ମସକଟ୍: ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭରୁ ଦମ୍ ଦେଖାଇଛି ସ୍କଟଲାଣ୍ଡ । ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଶକ୍ତିଶାଳୀ ବାଂଲାଦେଶକୁ ୬ ରନରେ ପରାସ୍ତ କରିଛି । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ୭ ୱିକେଟ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା । ସ୍କଟଲାଣ୍ଡକୁ ବିଜୟୀ କରିବାରେ ହିରୋ ସାଜିଥିଲେ କ୍ରିସ ଗ୍ରୋଭସ ।
ଟି-୨୦ ବିଶ୍ବକପ୍ର ଦ୍ବିତୀୟ ମ୍ୟାଚ୍ ବାଂଲାଦେଶ ଓ ସ୍କଟ୍ଲାଣ୍ଡ ମଧ୍ୟରେ ହୋଇଥିଲା । ଗ୍ରୁପ୍ ବି'ର ଏହି ଦ୍ବିତୀୟ ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ କ୍ୟାପଟେନ ମହମ୍ମୁଦୁଲ୍ଲା ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ୍ ସଂଗ୍ରହ କରିଥିଲା । ବାଂଲାଦେଶ ସାମ୍ନାରେ ୧୪୧ ରନର୍ ବିଜୟ ଲକ୍ଷ୍ୟ ରହିଥିଲା ।
୧୪୧ରନ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲେ ବାଂଲାଦେଶ ଟିମ । ମାତ୍ର ୧୮ ରନରେ ଦୁଇ ଓପନର ସୌମ୍ୟ ସରକାର ଓ ଲିଟନ ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ସାକିବ ଓ ମୁସଫିକର ସଂଘର୍ଷ କରିଥିଲେ । ସ୍କଟଲାଣ୍ଡ ବୋଲରମାନେ ମାପିଚୁପି ବୋଲିଂ କରିଥିଲେ । ଫଳରେ ବାଂଲାଦେଶ ରନ ଗତି ଧିମା ହୋଇଥିଲା । ୪୭ ରନ ବେଳକୁ ୨୦ ରନ କରି ଆଉଟ ହୋଇଥିଲେ ସାକିବ । ପରେ ପରେ ମୁସଫିକର ପାଭିଲିୟନ ଫେରିଥିଲେ । ଶେଷ ୩ ଓଭରରେ ବିଜୟ ପାଇଁ ୩୭ ରନ ଦରକାର ଥିଲା । ମାର୍କ ୱାଟ ସେଟ ସବୁ ଓଲଟପାଲଟ କରି ଦେଇଥିଲେ । ୧୮ ଓଭରର ତୃତୀୟ ବଲରେ ଅଫିପଙ୍କୁ ଆଉଟ କରିଥିଲେ । ପର ଓଭରରେ ବ୍ରାଡ ହ୍ବିଲ ଦୁଇଟି ୱିକେଟ ନେଇ ସ୍କଟଲାଣ୍ଡର ବିଜୟ ନିଶ୍ଚିନ୍ତ କରିଥିଲେ ।ବାଂଲାଦେଶ ପକ୍ଷରୁ ମେହେଦୀ ହସନ ସବୁଠୁ ସଫଳତମ ବୋଲର ହୋଇଛନ୍ତି । ୪ ଓଭର ବୋଲିଂ କରି ୧୯ ରନ୍ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି । ସାକିବ ଅଲ-ହସନ ଓ ମୁସ୍ତାଫିଜୁର ରେହମାନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟସକିନ ଅହମ୍ମଦ ଓ ସାଇଫୁଦ୍ଦିନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
Comments ସମସ୍ତ ମତାମତ