ମୁଖ୍ୟ ଖବର
ଭୁବନେଶ୍ୱର : ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ସରଗରମ ବଢ଼ିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ ବାଇଟ୍ ଦେଇଛନ୍ତି। ବିଜେପି ପକ୍ଷରୁ ଓଡ଼ିଶାରୁ ଦୁଇ ଜଣ ଅଭିଜ୍ଞ ନେତାଙ୍କ ନାମ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱକୁ କୃତଜ୍ଞତା ଜଣାଇବା ସହ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବର୍ତ୍ତମାନର ସାଂସଦ ଶ୍ରୀ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ମନମୋହନ ସାମଲଙ୍କ ତୃଣମୂଳ ସ୍ତରର ସଂଗଠନ ଏବଂ ସୁଜିତ କୁମାରଙ୍କ ଶିକ୍ଷାଗତ ଯୋଗ୍ୟତା ତଥା ଦକ୍ଷତା ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଆହୁରି ଶାଣିତ କରିବ। ଓଡ଼ିଶାର ସ୍ୱାର୍ଥ ଏବଂ ଅଭିଜ୍ଞତାକୁ ବିଜେପି ସବୁବେଳେ ସମ୍ମାନ ଦେଇଆସିଛି ବୋଲି ସେ ପ୍ରକାଶ କରିଛନ୍ତି।
ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ହେଉଥିବା ଏହି ନିର୍ବାଚନରେ ବିଜେପି ପାଖରେ ସ୍ପଷ୍ଟ ବହୁମତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦଳର ୭୯ ଜଣ ବିଧାୟକ ଏବଂ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ବିଜେପି ଦୁଇଟି ଯାକ ଆସନରେ ବୃହତ ବିଜୟ ହାସଲ କରିବ। ରାଜ୍ୟର ଭିତ୍ତିଭୂମି ବିକାଶ ଏବଂ ‘ବିକଶିତ ଓଡ଼ିଶା’ ଗଠନରେ ଏହି ଦୁଇ ନେତାଙ୍କ ପ୍ରମୁଖ ଭୂମିକା ରହିବ।
ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ଶ୍ରୀ ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ପରି ଜଣେ ବିଚକ୍ଷଣ ରାଜନେତାଙ୍କୁ ରାଜ୍ୟ ବିଜେପି ପୂର୍ଣ୍ଣ ସମର୍ଥନ ଦେବ। ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓଡ଼ିଶା ପାଇଁ ସହାୟକ ହେବ। ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ସ୍ପଷ୍ଟ ସଂଖ୍ୟା ନଥିବାରୁ, ଦିଲ୍ଲୀପ ରାୟ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
Comments ସମସ୍ତ ମତାମତ 0