ମୁଖ୍ୟ ଖବର
ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲା ଉପରେ ସାଙ୍ଘାତିକ ଆକ୍ରମଣ କରିଛି ଆମେରିକା । ରାଜଧାନୀ କାରାକାସ୍ ସମେତ ୪ଟି ସହର ଉପରେ ହୋଇଛି ଏୟାରଷ୍ଟ୍ରାଇକ୍ । ଆପାଚି, ଚିନୁକ୍ ହେଲିକପ୍ଟର ଏବଂ ଏଫ୍୩୫ ବିମାନରୁ ଭୟଙ୍କର ମିସାଇଲ୍ ମାଡ଼ କରାଯାଇଛି । ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଉଠାଇ ନେଇଛନ୍ତି ଆମେରିକା ସେନା । ଏବେ ଦେଶରେ ସ୍ଥିତି ସଙ୍ଗୀନ ହୋଇଛି । ଜରୁରି ସ୍ଥିତି ଘୋଷଣା ହୋଇଛି । ଭେନେଜୁଏଲାରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଏନେଇ ଆଡଭାଇଜରୀ ଜାରି ହୋଇଛି । ଭେନେଜୁଏଲାରେ ପରିସ୍ଥିତି ଖରାପ, ଯାତ୍ରା ଏଡ଼ାଇବାକୁ ଭାରତୀୟ ନାଗରିକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।
ଭେନେଜୁଏଲା ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଭାରତ ସତର୍କ ହୋଇଛି । ରାଷ୍ଟ୍ରପତି ମାଦୁରୋ ବନ୍ଦା ହେବା ପରେ ଦେଶରେ ଏକ ଜାତୀୟ ପରିସ୍ଥିତି ଜାରି କରାଯାଇଛି । ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି ହୋଇଛି । ଭାରତ ତାର ନାଗରିକମାନଙ୍କୁ ସେଠାକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ଟ୍ରେଭେଲ୍ ଆଡଭାଇଜରି ଜାରି କରି ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ କହିଛି ।ସମସ୍ତ ଯାତ୍ରା ଏଡ଼ାଇବା ପାଇଁ ଭାରତୀୟ ନାଗରିକମାନଙ୍କୁ କଡ଼ା ନିର୍ଦ୍ଦେଶ ହୋଇଛି । ଏହି ସହିତ କାରାକାସରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି ।
କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ସହାୟତା ଯୋଗାଇବା ପାଇଁ ଜରୁରୀକାଳୀନ ଇମେଲ୍ ଠିକଣା (cons.caracas@mea.gov.in) ଏବଂ ଫୋନ୍ ନମ୍ବର ତ୍କ୫୮-୪୧୨-୯୫୮୪୨୮୮ (+୫୮-୪୧୨-୯୫୮୪୨୮୮) ମଧ୍ୟ ସେୟାର କରାଯାଇଛି । ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଚାଲିଥିବା ଉତ୍ତେଜନା ଯୁଦ୍ଧ ରୂପ ନେଇଛି । ଆମେରିକୀୟ ସୈନ୍ୟମାନେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଛନ୍ତି । ଆମେରିକା ମାଦୁରୋଙ୍କ ବିରୋଧରେ ବେଆଇନ ନିଶା ଏବଂ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗ ଆଣିଛି ।
Comments ସମସ୍ତ ମତାମତ 0