ମୁଖ୍ୟ ଖବର
ନୂଆଦିଲ୍ଲୀ: ଓଡ଼ିଶାରେ ଖଣି ଖନନ ନିୟମଗୁଡ଼ିକୁ ଉଲ୍ଲଂଘନ କରିଥିବା ଲିଜ୍ଧାରୀଙ୍କଠାରୁ ୨,୭୪୫ କୋଟି ଟଙ୍କାର କ୍ଷତିପୂରଣ ଆଦାୟ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲିଜ୍ଧାରୀମାନେ ଯେପରି ସରକାରୀ ରାଜସ୍ବ ଫାଙ୍କି ନ ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଅଗୁଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡ୍ଭୋକେଟ ଜେନେରାଲ (ଏଜି) ପୀତାମ୍ବର ଆଚାର୍ୟ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାରେ ବେଆଇନ ଖଣି ଖନନ ନେଇ ଇିଜ୍ଧାରୀଙ୍କଠାରୁ ୨,୭୪୫ କୋଟି ଟଙ୍କାର କ୍ଷତିପୂରଣ ଆଦାୟ କରିବାକୁ ୨୦୧୭ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ ରାଜ୍ୟ କର୍ତ୍ତୃପକ୍ଷ ଓ ଲିଜ୍ଧାରୀଙ୍କ ସୁଲାସୁତୁରା ଯୋଗୁ ଏହି ଅର୍ଥ ଆଦାୟ ହୋଇପାରି ନ ଥିବା ଦର୍ଶାଇ ଏନ୍ଜିଓ କମନ୍ କଜ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ଖଣି କମ୍ପାନୀଗୁଡ଼ିକଠାରୁ ରାଜ୍ୟ ସରକାର ବହୁ କୋଟି ଟଙ୍କାର ବକେୟା ଆଦାୟ କରନ୍ତୁ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ଅନେକ ରାୟ ପ୍ରକାଶ କରିଛନ୍ତି। ତେବେ ଖଣି ଖନନକାରୀ ସଂସ୍ଥାଗୁଡ଼ିକ ଟାଳଟୁଳ ନୀତି ଆପଣାଇଥିବା ସମ୍ପର୍କରେ ରାଜ୍ୟ ସରକାର ନିକଟରେ ଏନେଇ ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟରୁ ପ୍ରଘଟ ହୋଇଛି। ୨୦୧୭ ଡିସେମ୍ବର ୩୧ ସୁଦ୍ଧା ୨,୭୪୫ କୋଟି ଟଙ୍କାର ବକେୟା (ସୁଧକୁ ବାଦ୍ ଦେଇ) ପଇଠ ହୋଇଯିବା ଉଚିତ ଥିଲା। ସୁଧକୁ ମିଶାଇଲେ ଏହା ପ୍ରାୟ ଦୁଇଗୁଣା ହୋଇଯିବ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ଅନ୍ୟପକ୍ଷେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଅନ୍ୟମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଆଡଭୋକେଟ ଜେନେରାଲ ଖଣ୍ଡପୀଠଙ୍କୁ ସମୟ ମାଗିଛନ୍ତି। ଯାହା ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ, ସେସବୁ ନିଆଯିବ ବୋଲି ଏଜି କହିଛନ୍ତି। ତେବେ ଖିଲାପକାରୀଙ୍କଠାରୁ ବକେୟା ଆଦାୟ ନେଇ ବ୍ୟକ୍ତିଗତ ଭାବେ ଏଜି ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଥିବା ଖଣ୍ଡପୀଠ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର ଖିଲାପକାରୀ ଲିଜ୍ଧାରୀଙ୍କଠାରୁ ବକେୟା ଆଦାୟ ନେଇ ଯେଉଁ ପଦ୍ଧତି ଆପଣାଇଛନ୍ତି ତାକୁ ନେଇ ଆମେ ଅସନ୍ତୁଷ୍ଟ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ଉପରେ ଡିସେମ୍ବର ୧ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ୮ ସପ୍ତାହ ପରେ ଅର୍ଥାତ୍ ଡିସେମ୍ବର ୩ରେ ପରବର୍ତ୍ତୀ ଶୁଣାଣି କରାଯିବ।
Comments ସମସ୍ତ ମତାମତ