ମୁଖ୍ୟ ଖବର
ରାଇରଙ୍ଗପୁର: ନୂଆବର୍ଷର ଦ୍ବିତୀୟ ଦିନରେ ରାଇରଙ୍ଗପୁର-ଯଶିପୁର ରାସ୍ତାର ରାଣୀବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ତିନି ଯୁବକ ବାଇକରେ ଯାଉଥିବାବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଫାଣ୍ଡି ଅଧୀନସ୍ଥ ରାଇରଙ୍ଗପୁର-ଯଶିପୁର ୨୨୦ ନମ୍ବର ଜାତୀୟ ରାଜପଥର ରାଣୀବନ୍ଧ ନିକଟରେ ଦିନ ପ୍ରାୟ ୧ଟା ୪୫ରେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ତିନି ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ତିରିଂ ଥାନା ଅନ୍ତର୍ଗତ ବଡଡ଼ାଳିମା ପଞ୍ଚାୟତର ରତନସାହିର ବିକାଶ ବେହେରା (୨୫), ଝାଡ଼ଖଣ୍ଡ ପ୍ରଦେଶର ଷମେଇଖଳା-ଖରସୁଆଁ ଜିଲା ଅନ୍ତର୍ଗତ ଆଦିତ୍ୟପୁରର ପ୍ରବୀର ଦେବବର୍ମା (୨୬) ଏବଂ ତ୍ରିପୁରା ରାଜ୍ୟର ବିକାଶ ଦେବବର୍ମା (୨୬)। ସଂପୃକ୍ତ ତିନି ଯୁବକ ଜାମସେଦପୁର ସହରରେ ଏକାଠି ରହୁଥିଲେ ା ଗତକାଲି ନୂଆବର୍ଷରେ ପିକନିକ୍ ପାଇଁ ବୁଲି ଆସିଥିଲେ।
ସେମାନେ ହାବାଦଡ଼ା ନିକଟ ଏକ ଗାଁକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। କେହି ମଧ୍ୟ ହେଲମେଟ ପିନ୍ଧି ନଥିଲେ ବୋଲି ହାଟବାଦଡା ଫାଣ୍ଡି ଅଧିକାରୀ ମୋହନ କୁମାର ସାହୁ ସୂଚନା ଦେଇଛନ୍ତି ା
ଅପରପକ୍ଷେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ବିକ୍ଷୋଭ କରିଛନ୍ତି। ଘଟଣାସ୍ଥଳରେ ଏସଡିପିଓ, ତହସିଲଦାର, ଏଆରଟିଓ, ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ତିରିଂ ବ୍ଲକ୍ ବଡ଼ଡ଼ାଳିମା ସରପଞ୍ଚ ରାମେଶ୍ବର ପୂର୍ତ୍ତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଯାଇ ମୃତକଙ୍କ ଆତ୍ମୀୟଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ା ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଥାନାକୁ ନିଆଯାଇଛି।
Comments ସମସ୍ତ ମତାମତ 0