ମୁଖ୍ୟ ଖବର
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଆଜି ଅଷ୍ଟମ ଦିନ । ଅଷ୍ଟମ ଦିନରେ ବି ଲୋକସଭାରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ଆଜି ପ୍ରଶ୍ନକାଳରେ ପ୍ରବଳ ନାରାବାଜି କରିବା ସହ ହାତରେ ପୋଷ୍ଟର ଧରି ଗୃହର ମଧ୍ୟ ଭାଗରେ ଆସି ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ଦିନ ୧୧ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଦିନ ୧୧ଟାରେ ଗୃହ କାର୍ୟ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଲଗାତାର ଭାବେ ନାରାବାଜି କରିଥିଲେ । ଫଳରେ ଗୃହ କାର୍ୟ୍ୟ ରେ ବାଧା ସୃଷ୍ଟି ହେବାରୁ ତିନି ମିନିଟ୍ ପରେ ବାଚସ୍ପତି ଓମ ବିର୍ଲା ପ୍ରଥମେ ୧୨ଟା ପର୍ୟ୍ୟନ୍ତ ମୁଲତବୀ କରିଥିଲେ । ଏହା ପରେ ପୁଣି କାର୍ୟ୍ୟ ଆରମ୍ଭ ହେବା ସାତ ମିନିଟ୍ ପରେ ବି ବିରୋଧୀଙ୍କ ନାରାବାଜି କମିନଥିଲା । ଗୃହର ମଧ୍ୟ ଭାଗରେ ପ୍ରବଳ ହୋହଲ୍ଲା କରିବାରୁ ଗୃହକୁ ସୋମବାର ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ରାଜ୍ୟସଭା କାର୍ୟ୍ୟ ଜାରି ରହିଛି।
କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି, “ଗତକାଲି ସମସ୍ତେ ତାଙ୍କୁ ପିଲା ବୋଲି କହିଥିଲେ। ଆଜି ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ଥିଲା, ଯେଉଁଠାରେ ପିଲାମାନଙ୍କୁ ସଫଳ ହେବାକୁ କୁହାଯାଇଥିଲା। ଯଦି ରାହୁଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍କୁଲକୁ ଯାଆନ୍ତି, ତେବେ ସେ ଜୀବନରେ ସଫଳ ହେବେ।”
ଗୁରୁବାର, ଲୋକସଭା ଏବଂ ରାଜ୍ୟସଭା ଉଭୟରେ ହଟ୍ଟଗୋଳ ମଧ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା। ୨୦୦୪ ପରେ ଏହା ପ୍ରଥମ ଥର ଥିଲା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଲୋକସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା।
Comments ସମସ୍ତ ମତାମତ 0