Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    Share on :
    ajab-Image
    Date: Apr 1, 2026    Views: 3325

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସୁଭଦ୍ରା ଯୋଜନା ଏବଂ ମାଓବାଦୀ ଦମନରେ ଓଡ଼ିଶାର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଚିଠିରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଆ ଲୋକଙ୍କ ସହ ମତ ବିନିମୟ କଥା ମଧ୍ୟ ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ ସଂସ୍କୃତିକୁ ମୋଦି ଏକ ସଭ୍ୟତାଗତ ଐତିହ୍ୟ ଭାବେ ବର୍ଣ୍ଣନା କରିଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି। 

    ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶା ସହିତ ଆପଣଙ୍କର ଦୀର୍ଘ ଦିନର ସମ୍ପର୍କ, ବିଶେଷକରି ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଥିବା ସୂର୍ୟ୍ୟ ମନ୍ଦିର ଏବଂ ରଥଯାତ୍ରାର ସମାନତା ବିଷୟରେ ଆପଣଙ୍କ ସ୍ମୃତିଚାରଣ ଆମକୁ ଅଭିଭୂତ କରିଛି। ଅହମ୍ମଦାବାଦ ରଥଯାତ୍ରାରେ ଆପଣ କରିଥିବା ପହଣ୍ଡି ବିଧିର ଅନୁଭୂତି ଆମ ସାଂସ୍କୃତିକ ଏକତାକୁ ପ୍ରତିଫଳିତ କରୁଛି। ଓଡ଼ିଶାର ପ୍ରଗତି ପାଇଁ ଆପଣଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଅକୁଣ୍ଠ ସମର୍ଥନ ପ୍ରଶଂସନୀୟ । ୨୦୨୫-୨୬ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ୧୦,୬୦୦ କୋଟି ଟଙ୍କାର ରେକର୍ଡ ପାଣ୍ଠି ଆବଣ୍ଟନ ଏବଂ ବନ୍ଦର ଭିତ୍ତିକ ବିକାଶ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଓ ଶିଳ୍ପଭିତ୍ତିକ ରାଜ୍ୟରେ ପରିଣତ କରିବ । ଏଥିସହିତ, ସୁଭଦ୍ରା ଯୋଜନା ଦ୍ବାରା ୧ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଏବଂ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଆମ ସରକାରଙ୍କ ପ୍ରୟାସକୁ ଆପଣଙ୍କ ପ୍ରଶଂସା ଆମର 'ନାରୀ ଶକ୍ତି'କୁ ଆହୁରି ଉତ୍ସାହିତ କରିବ। 

    ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, 'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା' ଗଠନ କରିବା ନେଇ ଆପଣଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ଆମେ ସାମୂହିକ ଭାବେ ଚେଷ୍ଟା ଜାରି ରଖିବୁ । ଓଡ଼ିଆ ଅସ୍ମିତା ଏବଂ ଭାଷା, ସଂସ୍କୃତିର ସଂରକ୍ଷଣ ପାଇଁ ଆମ ସରକାର ସଦା ସର୍ବଦା ସଂକଳ୍ପବଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ଭାରତ ସରକାରଙ୍କ ସହିତ ଏକ ସହଭାଗୀ ସଂକଳ୍ପ ନେଇ ଆମେ ଏହି ବିକାଶ ଯାତ୍ରାରେ ଆଗକୁ ବଢ଼ିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook