Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ସ୍ୱାଧୀନ ଭାରତରେ ନାରୀ

    Share on :
    ajab-Image
    Date: Jun 5, 2022    Views: 4041

    ସ୍ୱାଧୀନତାର ସହ ଭୂପୃଷ୍ଠରେ ବଞ୍ଚିବା ସମସ୍ତଙ୍କର ଇଚ୍ଛା । କେହି ପରାଧିନ ଜୀବନ ଇଚ୍ଛା କରେ ନାହିଁ । ପଶୁ ଟିଏ ହେଲେ ମଧ୍ୟ ତାକୁ ବନ୍ଧାହୋଇ ରହିବାକୁ କଷ୍ଟ ହୋଇଥାଏ । ପକ୍ଷୀଟିଏ ହେଲେ ମଧ୍ୟ ପିଞ୍ଜରାରେ ରହିବାକୁ ଭଲ ଲାଗେନି । ନିଜ ଅଧିନରେ ରହି ଜୀବନ ଜାପନ କରିବାକୁ ସମସ୍ତଙ୍କର ଇଚ୍ଛା । ମଣିଷ ତ’ ଶ୍ରେଷ୍ଠ ଜୀବ । ତା’ର ବୁଦ୍ଧି ବିବେକ ଅଛି, ବିଚାର ଶକ୍ତି ଅଛି । ମଣିଷର ଦୁଇଟି ରୂପ, ନାରୀ ଓ ପୁରୁଷ । ଶରୀରର ଗଠନ ପ୍ରଣାଳୀ ସିନା ଭିନ୍ନ କିନ୍ତୁ ମନ, ବୁଦ୍ଧି, ବିବେକ ସବୁ ଏକ ପ୍ରକାର । ଉଭୟଙ୍କ ମଧ୍ୟରେ ଆତ୍ମା ଏକ ପ୍ରକାର । ଲିଙ୍ଗଭେଦରେ ଆତ୍ମା ଭିନ୍ନ ନୁହଁ । ହେଲେ ନାରୀର ପୁରୁଷ ପ୍ରତି ସ୍ୱାଧିନତା ନାହିଁ । ନାରୀ ପୁରୁଷର ସହଧର୍ମିଣୀ, ସହକର୍ମିଣୀ, ସହଚାରିଣୀ ।   ପୁରୁଷର ସୁଖଦୁଃଖରେ ସହଭାଗିନୀ । ନାରୀର ସହଯୋଗ ବିନା ପୁରୁଷର ଦୃତ ଉନ୍ନତି କଷ୍ଟକର କିନ୍ତୁ ସାମାଜିକ ରୀତିନୀତି ଏପରି ହୋଇ ଆସିଛି ନାରୀ ପୁରୁଷ ସହିତ ସମାନ ଅଧିକାର ପାଇନାହିଁ । କେବଳ ସେବା ସହିଷ୍ଣୁତା ତାର ଧର୍ମ । ଅଧିକାଂଶ ସ୍ତ୍ରୀଲୋକ ଘରର କୌଣସି କଥାରେ ଖୋଲା ମତାମତ ଦେବାର ଅଧିକାର ମଧ୍ୟ ମିଳେ ନାହିଁ । 

    ପୁରାତନ କାଳରେ ତ ଅବସ୍ଥା ଅତି ଶୋଚନୀୟ ଥିଲା । ଜାତିର ପିତା ମହାତ୍ମା ଗାନ୍ଧୀ ନାରୀ ପୁରୁଷଙ୍କୁ ଗୋଟିଏ ପକ୍ଷୀର ଦୁଇଟି ଡେ଼ଣା ବୋଲି ଅନୁଭବ କରି ସେମାନଙ୍କର ସ୍ୱାଧୀନତା ଜୀବନ ଚାହିଁଥିଲେ । ଓଡ଼ିଶାରେ ଉକôଳ ଗୌରବ ମଧୁସୂଦନ ଦାସ ନାରୀ ଶିକ୍ଷାରେ ଜାଗରଣ ଆରମ୍ଭ କରିଥିଲେ । ତାଙ୍କରି ଆର୍ଶିବାଦର ଫଳ ସ୍ୱରୂପ ଆଜି ଶୈଳବାଳା ମହିଳା ମହାବିଦ୍ୟାଳୟ ସହସ୍ରାଧିକ ଯୋଗ୍ୟ ଛାତ୍ରୀ ପ୍ରତିବର୍ଷ ପଢ଼ି ଚାଲିଛନ୍ତି । ସେହିପରି ଅନେକ ମହିଳା ମହାବିଦ୍ୟାଳୟ ହୋଇସାରିଛି । ବେଦ ଉପନିଷଦ ଯୁଗରେ ଅନେକ ନାରୀ ଋଷି ଥିଲେ । ଅର୍ଥାତ ସେମାନେ ମନ୍ତ୍ରଦ୍ରଷ୍ଠା ଥିଲେ । ନାରୀମାନେ ଗୃହସ୍ଥାଶ୍ରମ କରୁଥିଲେ ଏବଂ ବ୍ରହ୍ମପରାୟଣ ମଧ୍ୟ ଥିଲେ । ବିଦ୍ୟାଅଧ୍ୟୟନ, ଶାସ୍ତ୍ରାର୍ଥ କରିବା, ପତି ମନୋନୀତ କରିବା ସ୍ୱାଧିନତା ଥିଲା । ବେଦ ପ୍ରବଚନ ଦେବା, ସଭା ସମିତି ଯିବା, ବ୍ରହ୍ମ ଉପଦେଶ ଦେବାରେ ମଧ୍ୟ ସ୍ୱାଧୀନତା ଥିଲା । ସେମାନେ ଉପାଧ୍ୟାୟୀ, ଉପାଧ୍ୟାୟା ଥିଲେ । 

    ମୋଗଲ ଶାସନ ସମୟରେ ଓ ତା’ ର ପରବର୍ତ୍ତିସମୟରେ ନାରୀ ସ୍ୱାଧିନତା ଧୀରେ ଧୀରେ ହ୍ରାସ ପାଇଲା । କିନ୍ତୁ ଏ ବିଷୟରେ ଚର୍ଚ୍ଚା, ଉପଲବଧି, କିଛି  ସୁବିଧା ସୁଯୋଗ ଦେବା ସର୍ବଦା ଲାଗି ରହିଛି । ଏବେ ତ କାଗଜପତ୍ରରେ ନାରୀମାନଙ୍କ ସୁବିଧା ପାଇଁ ଅନେକ ନିୟମ ଧାର୍ଯ୍ୟ କରାଯାଇଛି । କିନ୍ତୁ ବାସ୍ତବ କ୍ଷେତ୍ରରେ କାହିଁକି କେଜାଣି ନାରୀର ଆଗେଇବା ପାଦରେ ସବୁବେଳେ ବେଢି । ପ୍ରତି କ୍ଷେତ୍ରରେ ବାଧାବିଘ୍ନ ।

