Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକାକୁ ଚୀନର ଚେତାବନୀ; ରାଷ୍ଟ୍ରପତି ଦମ୍ପତିଙ୍କୁ ତୁରନ୍ତ ମୁକ୍ତ କର

    Share on :
    ajab-Image
    Date: Jan 5, 2026    Views: 4067

    ବେଜିଂ: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ନେଇ ଚୀନ ଉଦ୍‌ବେଗ ପ୍ରକାଶ କରିବା ସହିତ ୱାଶିଂଟନକୁ କଡା ଚେତାବନୀ ଦେଇଛି। ରବିବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକା ଅପହରଣ ପୂର୍ବକ ନିଜ ଦେଶକୁ ନେଇଯିବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଆମେରିକାର ଏପରି କାର୍ୟ୍ୟ ଆନ୍ତର୍ଜାତିକ ଆଇନ ଓ ଆନ୍ତର୍ଜାତିକ ସମ୍ପର୍କର ମୌଳିକ ଆଧାରକୁ ଉଲ୍ଲଙ୍ଘନ କରୁଛି। ଯେଉଁ ଆନ୍ତର୍ଜାତିକ ସମ୍ପର୍କକୁ ଆଧାର କରି ଜାତିସଂଘ ସ୍ଥାପନ କରାଯାଇଛି ତାକୁ ଆମେରିକା ଉଲ୍ଲଙ୍ଘନ କରିଛି। ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଚୀନ କହିଛି। ଏପରି କି ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେରିକାକୁ କହିଛି। ଭେନେଜୁଏଲା ସରକାର ଭାଙ୍ଗିବା ଦିଗରେ ଅପଚେଷ୍ଟାରୁ ଦୂରେଇ ରହିବାକୁ ମଧ୍ୟ ଚୀନ ଆମେରିକାକୁ କହିଛି।

    ଦୁଇଦେଶ ମଧ୍ୟରେ ଯଦି କିଛି ବିବାଦ ରହିଛି ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଆମେରିକା ଉଦ୍ୟମ କରୁ ବୋଲି ଚୀନ କହିଛି। ଏହା ପୂର୍ବର ଶନିବାର ଆମେରିକାର ଏପରି ଆକ୍ରମଣକୁ ନିନ୍ଦା କରିଥିଲା। ଅନ୍ୟଦେଶର ସୁରକ୍ଷା ଓ ସାର୍ବଭୌମତ୍ବ ଉଲ୍ଲଙ୍ଘନ ଭଳି କାର୍ୟ୍ୟରୁ ଆମେରିକାକୁ ଦୂରେଇ ରହିବା ଲାଗି ଚୀନ କହିଥିଲା। ମାଦୁରୋଙ୍କ ଅପହରଣ ଓ ତାଙ୍କ ନେତୃତ୍ବ ସରକାରର ପତନ ଚୀନ ପାଇଁ ଶକ୍ତ ଧକ୍କା ହୋଇଛି। କାରଣ ମାଦୁରେଙ୍କ ଶାସନ କାଳରେ ଭେନେଜୁଏଲା ସହିତ ଚୀନର ସମ୍ପର୍କ ନିବିଡ ହୋଇଥିଲା। ଭେନେଜୁଏଲାରୁ ଉତ୍ପାଦିତ ତୈଳର ବଡ ଗ୍ରାହକ ଚୀନ ସାଜିଥିଲା। ଭେନେଜୁଏଲା ଉପରେ ଆମେରିକାର କଟକଣା ସତ୍ତ୍ବେ ଚୀନ ଏହାଠାରୁ ତୈଳ କ୍ରୟ କରୁଥିଲା। ଏପରି କି ତୈଳ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଚୀନ ଏହାର ପୁଞ୍ଜିନିବେଶ କରିଥିଲା। ଭେନେଜୁଏଲାକୁ ଚୀନ ଶହଶହ କୋଟି ଡଲାର ଋଣ ଯୋଗାଇ ଦେଇଛି। ଏବେ ଆମେରିକା ଯଦି ଭେନେଜୁଏଲାକୁ ନିଜ ଅକ୍ତିଆରକୁ ନିଏ ତେବେ ଚୀନ ବିପୁଳ କ୍ଷତିର ସମ୍ମୁଖୀନ ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook