ମୁଖ୍ୟ ଖବର
ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ? ଚର୍ଚ୍ଚାରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଏବଂ ଆର.ପି କୋଚେ । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଡିଜିପି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଥିବାରୁ ନୂଆ ଡିଜିପି ନେଇ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା । ବରିଷ୍ଠତା ଦୃଷ୍ଟିରୁ ୧୯୯୦ରୁ ୧୯୯୩ ବ୍ୟାଚ୍ ମଧ୍ୟରେ ଓଡ଼ିଶା କ୍ୟାଡରର ୫ ଜଣ IPS ଅଧିକାରୀ ରହିଛନ୍ତି ।
ସେମାନେ ହେଲେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୨ ବ୍ୟାଚ୍ ର ସ୍ଵପ୍ନା ତିୱାରୀ, ୧୯୯୩ ବ୍ୟାଚ୍ ର ୩ଜଣ ସୁଶାନ୍ତ ନାଥ, ବିନୟତୋଷ ମିଶ୍ର ଓ ଆର୍ ପି କୋଚେ । ଏମାନଙ୍କ ମଧ୍ୟରୁ ସ୍ବପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେ ଓଡ଼ିଶା ଫେରିବାର ସମ୍ଭାବନା କ୍ଷୀଣ । ୧୯୯୩ ବ୍ୟାଚ ର ବିନୟତୋଷ ମିଶ୍ର ନଭେମ୍ବର ୩ ତାରିଖରେ ଅବସର ନେବେ । ନିୟମ ଦୃଷ୍ଟିରୁ ଡିଜିଙ୍କ ଅବସର ସମୟ ଠାରୁ ପରବର୍ତ୍ତୀ ଡିଜିଙ୍କ ଅବସର ତାରିଖ ମଧ୍ୟରେ ଅତି କମରେ ୬ମାସ ସମୟ ରହିବା କଥା । ଏଣୁ ତାଙ୍କ ନାମ ବିଚାରକୁ ନିଆଯିବ ନାହିଁ । ନାମ ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ଆଗରେ ରହିଛି ତାଙ୍କ ପଛକୁ ରହିଛନ୍ତି ସୁଶାନ୍ତ ନାଥ ଓ ଆର୍. ପି କୋଚେ । ସୁଧାଂଶୁ ଷଡ଼ଙ୍ଗୀ ଏବେ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିପେନ୍ସ ଡିଜି ଦାୟିତ୍ବରେ ଅଛନ୍ତି । ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀଙ୍କର କଟକ-ଭୁବନେଶ୍ଵରର ପୁଲିସ କମିସନର୍ ଭାବେ ଆଇନଶୃଙ୍ଖଳା ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାର ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ତାଙ୍କୁ ଅଗ୍ରାଧିକାରୀ ଦିଆଯାଇପାରେ ।
ସେହିଭଳି ସୁଶାନ୍ତ ନାଥ ଏବେ ଜେଲ୍ ଡିଜି ଦାୟିତ୍ବରେ ରହିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ବିଭାଗ କାମ କରି ନିଜ କାର୍ଯ୍ୟଦକ୍ଷତା ଦେଖାଇଛନ୍ତି । ଆର.ପି. କୋଚେ ଏବେ ଓଡ଼ିଶା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ଵରେ ଅଛନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଏଡିଜି ଭାବେ ନିଜ ଦକ୍ଷତା ଦେଖାଇଛନ୍ତି । ଡିଜିପି ଚୟନରେ କାର୍ଯ୍ୟଦକ୍ଷତା ଓ ବରିଷ୍ଠତା ଏକମାତ୍ର ଯୋଗ୍ୟତା । ଏମିତିରେ ଏବେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଏବଂ ଆର.ପି.କୋଚେ ଏହି ୩ ଅଧିକାରୀଙ୍କ NOC ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଫାଇଲ୍ ପଠାଯାଇଛି । ଡିଜି ଅବସର ନେବାର ୩ ମାସ ପୂର୍ବରୁ ଅର୍ଥାତ ମେ’ ୧୬ ତାରିଖ ପୂର୍ବରୁ ଏହି ନାମଗୁଡ଼ିକ UPSCକୁ ପଠାଯିବ । ...
Comments ସମସ୍ତ ମତାମତ 0