ମୁଖ୍ୟ ଖବର
ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ । ପ୍ରଭାତୀ ପରିଡ଼ା କହିଛନ୍ତି, ନୂଆ ରୂପ ପାଇବ ମିଶନ ଶକ୍ତି । ସେମାନଙ୍କର ଡ୍ରେସକୋର୍ଡ ମଧ୍ୟ ବଦଳିବ । ଉତ୍କଳ ଦିବସରୁ ନୂଆ ଡ୍ରେସ୍ କୋଡ୍ ଲାଗୁ ହେବ । ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ୟ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ”ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ସେ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ ମା' ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି। ନୂଆ ସରକାର ଆସିବା ପରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ପୂର୍ବରୁ ତିନୋଟି ପର୍ୟ୍ୟାୟରେ ୩୧୮ କୋଟି ୩୦ ଲକ୍ଷ ୧୬ ହଜାର ୨୪୫ ଟଙ୍କା ଦିଆଯାଇଛି। ୫ ଲକ୍ଷ ୪୪ ହଜାର ୪୯୩ ଗୋଷ୍ଠୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି।
ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ ୨ ଲକ୍ଷ ୮୦ ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି। ଗୋଷ୍ଠୀ ମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ୟ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଯାଇଥାଏ।
Comments ସମସ୍ତ ମତାମତ 0