ପୁରୀ: ଆଜି କାର୍ତ୍ତିକମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି, ୪ଘଣ୍ଟା ଧରି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଆଜି ମହାପ୍ରଭୁଙ୍କ ବନକଲାଗି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ଏହି ଅବର୍ଣ୍ଣନୀୟ ବେଶ ଦେଖିବାକୁ ଭକ୍ତଙ୍କ ଭିଡ ଆଶଙ୍କାକୁ ଦୃଷ୍ଟିରେ ରଖି ଓ କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଘଣ୍ଟା ଧରି ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ କରାଯାଇଛି ।ଅପରାହ୍ନ ୪ଟାରୁ ରାତି ୮ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ।
ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଦତ୍ତମହାପାତ୍ର ସେବାୟତ ଭିତରେ ପ୍ରବେଶ କରିବେ । ରତ୍ନ ସିଂହାସନ ଉପରକୁ ଯାଇ ଦାରୁବ୍ରହ୍ମଙ୍କୁ ସେମାନେ ବନକଲାଗି (ଶ୍ରୀମୁଖସିଂହାର) କରିବେ ।
ମହାପ୍ରଭୁଙ୍କ ଏହି ବନକଲାଗି ବେଶ ପରେ ଶ୍ରୀଜିଉଙ୍କୁ ମହାସ୍ନାନ କରାଯିବ, ଦ୍ୱାରଫିଟା ଯିବା ସହ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ଼ କରାଯିବ । ବନକଲାଗି ପରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।
Comments ସମସ୍ତ ମତାମତ