Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର

    Share on :
    ajab-Image
    Date: Mar 1, 2026    Views: 3513

    ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି । ପ୍ରଥମେ ଇସ୍ରାଏଲ- ଆମେରିକା ଏକତ୍ର ହୋଇ ଇରାନର ୩୦ରୁ ଅଧିକ ଠିକଣାରେ ହମ୍‌ଲା କରିଥିଲେ । ପରେ ଇରାନ ଇସ୍ରାଏଲ ସମେତ ଆମେରିକାର ୭ଟି ସୈନ୍ୟ ଆଡ୍ଡା ଉପରେ କରିଛି ହମ୍‌ଲା । କୁଏତ୍, ୟୁଏଇ, କତାର ଏବଂ ବହରୀନ ଭଳି ଠିକଣାରେ ଇରାନ ମିସାଇଲ ମାଡ଼ କରିଛି । ଯୁଦ୍ଧରେ ୭ରୁ ୮ ଦେଶ ସାମିଲ ହୋଇସାରିଲେଣି । ଇରାନ ମଧ୍ୟପ୍ରାଚ୍ୟସ୍ଥିତ ଆମେରିକାର ସାମରିକ ଘାଟିକୁ ଟାର୍ଗେଟ କରିଛି । ଲେବାନନ ଏବଂ ହୁତି ଭଳି ଦେଶ ବି ଇରାନ ପକ୍ଷରୁ ଆକ୍ରମଣ କରୁଛନ୍ତି । ଇସ୍ରାଏଲ୍ ଉପରେ ଅନେକ ଦେଶ ପକ୍ଷରୁ ହମ୍‌ଲା ହେଉଛି । ଏଭଳି ସ୍ଥିତିରେ ଭୟ ସୃଷ୍ଟି ହୋଇଛି ଯେ, ଯୁଦ୍ଧ କେତେ ଲମ୍ବା ଚାଲିବ ତଥା କେତେ ଭୟଙ୍କର ହେବ । ଅନୁମାନ ଲଗାଇବା ମୁସ୍କିଲ । ତେବେ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଅସ୍ଥିରତା ଆଶଙ୍କା ବଢ଼ିଯାଇଛି । ଦୋଳାୟମାନ ଅବସ୍ଥାରେ ବଜାର । ଭାରତ ସମେତ ବିଶ୍ୱବ୍ୟାପୀ ନିବେଶକ ଭୟଭୀତ ।
    ବିଶେଷଜ୍ଞଙ୍କ କହିବାନୁସାରେ, ଏହି ହମ୍‌ଲା ଦ୍ୱାରା ଅଶୋଧିତ ତୈଳ ଦରରେ ଉଛାଳ ଆସିବା ଥୟ, ଯାହା ଦରଦାମ ସମସ୍ୟାକୁ ତେଜିବ । ଭାରତ ସମେତ ଅନେକ ଦେଶ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଦେଇ ଅଶୋଧିତ ତୈଳ ଆମଦାନି କରିଥାନ୍ତି । ଯୁଦ୍ଧ ସମୟରେ ଏହି ବାଟକୁ ବନ୍ଦ କରିଦେଇଛି ଇରାନ । ଫଳରେ ତୈଳ ଜାହାଜ ଚଳାଚଳ ହୋଇଯାଇଛି ଠପ । ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରଭାବରେ ଭୟଙ୍କର ମାତ୍ରାରେ ବଢ଼ିପାରେ ତୈଳ ଦର । ଘରୋଇ ବଜାରରେ ମହଙ୍ଗା ହୋଇଯିବ ପେଟ୍ରୋଲ ଏବଂ ଡିଜେଲ। ଦେଶରେ ଦେଖାଦେବ ଦରଦାମ ବୃଦ୍ଧି ସ୍ଥିତି । ସାଧାରଣ ଲୋକଙ୍କ ପକେଟ୍‌କୁ ଏହା ବଡ଼ ଆକାରରେ ବାଧିବ । ଭାରତ ଏହାର ଆବଶ୍ୟକତାର ୮୫% ରୁ ଅଧିକ ଅଶୋଧିତ ତୈଳ ଆମଦାନି କରିଥାଏ ଏବଂ ଏଥିରେ ବଡ଼ ଭାଗ ରହିଛି ଉପସାଗରୀୟ ଦେଶଗୁଡ଼ିକର । ଏହି ଦେଶଗୁଡ଼ିକ ହେଲା ସାଉଦି ଆରବ, ୟୁଏଇ ଏବଂ ଇରାକ ଆଦି । ହୋର୍ମୁଜ ଷ୍ଟ୍ରେଟ୍ ଦେଇ ଏହି ଦେଶଗୁଡ଼ିକରୁ ତେଲ ଭାରତକୁ ଆସିଥାଏ । ହୋର୍ମୁଜ ଷ୍ଟ୍ରେଟ୍ ଉପରେ ରୋକ ଲାଗିବା ଦ୍ୱାରା ଭାରତର ମାସିକ ମୋଟ ତୈଳ ଆମଦାନିର ୫୦% ପର୍ୟ୍ୟନ୍ତ ପ୍ରଭାବିତ ହେବାକୁ ଯାଉଛି । ଏହି ପରିବହନ ବାଟ ବନ୍ଦ ହେବା ଦ୍ୱାରା ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୧୦ ଡଲାର ପର୍ୟ୍ୟନ୍ତ ଯାଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ହେଲେ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକର ବିଶୋଧନ ଖର୍ଚ୍ଚରେ ବଡ଼ ଆକାରର ବୃଦ୍ଧି ଘଟିବ । ଯଦି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ ହ୍ରାସ ନ କରନ୍ତି ତେବେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ଦର ଲିଟର ପିଛା ୫ରୁ ୧୦ ଟଙ୍କା ପର୍ୟ୍ୟନ୍ତ ବଢ଼ିପାରେ । ଦରଦାମ ସ୍ଥିତି ହୋଇପାରେ ଅଣାୟତ । ଶୁକ୍ରବାର ଅଶୋଧିତ ତୈଳ ଦର ୨.୭୮% ବଢ଼ି ବ୍ୟାରେଲ ପିଛା ୬୭.୦୨ ଡଲାରରେ ବନ୍ଦ ହୋଇଥିଲା । ସୋମବାର ଯେତେବେଳେ କମୋଡିଟି ବଜାର ଖୋଲିବ ଏଥିରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ।
    ଡିଜେଲ ଦର ବଢ଼ିବା ଦ୍ୱାରା ଦେଶବ୍ୟାପୀ ମାଲ ପରିବହନ ଓ ସାଧାରଣ ପରିବହନ ଖର୍ଚ୍ଚ ବଢ଼ିବ । ଏଫ୍ଏମ୍ସିଜି ଉତ୍ପାଦ, ଫଳ ଏବଂ ପନିପରିବା ଦର ଉପରେ ଏହାର ପ୍ରଭାବ ପଡ଼ିବ । ଫଳରେ ଖୁଚୁରା ମୁଦ୍ରାସ୍ଫୀତି ହାର(ସିପିଆଇ) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନିର୍ଦ୍ଧାରିତ ସୀମା ବାହାରକୁ ଯାଇପାରେ । ତେଲ ମହଙ୍ଗା ହେବା ଦ୍ୱାରା ଆମଦାନି କରିବା ପାଇଁ ଭାରତକୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ । ଏହାଦ୍ୱାରା ଭାରତର ଚଳନ୍ତି ଖାତା ନିଅଣ୍ଟ ବଢ଼ିବ ଏବଂ ଡଲାରର ବର୍ଦ୍ଧିତ ଚାହିଦା ଯୋଗୁ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ବଡ଼ ହ୍ରାସ ଘଟିପାରେ । ଟଙ୍କା ଦୁର୍ବଳ ହେବା ଦ୍ୱାରା ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ରୁ ଆରମ୍ଭ କରି ଖାଇବା ତେଲ ପର୍ୟ୍ୟନ୍ତ, ସମସ୍ତ ଆମଦାନି ସାମଗ୍ରୀ ମହଙ୍ଗା ହୋଇଯିବ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook