Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୪୭ଟି ପୌର ସଂସ୍ଥା ପାଇଁ ୮୬୨ ପ୍ରକଳ୍ପର ଲୋକାର୍ପଣ

    Share on :
    ajab-Image
    Date: Mar 8, 2026    Views: 3846

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଶନିବାର ୪୭ଟି ପୌର ସଂସ୍ଥା ପାଇଁ ୮୬୨ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି । ଏଥିରେ ୧୮୧ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି । ଶନିବାର ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଏହି ଲୋକାର୍ପଣ ହୋଇଥିଲା । ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ଏକ ପୋର୍ଟାଲ ଉନ୍ମୋଚନ କରିଥିଲେ । ପୋର୍ଟାଲ ଦ୍ୱାରା ପୌରାଞ୍ଚଳକୁ ଜିଓଟ୍ୟାଗ୍ କରି ସେଠାରେ ଚାଲିଥିବା ସମସ୍ତ ନିର୍ମାଣ କାମର ଅଗ୍ରଗତି ଜାଣି ହେବ । ଏଥିରୁ ସବୁ ପ୍ରକଳ୍ପର ଆର୍ଥିକ ଓ ନିର୍ମାଣ ଅଗ୍ରଗତି ବାବଦରେ ଟିକିନିଖି ତଥ୍ୟ ମିଳିବ । ମନ୍ତ୍ରୀ କହିଥିଲେ, କୌଣସି ପ୍ରକଳ୍ପର ଗୁଣବତ୍ତା ଓ ପରିମାଣରେ ଆଦୌ ସାଲିସ କରାଯିବନି । ଏଥିପାଇଁ ବିଭାଗ ପକ୍ଷରୁ ଏକ ଭିଜିଲାନ୍ସ କମିଟି ଗଢ଼ାଯିବ । ଏହି କମିଟି ବିଭିନ୍ନ ସମୟରେ ପୌରାଞ୍ଚଳକୁ ଅଚାନକ ଯାଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ତଦାରଖ କରିବ । ଆଗକୁ ଆମେ ସବୁ ସହରକୁ ବସ୍ତିମୁକ୍ତ କରିବାକୁ ଯୋଜନା କରିଛୁ । ବସ୍ତିବାସିନ୍ଦାଙ୍କର ଭଲରେ ବଞ୍ଚିବାର ଅଧିକାର ଅଛି । ସେମାନେ ବି ସ୍ୱେରେଜ୍, ଡ୍ରେନେଜ୍ ଓ ଅନ୍ୟ ସୁବିଧା ସୁଯୋଗ ପାଇବେ । ଆଗକୁ ବିଭିନ୍ନ ସହରକୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ ସାମିଲ କରିବୁ । ଏଠାରେ ସ୍ୱେରେଜ୍, ଡ୍ରେନେଜ୍ ଓ ଏଆଇ ଭିତ୍ତିଭୂମିର ବିକାଶ କରାଯିବ ବୋଲି ସେ କହିଛନ୍ତି ।
    ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ରାଜ୍ୟର ବିଭିନ୍ନ ସହରରେ ଆଧୁନିକ ତଥା ଉନ୍ନତ ଭିତ୍ତିଭୂମି ସୃଷ୍ଟି ପାଇଁ ଲକ୍ଷ୍ୟ ଅଛି । ଏଥିରେ ଆସନ୍ତା ୫ ବର୍ଷରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୨୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କୋଟିଏରୁ ଅଧିକ ମୂଲ୍ୟର ପ୍ରାୟ ୨୦୦ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଏବେ ସୁଦ୍ଧା ୪୬୮୫ ପ୍ରକଳ୍ପ ପାଇଁ ଟେଣ୍ଡର ଡକାଯାଇଛି । ୨୭୩୫ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ଏଥରେ ୧୦୦ରୁ ଅଧିକ ଗୋଶାଳା, ୪୦ରୁ ଅଧିକ ଅଫିସ୍ କୋଠା, ୧୦୦ରୁ ଅଧିକ ମାର୍କେଟ କମ୍ପେକ୍ସ ଏବଂ ୧୦ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ ତିଆରି କରାଯିବ । ସବୁ ପ୍ରକଳ୍ପକୁ ଶୀଘ୍ର ଆରମ୍ଭ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ବିନୟ ଦାସ, ସୌରିନ୍ଦ୍ର କୁମାର ରାଉତରାୟ ଓ ଶୁଭେନ୍ଦୁ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କଟକ ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମର ମେୟରଙ୍କ ସମେତ ୪୭ଟି ପୌର ସଂସ୍ଥାର ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଭିସି ଯୋଗେ ଯୋଡ଼ି ହୋଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook