ମୁଖ୍ୟ ଖବର
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣିପାଗକୁ ନେଇ ଆସିଛି ଏକ ବଡ଼ ଖବର । ମେ' ମାସ ଦ୍ୱିତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ମଡେଲର ସୂଚନା ଅନୁଯାୟୀ, ବଙ୍ଗୋପସାଗର ଏବେ ଅଶାନ୍ତ ହେବାକୁ ଯାଉଛି, ଯାହା ଆଗାମୀ ଦିନରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।
ଆମେରିକୀୟ ପାଣିପାଗ ସଂସ୍ଥା 'ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍' ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ମଡେଲ୍ଗୁଡ଼ିକରୁ ମିଳିଥିବା ସଙ୍କେତ ଅନୁଯାୟୀ, ମେ' ୧୧ ରୁ ୧୪ ତାରିଖ ମଧ୍ୟରେ ଏହି ସିଷ୍ଟମ୍ ସକ୍ରିୟ ହୋଇପାରେ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବାୟୁମଣ୍ଡଳରେ ବର୍ତ୍ତମାନ ଯେଉଁଭଳି ଅସ୍ଥିରତା ଦେଖାଦେଉଛି, ତାହା ଏକ ଶକ୍ତିଶାଳୀ ସିଷ୍ଟମ୍ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ତିଆରି କରୁଛି ।
ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ବର୍ତ୍ତମାନ ବଙ୍ଗୋପସାଗରରେ ସମୁଦ୍ର ପତ୍ତନର ତାପମାତ୍ରା ୨୯ ଡିଗ୍ରୀ ସେଲସିୟସରୁ ୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି । ସାଧାରଣତଃ ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ପାଇଁ ସମୁଦ୍ର ପତ୍ତନର ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିବା ଆବଶ୍ୟକ । ବର୍ତ୍ତମାନର ଉଚ୍ଚ ତାପମାତ୍ରା ଏହି ସମ୍ଭାବ୍ୟ ଲଘୁଚାପକୁ ଅଧିକ ବଳଶାଳୀ କରିବାରେ ସହାୟକ ହୋଇପାରେ । ଯଦିଓ ବିଶ୍ୱସ୍ତରୀୟ ମଡେଲ୍ଗୁଡ଼ିକ ଲଘୁଚାପ ସୃଷ୍ଟି ନେଇ ସଙ୍କେତ ଦେଉଛନ୍ତି, କିନ୍ତୁ ଏହା ଏକ ଦୀର୍ଘକାଳୀନ ପୂର୍ବାନୁମାନ ହୋଇଥିବାରୁ ଏହାର ଗତିପଥ ଏବଂ ତୀବ୍ରତା ବର୍ତ୍ତମାନ ଆକଳନ କରିବା କଷ୍ଟକର । ଆଗାମୀ ମେ' ୬ କିମ୍ବା ୭ ତାରିଖ ବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ । ଏହି ସିଷ୍ଟମ୍ ଓଡ଼ିଶା କିମ୍ବା ପଡ଼ୋଶୀ ଉପକୂଳ ଉପରେ କି ପ୍ରଭାବ ପକାଇବ, ତାହା ସେହି ସମୟରେ ହିଁ ଜଣାପଡ଼ିବ ।
ସୂଚନାଯୋଗ୍ୟ ଯେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଆନୁଷ୍ଠାନିକ ଚେତାବନୀ କିମ୍ବା ସୂଚନା ଜାରି କରାଯାଇ ନାହିଁ । ଭାରତୀୟ ପାଣିପାଗ ବିଭାଗ ସାଧାରଣତଃ ସିଷ୍ଟମ୍ ସୃଷ୍ଟି ହେବାର ୩-୪ ଦିନ ପୂର୍ବରୁ ସଠିକ୍ ପୂର୍ବାନୁମାନ ଦେଇଥାଏ । ତେଣୁ ସାଧାରଣ ଜନତାଙ୍କୁ ଏବେଠାରୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯିବା ସହ ପାଣିପାଗ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି ।
Comments ସମସ୍ତ ମତାମତ 0