ମୁଖ୍ୟ ଖବର
ନୂଆଦିଲ୍ଲୀ: କାରିବିଆନ୍ ଦେଶ ଡୋମିନିକାନ୍ ରିପବ୍ଲିକରୁ ଏକ ଅତ୍ୟନ୍ତ ସ୍ତବ୍ଧ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ରବିବାର ଏଠାରେ ଏକ ପ୍ରାଇଭେଟ୍ ଜେଟ୍ ଅବତରଣ ସମୟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ରନୱେରେ ବିମାନଟି ପିଟି ହେବା ମାତ୍ରେ ଏହା ଏକ ବିରାଟ ନିଆଁର ଗୋଲାରେ ପରିଣତ ହୋଇଯାଇଥିଲା । ଏହି କାଳରୂପୀ ଦୁର୍ଘଟଣାରେ ବିମାନର ମୁଖ୍ୟ ପାଇଲଟ୍ ଏବଂ କୋ-ପାଇଲଟଙ୍କ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଭୟାବହ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଯେକେହି ବି ଶିହରି ଉଠିବେ ।
ରିପୋର୍ଟ ଅନୁଯାୟୀ, ଡୋମିନିକାନ୍ ରିପବ୍ଲିକର ପୂର୍ବ ଭାଗରେ ଅବସ୍ଥିତ ପ୍ରସିଦ୍ଧ ‘ଲା ରୋମାନା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନ୍ୟାସନାଲ ଏଭିଏସନ ଅଥରିଟି ଏହି ଦୁର୍ଘଟଣା ଏବଂ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଆଧିକାରିକ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ରନୱେରେ ଓହ୍ଲାଇବା ସମୟରେ ବିମାନର ଆଗ ପଟ ହଠାତ୍ ଉପରକୁ ଟେକି ହୋଇଯାଇଥିଲା । ଏହାର କିଛି ସେକେଣ୍ଡ ମଧ୍ୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ବିମାନଟିକୁ ନିଆଁ ଗ୍ରାସ କରିଥିଲା । ଆକାଶକୁ କଳା ଧୂଆଁର ବଡ଼ ଆସ୍ତରଣ ଘୋଟି ଯାଇଥିଲା । ଅନ୍ୟ ଏକ ଭିଡିଓରେ ବିମାନ ବନ୍ଦରର ଅଗ୍ନିଶମ ବାହିନୀ ଗାଡ଼ି ଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ଦେଖାଯାଇଛି ।
Comments ସମସ୍ତ ମତାମତ