ମୁଖ୍ୟ ଖବର
କଫ୍ ସିରପ୍ ବିକ୍ରି ଉପରେ କଠୋର କଟକଣା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନିୟମ ଲାଗୁ ହେବା ପରେ ଔଷଧ ଦୋକାନ ଗୁଡ଼ିକରେ ଆଉ ଅବାଧରେ ବିକ୍ରି ହୋଇପାରିବନି କଫ୍ ସିରପ୍ । ତାମିଲନାଡୁର ଏକ ନିର୍ଦ୍ଦିଷ୍ଟ କମ୍ପାନି ପ୍ରସ୍ତୁତ କଫ୍ ସିରପ୍ 'କୋଲଡ୍ରିଫ' ଖାଇବା ପରେ ମହାରାଷ୍ଟ୍ର ଓ ରାଜସ୍ଥାନରେ ବହୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏପରିକି ଅନେକଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଗଲା । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଥିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ତେଣୁ ବିନା ଡାକ୍ତରୀ ପ୍ରେସକ୍ରିପନରେ କଫ୍ ସିରପ୍ ଖାଇବା ବିପଦଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏପରି ସମୟରେ କଫ୍ ସିରପକୁ ନେଇ କଠୋର କଟକଣା ଆଣୁଛନ୍ତି କେନ୍ଦ୍ର ସରକାର ।ଦେଶରେ ପ୍ରଚଳିତ ୧୯୪୫ ଡ୍ରଗ୍ସ କୋର୍ଡରେ ସଂଶୋଧନ ପ୍ରସ୍ତାବ ଆଣିବେ ସରକାର । ପ୍ରଚଳିତ ନିୟମରେ ସିଡ୍ୟୁଲ 'କେ'ରୁ କଫ ସିରପକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଛି ସ୍ଵାସ୍ଥ୍ୟ ମନ୍ତ୍ରାଳୟ । ଏହା ଉପରେ ୩୦ ଦିନ ମଧ୍ୟରେ ସମସ୍ତଙ୍କ ମତାମତ ସଂଗ୍ରହ କରାଯାଇଛି । ଏହି ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର 'ଡ୍ରଗ୍ସ ସଂଶୋଧନ ନିୟମ' ଆକାରରେ ଉପସ୍ଥାପନ କରିବେ । ବିଜ୍ଞପ୍ତି ପ୍ରକାଶ ପାଇବା ଦିନରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ।
କାର୍ଯ୍ୟକାରୀ ନୂଆ ନିୟମ ଅନୁସାରେ ଔଷଧ ଦୋକାନରେ ଆଉ ଅବାଧରେ ବିକ୍ରି ହେବନି କଫ୍ ସିରପ୍ । ଫଳରେ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦେଖି କଫ୍ ସିରପ୍ ବିକିବେ ଔଷଧ ଦୋକାନୀ । ଲୋକମାନେ ଆଉ ମନଇଛା ଔଷଧ ଦୋକାନରୁ କଫ୍ ସିରପ୍ କିଣି ଆଣି ଖାଇପାରିବେନି । ଏହିପରି ହେବା ଦ୍ଵାରା ରୋଗୀଙ୍କ ଦେହକୁ ଅନାବଶ୍ୟକ ଷ୍ଟେରଏଡ ପ୍ରବେଶ କରିବ ନାହିଁ । ଯାହା ରୋଗୀ କିମ୍ବା ଶିଶୁଙ୍କ ସ୍ଵାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସହାର୍ଯ୍ୟ କରିବ ।
କିଛି କଫ୍ ସିରପରେ ଓଭରଡୋଜ୍ ଥାଏ ଯେପରି କୋଡିନ୍, ଡେକ୍ସଟ୍ରୋମେଥୋର୍ଫାନ୍, କିମ୍ବା ପ୍ରୋମେଥାଜିନ୍ ଭଳି ଓପିଓଏଡ୍ ସାମଗ୍ରୀ ଥାଏ । ଆଉ ଏହି ଓଭରଡୋଜ୍ କଫ୍ ସିରପ୍ ଶରୀରକୁ ପ୍ରବେଶ କରିବା ଦ୍ଵାରା ଶ୍ୱାସକ୍ରିୟା ବନ୍ଦ, କୋମା କିମ୍ବା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଖାଲି ସେତିକି ନୁହେଁ କୋରେକ୍ସ, ଫେନସେଡିଲ୍ ଏବଂ କୋଡିଷ୍ଟାର ଭଳି କୋଡିନ୍ ଯୁକ୍ତ କାଶ ସିରପ୍ ନିଶା ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ । ଯେଉଁ ବ୍ୟକ୍ତିମାନେ ଅଧିକ ଦିନ ଧରି ଏହି ସିରପକୁ ବ୍ୟବହାର କରନ୍ତି ସେମାନେ ଶାରୀରିକ ଏବଂ ମାନସିକ ଭାବରେ ଏକ ପ୍ରକାରର ନିଶାରେ ପଡ଼ିଥାନ୍ତି ।
ଏହାସହ ପିଲାମାନଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ମଧ୍ୟ । ୧୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୋଡିନ୍ କିମ୍ବା DXM ଯୁକ୍ତ କାଶ ସିରପ୍ ଦିଆଯିବା ଉଚିତ୍ ନୁହେଁ । ଯଦି ପିଲାଙ୍କୁ ଏହା ଦିଆଯାଏ ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ । କଫ୍ ସିରପ୍ କେତେକ ସମୟରେ ନିଦ, ମୁଣ୍ଡ ବୁଲାଇବା, ପାଟି ଶୁଖିବା, ଝାପ୍ସା ଦେଖାଯିବା, ହାର୍ଟବିଟ୍ ବଢ଼ିବା, ଆଲର୍ଜି ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।
Comments ସମସ୍ତ ମତାମତ 0