ମୁଖ୍ୟ ଖବର
କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଜାତୀୟ ଉଦ୍ୟାନକୁ ଆଜିଠାରୁ ଖୋଲାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ' ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିଷେଧ ହୋଇଥିଲା । ଏହି ତିନିମାସରେ କୁମ୍ଭୀର ଅଣ୍ଡାଦେବା ସହ ସେହି ଅଣ୍ଡାଗୁଡିକୁ ଜଗି ରହିଥିବାରୁ ଅନ୍ୟ ସମୟ ଅପେକ୍ଷା ହିଂସ୍ର ହୋଇଥାନ୍ତି । ଉକ୍ତ ସମୟ ମଧ୍ୟରେ କୁମ୍ଭୀର ଆକ୍ରମଣ ଭୟ ଆଶଙ୍କା ରହିଥିବାରୁ ପର୍ଯ୍ୟଟକମାନଙ୍କୁ ଭିତରକନିକା ସୋନ୍ଦର୍ଯ୍ୟ ଉପଭୋଗ କରିବାରୁ ବାରଣ କରାଯାଇଥାଏ ।
ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ୍ ଗାଓଁକର କହିଛନ୍ତି, "ଭିତରକନିକା ମଧ୍ୟରେ ରହୁଥିବା ବଉଳା କୁମ୍ଭୀରମାନଙ୍କ ଅଣ୍ଡାଦାନ ପାଇଁ ତିନି ମାସ ଧରି ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ବାରଣ ରହିଥିଲା । ଅଗଷ୍ଟ ୧ ଅର୍ଥାତ୍ ଆଜି ଠାରୁ ଏହା ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି ।ଚଳିତଥର ପର୍ଯ୍ୟଟକମାନଙ୍କ ପାଇଁ ପ୍ରକୃତିର ସୁନ୍ଦରତା ଉପଭୋଗ କରିବା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଏହାସହ ପ୍ଲାଷ୍ଟିକ ବ୍ୟବହାର କରିବା ସମ୍ପୂର୍ଣ୍ଣ ବାରଣ ରହିଛି । ଭିତ୍ତିଭୂମିର ବିକାଶ ସହ ଅତ୍ୟାଧୁନିକ ବୋଟିଂ ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ ।"ତେବେ କୁମ୍ଭୀର ଅଣ୍ଡାଦାନ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ୧୧୭ଟି ବଉଳା କୁମ୍ଭୀର ବସା ଚିହ୍ନଟ କରାଯାଇଛି । ଏହା ଗତବର୍ଷ ତୁଳନାରେ ମାତ୍ର ଗୋଟିଏ ବଢ଼ିଛି । ଭିତରକନିକାର ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ୧୧୭ ବସା ଚିହ୍ନଟ ହୋଇଥିବା ବନବିଭାଗ ସୂତ୍ରରୁ ସୂଚନା ଦିଆଯାଇଥିଲା ।
Comments ସମସ୍ତ ମତାମତ 0