Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା ରାଜନୀତି: ସନା ଓ ବଦ୍ରିଙ୍କ ଉପରେ ଆଖି

    Share on :
    ajab-Image
    Date: Mar 1, 2026    Views: 3002

    କେନ୍ଦୁଝର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବା  ବେଳେ କେନ୍ଦୁଝର ଜିଲ୍ଲାର ଦୁଇ ଚର୍ଚ୍ଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ସନାତନ ମହାକୁଡ଼ଙ୍କ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଏହି ନିର୍ବାଚନ ବଳଶାଳୀ କରାଇବ ନା ଦଳୀୟ ନିଷ୍ପତ୍ତି ଆଧାରରେ ଏହି ଦୁଇ ବିଧାୟକ ଯିବେ, ତାହା ଉପରେ ସମସ୍ତଙ୍କର ନଜର।
    ବିଗତ ଦିନରେ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ସ୍ପଷ୍ଟ ମତ ‘କେନ୍ଦୁଝରୁ କେହି ମୁଖ୍ୟମନ୍ତ୍ରୀ ହୋଇ ନ ଥିଲେ କି ଆଗାମୀ ଦିନରେ କେହି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା କ୍ଷୀଣ। ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗର୍ବିତ।’ ସେହିପରି ଅନ୍ୟତମ ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆରମ୍ଭରୁ ଖୋଲା ସମର୍ଥନ ଦେଇଆସୁଛନ୍ତି। ଏଭଳି ମନ୍ତବ୍ୟ ପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିବାରୁ ସେ ଏବେ ମୁକ୍ତ ଏବଂ ବିଜେପି ସପକ୍ଷରେ ଭୋଟ ଦେବାରେ କୌଣସି ଅସୁବିଧା ନାହିଁ। ଯଦିଓ ସେ ଏ ସଂପର୍କରେ କୌଣସି ମତମନ୍ତବ୍ୟ ଦେଇ ନାହାନ୍ତି, କିନ୍ତୁ ତାଙ୍କ ଭୋଟ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବ ବୋଲି ଚର୍ଚ୍ଚା ହେଉଛି।
    ତେବେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପାଖରେ କେଁ ରହିଛି। ଯଦିଓ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଏବଂ ଦଳର ଏକାଧିକ ତ୍ରୁଟିକୁ ସମାଲୋଚନା କରିଛନ୍ତି, ବିଜେଡି କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେବାରୁ ଏଯାଏଁ ବିରତ ରହିଛି। ଏ ଦୃଷ୍ଟିରୁ ଅନେକ କହୁଛନ୍ତି, ରାଜ୍ୟସଭା ନିର୍ବାଚନରେ ତାଙ୍କ ଭୋଟ  ବିଜେଡି ସପକ୍ଷରେ ଯାଇପାରେ। 

    ଅନ୍ୟ କିଛି ରାଜନୀତି ସମୀକ୍ଷକଙ୍କ ମତ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସହିତ ବଦ୍ରିବାବୁଙ୍କ ବ୍ୟକ୍ତିଗତ ସମ୍ପର୍କ ଭଲ। ତାଙ୍କ ପୁତ୍ର ତଥା ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ଟୁଟୁ ପାତ୍ରଙ୍କ ସଂପର୍କ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସହିତ ଘନିଷ୍ଠ, ଯଦିଓ ଏହାକୁ ବ୍ୟବସାୟିକ ସମ୍ପର୍କ ବୋଲି ଅନେକ କହିଥାନ୍ତି। ଏସବୁ ଦୃଷ୍ଟିରୁ ବଦ୍ରିବାବୁଙ୍କ ଭୋଟ ହୁଏତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବା ସପକ୍ଷରେ ଯାଇପାରେ। ତେବେ ଏହି ସଂପର୍କର ଦିଗ କେଉଁଆଡ଼କୁ ଢଳୁଛି, ଆଗକୁ ସ୍ପଷ୍ଟ ହେବ ବୋଲି ସମୀକ୍ଷକ ମତ ଦେଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook