ମୁଖ୍ୟ ଖବର
ଭୁବନେଶ୍ଵର : ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ। ଆକାଶ ମାର୍ଗରୁ ୧୨ଟି ବ୍ଲକର ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା। ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୭ ଓଡ୍ରାଫ୍, ୭ ଏନଡିଆରଏଫ୍, ୧୨୯ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲାପାଳମାନଙ୍କୁ ପାଣି ଛାଡ଼ିବାର ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଡିଆରଏଫ୍ ରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ଵାସ୍ଥ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବନ୍ୟାରେ ସତର୍କତା ପଦକ୍ଷେପ ନିଆଯାଇଛି। ଏଥିଯୋଗୁଁ ବଡ଼ ବିପର୍ୟ୍ୟୟକୁ ଟାଳି ଦିଆଯାଇଛି। ଦୟା, କୁଶଭଦ୍ରା, ଭାର୍ଗବୀ ଉପରେ ନଜର ରଖାଯାଇଛି। ପାଣି ଛାଡ଼ିଲାଣି, ଧୀରେ ଧୀରେ ସ୍ଥିତି ସୁଧୁରୁଛି।
ସେ ଆହୁରି କହିଛନ୍ତି ଯେ, ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ବିଶୋଧନ ଓ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ ହୋଇଛି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ବନ୍ୟା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ପରିସ୍ଥିତି ଉପରେ ସତତ ନଜର ରଖିଥିବା ବେଳେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments ସମସ୍ତ ମତାମତ 0