ମୁଖ୍ୟ ଖବର
ପୁରୀ: ନବବର୍ଷର ୨୦୨୬ ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀମନ୍ଦିରରେ । ବର୍ଷ ଆରମ୍ଭର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ରାତ୍ର ୨ ଟା ରୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ହ୍ୟୁମାନ ଚେନ୍ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଉଛି। ସେହିପରି ବଗଲା ଧର୍ମଶାଳା ଠାରୁ ବ୍ୟାରିକେଡ଼ ଭିତରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ପ୍ରବେଶ କରି ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି । ଅନ୍ୟ ତିନି ଦ୍ବାର ପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୋଲିସଙ୍କ ସହଯୋଗରେ ଅତି ସୁନ୍ଦର ଭାବେ ମହାପ୍ରଭୁଙ୍କ ଦର୍ଶନ କରି ଆନନ୍ଦିତ ହୋଇଛନ୍ତି ଶ୍ରଦ୍ଧାଳୁ।
ଶ୍ରୀମନ୍ଦିରରେ ନବବର୍ଷର ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ଦର୍ଶନ ମଧ୍ୟ ଅନୁଷ୍ଠିତ ହୋଇଛି । ଶୃଙ୍ଖଳିତ ଦର୍ଶନ ନିମନ୍ତେ ବଡ଼ଦାଣ୍ଡର ବଗଲା ଧର୍ମଶାଳା ନିକଟରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ବ୍ୟାରିକେଡ଼ ଦେଇ ସିଂହଦ୍ଵାରରେ ପ୍ରବେଶ କରି ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରୁଛନ୍ତି । ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ କେବଳ ସିଂହଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି । ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୨ଟା ରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବା ପରେ ମହାପ୍ରଭୁଙ୍କର ଦର୍ଶନ ଆରମ୍ଭ ହୋଇଥିଲା । ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧୧ ଟାରେ ରାତ୍ର ପହୁଡ଼ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ରାତି ୧୧ ଟା ଯାଏଁ ଦର୍ଶନ କରିପାରିବେ । ୨୦୨୬ ନବବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରି ନିଜ ପରିବାର ଓ ବନ୍ଧୁମାନଙ୍କ ପାଇଁ ସୁଖସମୃଦ୍ଧି କାମନା କରିଥିଲେ ।
ନବବର୍ଷ ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଛି । ଏଣୁ ଶୃଙ୍ଖଳିତ ଦର୍ଶନ ଏବଂ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ଶ୍ରୀମନ୍ଦିର ସମେତ ପୁରୀ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ମୋଟ ୩୪୪ ଟି ସିସିଟିଭି କ୍ୟାମେରା ଲଗାଯାଇ ସମ୍ପୂର୍ଣ୍ଣ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ମୁତୟନ କରାଯାଇଛି । ସେହିପରି ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ନିକଟରେ ପାନୀୟ ଜଳ, ଫ୍ୟାନ୍ ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ତେବେ ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ ଭାବରେ ଚାଲିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ଶୃଙ୍ଖଳିତ ଭାବେ ଜାରି ରହିଛି । ଭକ୍ତମାନେ ଧର୍ୟ୍ୟହରା ନହୋଇ ପ୍ରଶାସନର ସମସ୍ତ ନିୟମ କଟକଣାକୁ ମାନି ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଏସପି ଭକ୍ତଙ୍କୁ ଅନୁରୋଧ କରିଛନ୍ତି।
Comments ସମସ୍ତ ମତାମତ 0