    ମଧୁବାବୁଙ୍କର ନାରୀ ଶିକ୍ଷାର ଜାଗରଣ,ଗାନ୍ଧୀଙ୍କର ନାରୀ ଜାଗରଣ ପରେ  ପୁଣି ଏ ଅସୁବିଧା କାହିଁକି ? ଏହାର କାରଣ ହେଲା ନାରୀ ପ୍ରତି ପୁରୁଷର ଦୃଷ୍ଟିକୋଣ, ସମାଜର ଦୃଷ୍ଟିକୋଣ ଆହୁରି ଅନେକ ପରିବର୍ତ୍ତନ ହେବାକୁ ବାକି ଅଛି । ଅନେକ ସହୃଦୟ ବ୍ୟକ୍ତି ନାରୀମାନଙ୍କର ସମସ୍ୟାକୁ ଅନୁଭବ କରୁଛନ୍ତି । କିନ୍ତୁ ସେପରି ବ୍ୟକ୍ତିଙ୍କ ସଂଖ୍ୟା କମ୍ ।ନାରୀର ସ୍ୱାଧିନତା ଗୃହ ପରିସରରୁ ଆରମ୍ଭ ହେଉ । ସେ ମନ ଖୋଲି ତାହାର ନିର୍ଭୀକ ମତାମତ  ଦେଇପାରୁ । ଉତ୍ତର ଆଚରଣଶାଳିନୀ ମା’ର ସନ୍ତାନ ଉତ୍ତମ ହୋଇଥାଏ । ସେ ଘରେ ସ୍ୱାଧିନ ହେବାର ମର୍ଯ୍ୟଦା  ପାଉ  । ତା’ ପରେ ବାହାରେ ସ୍ୱାଧୀନ ହେବ । ପୁରୁଷ ସମାଜ ତାଙ୍କର ଦୃଷ୍ଟିକୋଣକୁ ବଦଳାଇ ଅନୁଭବ କରନ୍ତୁ  । ନାରୀ ଆମ ସହ ସମାନ,ଆମ ସେବା କରିବା ସଂଙ୍ଗେ ସଂଙ୍ଗେ ସେ ଆହୁରି  ଅନେକ ବଡ ବଡ କାମ ଏ ଘର ପାଇଁ କରିପାରିବ । ନିଜ ପିତା, ମାତା , ଭାଇ, ଭଉଣୀଙ୍କର ଯେପରି ସମ୍ମାନ, ସ୍ତ୍ରୀର ମଧ୍ୟ ସେହିପରି ସମ୍ମାନ, ସେହିପରି ଅଧିକାର । 
    ବେଳେ ବେଳେ ଦେଖାଯାଉଛି, ନାରୀ ତା’ର ସ୍ୱାଧୀନତାର ଅପବ୍ୟବହାର ମଧ୍ୟ କରୁଛି । ସ୍ୱାଧୀନତାର ଅର୍ଥ ଉଚ୍ଛୁଙ୍ଖଳତା ନୁହେଁ । ନିଜେ ନିଜେ ବିବେକ ଅନୁଯାୟୀ ଶୃଙ୍ଖଳିତ, ମାର୍ଜିତ, ରୁଚିସମ୍ପନ୍ନ ଜୀବନ ନିର୍ବାହ କରିବା ଉଚିତ । ନିର୍ଯ୍ୟତନାରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ମାନେ ନୁହେଁ ଯେ ଆମେ ଇଚ୍ଛା ଅନୁସାରେ ଚଳିବା । ଆମେ ସ୍ୱାଧୀନ ମନୋବୃତ୍ତି ଦେଇ ମୁକ୍ତ ହୋଇ ଚଳିବା । କିନ୍ତୁ ଆମର ଚାଲିବା, ହସିବା, କଥା କହିବା, ଚାହିଁବା ସବୁଥିରେ ମାର୍ଜିତ ରୁଚି ରହିବ । ଯାହାକି ଆମକୁ ଦେବୀର ସମ୍ମାନ ଦେବ ।  ସେଇ ହେବ ସ୍ୱାଧୀନତାର ପ୍ରକୃତ ସମ୍ମାନ । କେତେକ କ୍ଷେତ୍ରରେ ଦେଖାଯାଏ, ପୁରୁଷର ମନ ଉଦାର । ନାରୀମାନେ ନାରୀଙ୍କର ଶତ୍ରୁ ହୁଅନ୍ତି । 

    ବର୍ତ୍ତମାନ ପରିପ୍ରେକ୍ଷୀରେ ନାରୀମାନେ ନିୟମିତଃ ପ୍ରତି କ୍ଷେତ୍ରରେ ସ୍ୱାଧୀନତା ଲାଭ କରିଛନ୍ତି । ନିଜ ପାଇଁ ଓ ଦେଶ ପାଇଁ ଅନେକ କିଛି କରିପାରିଛନ୍ତି । ସମୟଥିଲା ଯେତେବେଳେ ଝିଅ ବୋହୂମାନେ ଘରୁ ବାହାରକୁ ଯାଇପାରୁ ନଥିଲେ ସେତେବେଳେ ଆମର ବରେଣ୍ୟା ଉକôଳ କନ୍ୟା ମା’ ରମାଦେବୀ, ମାଳତୀ ଚୌଧୁରୀ ଇତ୍ୟାଦି ଅନେକ ମଙ୍ଗଳକର କାର୍ଯ୍ୟ କରି ଯାଇଛନ୍ତି । ଭବିଷ୍ୟତକୁ ଆମ ପାଇଁ ମାର୍ଗ ଉନ୍ମୁକ୍ତ କରି ଦେଇଛନ୍ତି । ଶଙ୍କଟାପନ୍ନ କାଳରେ ସେମାନେ କଷ୍ଟ ସହି ଅନେକ କାର୍ଯ୍ୟ କରି ଯାଇଥିବାରୁ, ସେମାନେ ଆମର ନମସ୍ୟା । ସେମାନଙ୍କୁ ବତୀଖୁଣ୍ଟ କରି ଆଜିର ନାରୀ ଆଗେଇ ଚାଲିଛନ୍ତି ।  

    Maximum 500 characters

    ଆମ ସମସ୍ୟା View all

    Find Us on Facebook