Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାତକୋଶିଆ ଅଭୟାରଣ୍ୟ: ୧୦୦ କୋଟି ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି

    Share on :
    ajab-Image
    Date: Feb 5, 2026    Views: 3529

    ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି । ୯୯ କୋଟି ୭୫ ଲକ୍ଷ ୮୮ ହଜାର ୯୨୦ ଟଙ୍କା ଖର୍ଚ୍ଚ ହେବ । ଏ ସମ୍ପର୍କିତ ସବିଶେଷ ପ୍ରକଳ୍ପ ରିପୋର୍ଟଡିପିଆର୍କୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସ୍ପେସିଆଲ୍ ଆସିଷ୍ଟାନ୍ସ ଟୁ ଷ୍ଟେଟସ୍/ୟୁନିଅନ୍ ଟେରିଟୋରିଜ୍ ଫର୍ କ୍ୟାପିଟାଲ୍ ଇନ୍ଭେଷ୍ଟିମେଣ୍ଟ (ଏସ୍ ଏଏସ୍‌ସିଆଇ) ଯୋଜନା ମାଧ୍ୟମରେ ସାତକୋଶିଆରେ ଇକୋ ଟୁରିଜିମ୍‌ର ବିକାଶ ହେବ ବୋଲି ସୂଚନା ମିଳିଛି । ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସରକାରଙ୍କ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) (ବନ୍ୟଜନ୍ତୁ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (ସିଡବ୍ଲୁଏଲ୍‌ଡବ୍ଲ୍ୟୁ)ଙ୍କୁ ଚିଠି ଲେଖିଛନ୍ତି । ଏହି ଯୋଜନା କ୍ରମେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ ହୋଇଛି । ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡ଼ାରେ ହେବ ନୂଆ ପ୍ରବେଶ ପଥ । ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆ ଠାରେ ବି ନିର୍ମାଣ ହେବ ନୂଆ ପ୍ରବେଶ ପଥ । ଏଥିସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସହିତ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର, ୱାଚ ଟାୱାର, ରିଭର ଭିୟୁ ଡେକ୍ ସମତେ ଅଭିଲେଖାଗାର ରହିବ ।  

    ​​​​​​​ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୪ ନଭେମ୍ବରରେ "ପୂର୍ବଦୋୟ ମିଶନ'ରେ ଓଡ଼ିଶାର ପର୍ଯ୍ୟଟନର ଭିତ୍ତିଭୂମିକୁ ଅଗ୍ରାଧିକାର ପୂର୍ବକ ହୀରାକୁଦ ଓ ସାତକୋଶିଆ ଅଭୟାରଣ୍ୟର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଶେଷ ସହାୟତା ଦେଇଥିଲେ । ଉଭୟ ସ୍ଥାନକୁ ଆଇକନିକ୍ ଟୁରିଷ୍ଟ ସେଣ୍ଟର ଭାବେ ଗଢ଼ି ତୋଳିବା ସହ ବିଶ୍ୱମାନର କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଏସ୍‌ଏଏସ୍‌ସିଆଇ ଯୋଜନା ମାଧ୍ୟମରେ ଦେଶର ୨୩ଟି ରାଜ୍ୟର ୪୦ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା ବେଳେ ସେଥିରେ ହୀରାକୁଦ ଓ ସାତକୋଶିଆ ରହିଥିଲା । ଗତ ୨୦୨୫ ଡିସେମ୍ବର ୧୧ରେ ରାଜ୍ୟସଭାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯ କୋଟି ୯୦ ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି ୯୯ କୋଟି ୯୯ ଲକ୍ଷ ଟଙ୍କା ମଞ୍ଜୁର କରିଛି । ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୧.୯୨ କୋଟି ଟଙ୍କା ଜାରି କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶେଖାୱତ କହିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook