Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସନ୍ତାକାଲି ସନ୍ଧ୍ୟାରେ ପାଖରୁ ଦେଖାଯିବେ ବୃହସ୍ପତି ଓ ଶୁକ୍ର

    Share on :
    ajab-Image
    Date: Jun 8, 2026    Views: 2758

    ନୂଆଦିଲ୍ଲୀ: ଜୁନ୍ ୯, ୨୦୨୬ରେ ସନ୍ଧ୍ୟା ଆକାଶରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ । ଏହି ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଘଟଣା ମଧ୍ୟରୁ ଗୋଟିଏ ଦେଖିବାର ସୁଯୋଗ ଆସୁଛି । ଜ୍ୟାତିର୍ବିଦମାନେ ଏହାକୁ ଏକ ଗ୍ରହ ସଂଯୋଗ ଭାବରେ ଉଲ୍ଲେଖ କରନ୍ତି । ପଶ୍ଚିମ ଆକାଶରେ ସୂର୍ୟ୍ୟାସ୍ତ ପରେ ଏହି ସଂଯୋଗ ଦୃଶ୍ୟମାନ ହେବ । ପୃଥିବୀରୁ ଦୃଶ୍ୟମାନ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ସୌରମଣ୍ଡଳର ସର୍ବବୃହତ୍ ଗ୍ରହ ବୃହସ୍ପତି କେବଳ ୧.୫ ଡିଗ୍ରୀ ପୃଥକରେ ଦେଖାଯିବେ । ଅର୍ଥାତ୍ ଗ୍ରହ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ବ୍ୟାସର ୩ ଗୁଣ ଆକାରର ଅଞ୍ଚଳ ଭିତରେ ଦେଖାଯିବେ । ସୂର୍ୟ୍ୟାସ୍ତ ପରେ ପ୍ରାୟ ଏକରୁ ଦୁଇ ଘଣ୍ଟା ପର୍ୟ୍ୟନ୍ତ ଏହି ଯୋଡ଼ି ଦୃଶ୍ୟମାନ ରହିବ । ୮-୯ ତାରିଖ ରାତିରେ ପୂରା ପାଖାପାଖି ଦେଖାଯିବେ । ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତି ଠାରୁ ଦୂରରେ ଦେଖାଯିବ । ଗ୍ରହ ଦୁଇଟି ମହାକାଶରେ ପରସ୍ପର ନିକଟରେ ଦେଖାଗଲେ ମଧ୍ୟ ସେମାନେ ଆମଠାରୁ ସମାନ ଦୂରତାରେ ନାହାଁନ୍ତି । ଶୁକ୍ର ସୂର୍ୟ୍ୟ ଠାରୁ ପ୍ରାୟ ୧୧ କୋଟି କିଲୋମିଟର ଦୂରରେ ଥିଲାବେଳେ ବୃହସ୍ପତି ପ୍ରାୟ ୭୮ କୋଟି କିଲୋମିଟର ଦୂରରେ ସୂର୍ୟ୍ୟ ପରିକ୍ରମା କରେ । ଏପରି ଦେଖାଯିବାର କାରଣ ଏବେ ପୃଥିବୀ, ଶୁକ୍ର ଓ ବୃହସ୍ପତି ପ୍ରାୟ ଏକ ସରଳ ରେଖାରେ ଏବଂ ଶୁକ୍ର ପଛରେ ବୃହସ୍ପତି ରହିଛି । ଶୁକ୍ର-ବୃହସ୍ପତି ସଂଯୋଗ ଗତ ୧ ମାର୍ଚ୍ଚ ୨୦୨୩ରେ ହୋଇଥିଲା । ପରବର୍ତ୍ତୀ ସଂଯୋଗ ୨୬ ଅଗଷ୍ଟ, ୨୦୨୭ ସନ୍ଧ୍ୟା ଆକାଶରେ ଦେଖାଯିବ ।

    ​​​​​​ଶୁକ୍ର ଏବଂ ବୃହସ୍ପତି- ଆକାଶର ଦୁଇଟି ଉଜ୍ଜ୍ୱଳ ଗ୍ରହ- ସୂର୍ୟ୍ୟାସ୍ତ ପରେ ପଶ୍ଚିମରେ ଏକାଠି ଝଲସୁଛନ୍ତି । ସେମାନେ ଜୁନ୍ ୮ ଏବଂ ୯ରେ ନିକଟତମ ହେବେ । ପଶ୍ଚିମ ଦିଗବଳୟ ମେଘମୁକ୍ତ ଥିଲେ ଓଡ଼ିଶା ଏବଂ ଭାରତର ସବୁ ସ୍ଥାନରେ ଏହି ଘଟଣା ଖାଲି ଆଖିରେ ସନ୍ଧ୍ୟା ୭:୦୦ରୁ ରାତି ୮:୦୦ ମଧ୍ୟରେ ଦେଖିହେବ । ଆଗାମୀ ଏକ ମାସ ଧରି ସନ୍ଧ୍ୟା ସମୟରେ ଉଜ୍ଜ୍ୱଳ ଶୁକ୍ର ଏବଂ ବୃହସ୍ପତି ଗ୍ରହ ଖାଲିଆଖିକୁ ଏକ ଚମତ୍କାର ଦୃଶ୍ୟ ପ୍ରଦାନ କରିବେ । ତେଣୁ ସୂର୍ୟ୍ୟାସ୍ତ ପରେ ବାହାରକୁ ଆସନ୍ତୁ, ଆକାଶରେ ସେହି ଉଜ୍ଜ୍ୱଳ, ସ୍ଥିର "ତାରା’ ଖୋଜି ଶୁକ୍ର ଏବଂ ବୃହସ୍ପତିକୁ ଉପଭୋଗ କରନ୍ତୁ- ମାନବ ଭାଗ୍ୟ ଗଠନ କରୁଥିବା ଏକ ଶକ୍ତି ଭାବରେ ନୁହେଁ, ବରଂ ମହାକାଶରେ ଝଲସୁଥିବା ପୃଥିବୀ ଭଳି ଆଉ ଏକ ଚମତ୍କାର "ବିଶ୍ୱ' ଭାବରେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook