Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲୋକସେବା ଭବନରେ ହେବ ସ୍ମାର୍ଟ ଭୂତଳ ପାର୍କିଂ

    Share on :
    ajab-Image
    Date: Jan 3, 2026    Views: 3790

    ଭୁବନେଶ୍ୱର : ଲୋକସେବା ଭବନରେ ଗାଡ଼ି ପାର୍କିଂ ପାଇଁ ଆଉ ଆଦୌ ଟେନସନ୍‌ ନେବାକୁ ପଡ଼ିବନି। ଗାଡ଼ି ରଖିବାକୁ ଆଉ ଜାଗା ଖୋଜିବା ଦରକାର ହେବନି । ପାର୍କିଂ ପାଇଁ ପର୍ୟ୍ୟାପ୍ତ ଜାଗା ରହିବ । ଅଣ୍ଡରଗ୍ରାଉଣ୍ଡ୍‌ (ଭୂତଳ)ରେ ଗାଡ଼ି ପାର୍କିଂ ହେବ । ଏଥିପାଇଁ ବଡ଼ ପ୍ରକଳ୍ପ ହାତକୁ ନେବେ ସରକାର । ଏଥିପାଇ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ଏହାର ଡିପିଆର୍‌ ପ୍ରସ୍ତୁତ କରି ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି । ରାଜ୍ୟ ପ୍ରଶାସନର ନାଭିକେନ୍ଦ୍ର ଲୋକସେବା ଭବନରେ ଭୂତଳ ପାର୍କିଂ ସୁବିଧା କରିବାକୁ ଯୋଜନା ଚୂଡ଼ାନ୍ତ କରିଛି ପୂର୍ତ୍ତ ବିଭାଗ । 

    ଲୋକସେବା ଭବନର ରିଡେଭଲପମେଣ୍ଟ ବା ପୁନଃବିକାଶ ପାଇଁ ବଡ଼ ନକ୍ସା ଆଙ୍କିଛି । ଏହାର ପ୍ରଥମ ପର୍ୟ୍ୟାୟରେ ଭୂତଳ ପାର୍କିଂ ପ୍ରକଳ୍ପ ଆରମ୍ଭ ହେବ । ଗେଟ୍‌ ନଂ-୨ ପାଖରେ ଏହି ଭୂତଳ ପାର୍କିଂ ରହିବ । ବେସ୍‌ମେଣ୍ଟରେ ତଳକୁ ତଳ ତିନୋଟି ମହଲା ରହିବ । ବେସ୍‌ମେଣ୍ଟ-୧, ବେସ୍‌ମେଣ୍ଟ-୨ ଓ ବେସ୍‌ମେଣ୍ଟ-୩ରେ ୭୬ହଜାର ୨୭୨ ବର୍ଗଫୁଟ ଲେଖାଏ ପାର୍କିଂ ସ୍ଥାନ ଛଡ଼ାଯିବ । ବେସ୍‌ମେଣ୍ଟ-୧ରେ ୧୮୦ଟି କାର୍‌ ପାର୍କିଂ ହୋଇପାରିବ । ବେସ୍‌ମେଣ୍ଟ- ୨ରେ ୧୮୯ଟି କାର୍‌ ଓ ବେସ୍‌ମେଣ୍ଟ- ୩ରେ ୨୦୪ ଟି କାର୍‌ ପାର୍କିଂ ହେବା ଭଳି ବ୍ୟବସ୍ଥା କରାଯିବ । ଭୂତଳ ପାର୍କିଂରୁ ଉପରକୁ ଆସିବାକୁ ଲିଫ୍ଟ ବ୍ୟବସ୍ଥା ହେବ । ୩ଟି ବେସ୍‌ମେଣ୍ଟ ପାର୍କିଂର ବିଭିନ୍ନ କୋଣରେ ୧୩ଟି ଲିଫ୍ଟ ଲଗାଯିବ । ବେସ୍‌ମେଣ୍ଟ ପାର୍କିଂରେ ଅନେକ ଅତ୍ୟାଧୁନିକ ସୁବିଧା ଖଞ୍ଜାଯିବ । ସ୍ମାର୍ଟ ପାର୍କିଂ ମ୍ୟାନେଜମେଣ୍ଟ ସିଷ୍ଟମ୍‌ କାର୍ୟ୍ୟକାରୀ ହେବ । କେଉଁ ମହଲାର କେଉଁଠି ପାର୍କିଂ ସ୍ଥାନ ଖାଲି ଅଛି ଓ କେତେ ଗାଡ଼ି ରହିଛି, ତାହା ଏଥିରୁ ଜାଣିହେବ । ପ୍ରତି ପାର୍କିଂ ସ୍ଥାନ ପାଖରେ ସେନସର ଖଞ୍ଜାଯିବ । 

    ସେହିଭଳି ପାର୍କିଂ ଭିତରକୁ ପଶୁଥିବା ପ୍ରତିଟି ଗାଡ଼ିକୁ ଟ୍ରାକ୍‌ ରଖାଯିବ । ଗାଡ଼ିର ଡ୍ରାଇଭରଙ୍କ ମୁହଁ ଚିହ୍ନିବା ସହ କାର୍‌ ନମ୍ବର ପ୍ଲେଟ୍‌ ଜାଣିବାକୁ ଅଟୋମେଟିକ୍‌ ରେକଗ୍ନିସନ୍‌ ସିଷ୍ଟମ କାର୍ୟ୍ୟକାରୀ ହେବ । କୃତ୍ରିମ ବୁଦ୍ଧିମତା (ଏଆଇ) ମାଧ୍ୟମରେ ପୂରା ପାର୍କିଂ ମ୍ୟାନେଜମେଣ୍ଟ ସିଷ୍ଟମ ପରିଚାଳିତ ହେବ । ବେସ୍‌ମେଣ୍ଟ ପାର୍କିଂକୁ ନିରନ୍ତର ବିଜୁଳି ଯୋଗାଣ ହେବ । ସବୁ ମହଲାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ ରହିବ । ପୂରା ପାର୍କିଂ ଅଞ୍ଚଳରେ ମେକାନିକାଲ ଭେଣ୍ଟିଲେସନ ସିଷ୍ଟମ କାର୍ୟ୍ୟକାରୀ ହେବ । ମଝିରେ ମଝିରେ ବୁମ୍‌ ବ୍ୟାରିଅର ରହିବ । ଇଭି ଚାର୍ଜିଂ ପଏଣ୍ଟ ବି ରଖାଯିବ । ବେସ୍‌ମେଣ୍ଟ ପାର୍କିଂର ଉପରଭାଗକୁ ଲ୍ୟାଣ୍ଡସ୍କେପିଂ କରି ସୌନ୍ଦର୍ୟ୍ୟକରଣ କରାଯିବ । ଏହାକୁ ବଗିଚା ରୂପ ଦିଆଯିବ । ଏବେ ଲୋକସେବା ଭବନରେ ଗାଡ଼ି ପାର୍କିଂ ସ୍ଥାନକୁ ନେଇ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ଏବେ ଗୃହ ବିଭାଗ ସାମ୍ନା ଓ ଗେଟ୍‌ ନଂ-୨ ଆଗରେ ଅଧିକାଂଶ ଗାଡ଼ି ପାର୍କିଂ ହେଉଛି । ଆଉ କିଛି ଗାଡ଼ିକୁ ରାସ୍ତା କଡ଼ରେ ରଖାଯାଉଛି । କେବଳ କର୍ମଚାରୀ ନୁହନ୍ତି, ଲୋକସେବା ଭବନକୁ ବିଭିନ୍ନ କାମରେ ଯାଉଥିବା ଲୋକମାନେ ଗାଡ଼ି ରଖିବାକୁ ନାକେଦମ୍‌ ହେଉଛନ୍ତି । ଲୋକସେବା ଭବନ ଭିତରେ ୧୫୦୦ କାର୍‌ ଓ ୩୫୦୦ ବାଇକ୍‌ ରଖିବାକୁ ପାର୍କିଂ ସ୍ଥାନର ଆବଶ୍ୟକ ହେଉଛି । ପର୍ୟ୍ୟାୟ କ୍ରମେ ପାର୍କିଂ ସ୍ଥାନ ବଢ଼ାଇବାକୁ ଯୋଜନା ଅଛି ବୋଲି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook