ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ଶୀଘ୍ର କୋଲକାତା-ଗୌହାଟି ମଧ୍ୟରେ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ହାଓଡ଼ା ଏବଂ ଆସାମର ଗୌହାଟି ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଭଡ଼ା ବିମାନ ଯାତ୍ରା ତୁଳନାରେ ଯଥେଷ୍ଟ କମ୍ ରହିବ ।
ଦିଲ୍ଲୀର ରେଲ୍ ଭବନରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଏହି ସେବାଗୁଡ଼ିକ ଆସନ୍ତା 15-20 ଦିନ ମଧ୍ୟରେ ଆରମ୍ଭ ହେବ, ସମ୍ଭବତଃ ଜାନୁଆରୀ 18 କିମ୍ବା 19 ତାରିଖ ପାଖାପାଖି । ସେ କହିଛନ୍ତି, 'ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ଏବଂ ସବୁକିଛି ସ୍ପଷ୍ଟ । ମୁଁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ତାରିଖ ଘୋଷଣା କରିବି ।"
ରେଳମନ୍ତ୍ରୀ କହିଛନ୍ତି ଯେ, "ଗୌହାଟୀ-ହାୱଡା ବିମାନ ଭଡ଼ା ପ୍ରାୟ ₹6,000ରୁ ₹8,000 ହେବ । ଏହା ତୁଳନାରେ ଭୋଜନ ସମେତ ତୃତୀୟ ଏସି ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ପ୍ରାୟ ₹2,300, ଦ୍ୱିତୀୟ ଏସି ପାଇଁ ପ୍ରାୟ ₹3,000 ଏବଂ ପ୍ରଥମ ଏସି ପାଇଁ ପ୍ରାୟ ₹3,600 ହେବ । ମଧ୍ୟବିତ୍ତ ବର୍ଗଙ୍କୁ ଧ୍ୟାନରେ ରଖି ଏହି ଭଡ଼ା ସ୍ଥିର କରାଯାଇଛି ।
ଏହା ଉଲ୍ଲେଖନୀୟ ଯେ, ଏହି ବର୍ଷ ଆସାମ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେ କହିଛନ୍ତି, "ବହୁତ ଦିନ ଧରି ନୂତନ ପିଢ଼ିର ଟ୍ରେନ୍ ପାଇଁ ଦାବି ହୋଇଆସୁଛି । ବନ୍ଦେ ଭାରତ ଚେୟାର କାର ଭାରତୀୟ ରେଳବାଇ ପାଇଁ ଏକ ନୂତନ ଯୁଗର ଆରମ୍ଭ କରିଛି । ଲୋକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି । ଦେଶର ପ୍ରତ୍ୟେକ କୋଣରୁ ବନ୍ଦେ ଭାରତ ଟ୍ରେନ୍ ପାଇଁ ଦାବି ହେଉଛି ।" ମନ୍ତ୍ରୀ କହିଛନ୍ତି, "ବନ୍ଦେ ଭାରତ ସ୍ଲିପର ଟ୍ରେନ୍କୁ 1000 କିଲୋମିଟରରୁ ଅଧିକ ଦୂରତା ଯାତ୍ରାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏହି ଟ୍ରେନ୍ ଦୂର ଯାତ୍ରୀମାନଙ୍କୁ ଏକ ଦ୍ରୁତ, ଆରାମଦାୟକ ଏବଂ ଆଧୁନିକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ । ବନ୍ଦେ ଭାରତ ସ୍ଲିପର୍ରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ, ଉନ୍ନତ ସସପେନସନ୍ ସିଷ୍ଟମ୍ ଏବଂ ବିଶ୍ୱସ୍ତରୀୟ ସ୍ଲିପର କୋଚ୍ ଅଛି, ଯାହା ରାତ୍ରୀ ଯାତ୍ରାକୁ ଅଧିକ ଆରାମଦାୟକ କରିବ ।"
Comments ସମସ୍ତ ମତାମତ 0