Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏସଆଇ ପରୀକ୍ଷା କେଳେଙ୍କାରୀ: ଓପିଆରବି ଡିଏସପିଙ୍କୁ ସିବିଆଇର ସମନ

    Share on :
    ajab-Image
    Date: Dec 9, 2025    Views: 3058

     ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ତଦନ୍ତକୁ ସିବିଆଇ ଜୋରଦାର କରିଛି । ରାଜ୍ୟରୁ ରାଜ୍ୟବାହାର ପର୍ୟ୍ୟନ୍ତ ପଥର ଗୁମ୍ଫାରେ ଲୁଚି ରହିଥିବା ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିବା ପାଇଁ ଜାଲ ବିଛାଇଛି  । ଜଣେ ପରେ ଜଣେ ଦଲାଲ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ତଥ୍ୟ ଓଗାଳୁଛି  । ଅଭିଯୁକ୍ତମାନଙ୍କୁ ଜେରା ବେଳେ ସିବିଆଇ ହାତରେ ଆଖିଖୋସି ହୋଇଗଲା ଭଳି ତଥ୍ୟ ଲାଗିଛି  । ସିବିଆଇ ରିମାଣ୍ଡରେ ଥିବା ଅରବିନ୍ଦର ଦୁଇ ଦଲାଲ ନିମେଇଁ ସାହୁ ଓ ସ୍ପେଶାଲ ସିକୁ୍ୟରିଟି ଯବାନ ଅର୍ଜୁନ ନାୟକଙ୍କୁ ସିବିଆଇ ଗିରଫ କରିଛି  । ଅପରପକ୍ଷରେ ବିହାରରୁ ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ନବୀନ କୁମାରକୁ ସିବିଆଇ ଗିରଫ କରି ଅଧିକ ଜେରା ପାଇଁ ରିମାଣ୍ଡରେ ଆଣୁଥିବା ବେଳେ ଜେରା ବେଳେ ଅଧିକ ତଥ୍ୟ ହାସଲ କରିବ  । ଅପରପକ୍ଷରେ ରିମାଣ୍ଡରେ ଥିବା ଦଲାଲ ବିରଞ୍ଚିର ରିମାଣ୍ଡ ଅବଧି ସରିବା ପରେ ଜେଲ୍କୁ ପଠାଇ ଦିଆଯାଇଛି  । ତେବେ ଜେରା ବେଳେ ବିରଞ୍ଚି ବହୁ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି  । ବିଶାଖାପାଟଣା ମଡୁ୍ୟଲର ଗୁମାସ୍ତା ଧର୍ମେନ୍ଦ୍ର କ୍ରାଇମ୍ବ୍ରାଞ୍ଚ ଆଖିରେ ଧୂଳିଦେଇ ଫେରାର ରହିଛି  । ତେବେ ଧର୍ମେନ୍ଦ୍ର ଛତିଶଗଡ଼ରେ ଥିବା ସିବିଆଇ ଜାଣିବାକୁ ପାଇଥିବାବେଳେ ତାକୁ ବାନ୍ଧିବା ପାଇଁ ସିବିଆଇର ଏକ ବରିଷ୍ଠ ଟିମ୍ ସେଠାରେ ଡେରା ପକାଇ ଜାଲ ବିଛାଇଛନ୍ତି  । ବିରଞ୍ଚି ଜେରା ବେଳେ ଓଗାଳିଥିବା ତଥ୍ୟ ଅନୁଯାୟୀ ଧର୍ମେନ୍ଦ୍ର ଜଣେ ରାଜ୍ୟସଭା ସାଂସଦଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ  ।
    ସିବିଆଇର ଦକ୍ଷ ଓ ଅଭିଜ୍ଞ ଅଧିକାରୀଙ୍କୁ ନେଇ ଦିନ ରାତି କାମ କରୁଥିବା ସିବିଆଇ ଟିମ୍ ତଦନ୍ତକୁ ବ୍ୟାପକ କରିଛି  । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ, ଓପିଆରବିର ଜଣେ ଡିଏସପିଙ୍କୁ ସିବିଆଇ ସମନ କରିଛି  । ସୋମବାର ସୁଦ୍ଧା ସିବିଆଇରେ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି  । ଡିଏସପି ସିବିଆଇରେ ହାଜର ହେବା ପରେ ବହୁ  ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ  । କାରଣ ସଂପୃକ୍ତ ଡିଏସପି ଜଣକ ଜଣେ ମୁଖ୍ୟ କାର୍ପେଟାଦାର ବୋଲି କୁହାଯାଉଛି  । ତେଣେ ପୋଲିସ ଏସଆଇ ଚାକିରୀ ଗୋଟାକୁ ୨୦-୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୂଲଚାଲ ହୋଇଥିବା ବେଳେ ୫୦ ଜଣ ପରୀକ୍ଷାର୍ଥୀ ଅଗ୍ରୀମ ଦେଇସାରିଥିଲେ  । ୭ ଜଣ ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା ବେଳେ ସେମାନେ ସିବିଆଇ ଆଗରେ ସବୁ ସତ ଓଗାଳିଛନ୍ତି  । ତେଣେ ୬୦୦ ପରୀକ୍ଷାର୍ଥୀ ଦୀଘା ମଡୁ୍ୟଲ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା  । ସିବିଆଇ ରିମାଣ୍ଡରେ ଥିବା ଅରବିନ୍ଦର ଖାସ ସହଯୋଗୀ ଥିଲେ ନିମାଇଁ  । ନିମାଇଁକୁ ପିଲା ଯୋଗାଉଥିଲେ ଅର୍ଜୁନ  । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଡୁ୍ୟଟି କରୁଥିଲା ସ୍ପେଶିଆଲ ବାଟାଲିୟନ ଯବାନ ଅର୍ଜୁନ
    ଅପରପକ୍ଷରେ ବିହାରରୁ ବନ୍ଧା ହୋଇଥିବା ମାଷ୍ଟରମାଇଣ୍ଡ ନବୀନ କୁମାରକୁ ସିବିଆଇ ରିମାଣ୍ଡରେ ଆଣୁଛି । ବିହାର ମାଷ୍ଟରମାଇଣ୍ଡ ସିବିଆଇ ହେପାଜତକୁ ଆଣିବା ପରେ ବହୁ ଗୁମର ଖୋଲିବ ବୋଲି ମନେକରାଯାଉଛି  ।
    ଅପରପକ୍ଷରେ ବିଶାଖାପାଟଣା ମଡୁ୍ୟଲର ଗୁମାସ୍ତା ଅନ୍ୟ ଏକ ଚର୍ଚ୍ଚିତ ଚେହେରା ଧର୍ମେନ୍ଦ୍ରକୂ ସିବିଆଇ ଖୋଜୁଛି  । ସିବିଆଇ ରିମାଣ୍ଡରେ ଆସିଥିବା ବେଳେ ବିରଞ୍ଚି ଧର୍ମେନ୍ଦ୍ର ସଂପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଥିବା କୁହାଯାଉଛି  । ଧର୍ମେନ୍ଦ୍ର ବିଶାଖାପାଟଣା ମଡୁ୍ୟଲ ବୁଝୁଥିଲା  । ତେବେ ପୂର୍ବରୁ ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଆଖିରେ ଧୂଳିଦେଇ  ଫେରାର ରହିଥିଲା  । ଧର୍ମେନ୍ଦ୍ର ଏବେ ଛତିଶଗଡ଼ରେ ଲୁଚି ରହିଥିବା ଜଣାପଡ଼ିଛି  । ଧର୍ମେନ୍ଦ୍ରକୁ ଧରିବା  ପାଇଁ ସିବିଆଇର ଏକ ଟିମ୍ ଛତିଶଗଡ଼ରେ ଜାଲ ବିଛାଇଛି  । ବିରଞ୍ଚି  ଓଗାଳିଥିବା ତଥ୍ୟ ଅନୁଯାୟୀ ଧର୍ମେନ୍ଦ୍ର ଜଣେ ରାଜ୍ୟସଭା ସାଂସଦଙ୍କ ଅତ୍ୟନ୍ତ ଘନିଷ୍ଠ  । ସେ ଯାହାହେଉନା କାହିଁକି ପୋଲିସ ଏସଆଇ କେଳେଙ୍କାରୀର ତନାଘନା ଯେତେ ବଢୁଛି ଖୁବ୍ଶୀଘ୍ର ସିବିଆଇ ଜାଲରେ ବଡ଼ ବଡ଼ ମାଛ ପଡ଼ିବେ ବୋଲି ଜଣାଯାଉଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook