ମୁଖ୍ୟ ଖବର
ନୂଆଦିଲ୍ଲୀ/ସମ୍ବଲପୁର:ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରାଇବୁନାଲର କାର୍ୟ୍ୟ ଅବଧି ଆସନ୍ତା ୨ ମାସ ମଧ୍ୟରେ ଶେଷ ହେବାକୁ ଥିବାବେଳେ ଏଯାଏଁ କୌଣସି ରିପୋର୍ଟ ଦାଖଲ କରା ଯାଇନାହିଁ ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ସଂସଦରେ ଉତ୍ତର ରଖିଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗୁରୁବାର ସଂସଦରେ ଏ ସଂକ୍ରାନ୍ତ ପ୍ରଶ୍ନ ପଚାରିଥିବା ବେଳେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରୀ ଶ୍ରୀ ଚୌଧୁରୀ ସଂସଦକୁ ସୂଚନା ଦେଇ କହିଥିଲେ, ଟ୍ରାଇବୁନାଲ ଏପର୍ୟ୍ୟନ୍ତ ୪୯ଟି ଶୁଣାଣି କରିଛି, କିନ୍ତୁ କେନ୍ଦ୍ର ସରକାରଙ୍କୁ କୌଣସି ମଧ୍ୟବର୍ତ୍ତୀକାଳୀନ କିମ୍ବା ଚୂଡ଼ାନ୍ତ ସୁପାରିଶ ଅଥବା ରିପୋର୍ଟ ଦାଖଲ କରାଯାଇ ନାହିଁ।
ମହାନଦୀ ବିବାଦ ନଭେମ୍ବର ୨୦୧୬ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଓଡ଼ିଶା ଆନ୍ତଃରାଜ୍ୟ ନଦୀ ଜଳବିବାଦ ଆଇନ-୧୯୫୬ ଅନୁଯାୟୀ, କେନ୍ଦ୍ରକୁ ଅଭିଯୋଗ କରିଥିଲା ଯେ ଛତିଶଗଡ଼ ଉପରମୁଣ୍ଡରେ ଅନେକ ଶିଳ୍ପ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ତଳମୁଣ୍ଡରେ ଜଳପ୍ରବାହ ହ୍ରାସ ପାଇଛି। ଓଡ଼ିଶା କହିଥିଲା, ହ୍ରାସ ପାଇଥିବା ପ୍ରବାହ ଯୋଗୁଁ ଜଳସେଚନ, ପାନୀୟଜଳ ଯୋଗାଣ ଏବଂ ଅନେକ ଜିଲାରେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ଅଭିଯୋଗ ପରେ କେନ୍ଦ୍ର ମାର୍ଚ୍ଚ ୨୦୧୮ ରେ ମହାନଦୀ ଜଳ ବିବାଦ ସମାଧାନ ନ୍ୟାୟାଧିକରଣ ଗଠନ କରିଥିଲା। ଅଗଷ୍ଟ ୨୦୨୦ ରେ ଟ୍ରାଇବୁନାଲ୍ ଶୁଣାଣି ଆରମ୍ଭ କରିଥିଲା। ମାମଲା ବର୍ତ୍ତମାନ ଏକ ‘ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟାୟ’ରେ ରହିଛି, ଦୁଇ ରାଜ୍ୟର ସାକ୍ଷୀମାନଙ୍କୁ ଜେରା କରାଯାଉଛି। ସାମ୍ପ୍ରତିକ ଶୁଣାଣି ସମୟରେ ଦୁଇ ରାଜ୍ୟ ଟ୍ରାଇବୁନାଲକୁ ଜଣାଇଥିଲେ ସେମାନେ ଏକ ପାରସ୍ପରିକ ଗ୍ରହଣୀୟ ସମାଧାନର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି। ଏବେ ବିଷୟ ବିଚାରାଧୀନ ଥିବାରୁ କାର୍ୟ୍ୟଧାରା ବିବରଣୀ ପ୍ରଦାନ କରାଯାଇ ପାରିବ ନାହିଁ। ତେବେ କୌଣସି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଚୌଧୁରୀ ସ୍ପଷ୍ଟ କରିଛନ୍ତି। ଏପଟେ ବର୍ଷ ବର୍ଷ ଧରି ଅନେକ ପର୍ୟ୍ୟାୟ ଶୁଣାଣି ସତ୍ତ୍ୱେ ଟ୍ରାଇବୁନାଲ ଜଳ ବଣ୍ଟନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ କିମ୍ବା ନିଷ୍କର୍ଷ ଜାରି କରି ନ ପାରିବାକୁ ସଚେତନବର୍ଗ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଅଧିକାରୀମାନେ କହିଛନ୍ତି ମାମଲାର ବୈଷୟିକ ଜଟିଳତାରେ ଜଳବିଜ୍ଞାନ ଅଧ୍ୟୟନ, ପରିବେଶଗତ ପ୍ରଭାବ ମୂଲ୍ୟାଙ୍କନ ଏବଂ ପ୍ରତିଯୋଗିତାମୂଳକ ବିକାଶ ଦାବି ଆଦି ଅନ୍ତର୍ଭୁକ୍ତ ଥିବାରୁ ଦୀର୍ଘ ସମୟ ଲାଗୁଛି।
Comments ସମସ୍ତ ମତାମତ 0