଆବଶ୍ୟକସ୍ଥଳେ ସହାୟତା ରାଶି ବୃଦ୍ଧି ପାଇବ। ଏନେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ବୈଠକ କରି ବନ୍ୟା ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook