Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶୀତକାଳୀନ ଅଧିବେଶନ: ୧୪ ବିଲ୍ ଉପସ୍ଥାପନ କରିବାକୁ ସରକାରଙ୍କ ଲକ୍ଷ୍ୟ

    Share on :
    ajab-Image
    Date: Dec 1, 2025    Views: 3108

    ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୯ ଦିନିଆ ଏହି ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିଛି । ସରକାର ଏହି ଅଧିବେଶନରେ ୧୪ଟି ବିଲ୍ ଆଗତ କରିବା ସହ କେତେକ ଗୃହୀତ କରାଇବା ଲାଗି ଲକ୍ଷ୍ୟ ରଖିଛନ୍ତି । ଏଥିରେ ଆଣବିକ ଶକ୍ତି ବିଲ୍, ଉଚ୍ଚଶିକ୍ଷା କମିଶନ ବିଲ୍, ଜନବିଶ୍ୱାସ ବିଲ୍, ମଣିପୁର ଜିଏସ୍ଟି ବିଲ୍ ଓ ଜାତୀୟ ରାଜପଥ ବିଲ୍ ଆଦି ସାମିଲ ଅଛି । ଅନ୍ୟପକ୍ଷରେ ଏସ୍ଆଇଆର, ଜାତୀୟ ସୁରକ୍ଷା ଓ ବିଦେଶ ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି । ସେହି କାରଣରୁ ଶୀତ ଅଧିବେଶନ ବେଶ୍ ସରଗରମ ହେବାର ସମ୍ଭାବନା ରହିଛି ।

    ସଂସଦର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ସରକାର ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ବିରୋଧୀ ଦଳମାନଙ୍କ ସହଯୋଗ ଲୋଡିଥିଲେ । ଅନ୍ୟପକ୍ଷରେ ଦେଶବ୍ୟାପୀ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ବା ଏସ୍ଆଇଆର ଏବଂ ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବାକୁ ବିରୋଧୀ ଦଳର ନେତାମାନେ ଦାବି କରିଥିଲେ । ଏପରିକି ଏସବୁ ପ୍ରସଙ୍ଗ ଉପରେ ଯଦି ଆଲୋଚନା ନହୁଏ ତେବେ ଗୃହ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ହେବନାହିଁ ବୋଲି ସେମାନେ ସତର୍କ ମଧ୍ୟ କରାଇଦେଇଛନ୍ତି ।

    ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସର୍ବଦଳୀୟ ବୈଠକ ଡାକି ଶୀତ ଅଧିବେଶନର ଏଜେଣ୍ଡା ସ୍ଥିର କରିବା ଏକ ଔପଚାରିକତା । ସଂସଦୀୟ ଇତିହାସରେ ସବୁଠାରୁ ଛୋଟ ଅବଧି । ତା ଭିତରେ ମୋଦି ସରକାର ୧୩ଟି ବିଲ୍ ଗୃହୀତ କରାଇବାକୁ ଚାହୁଁଛନ୍ତି । ସେଥିରୁ ଗୋଟିଏ ବିଲ୍ ଅଧ୍ୟାଦେଶର ସ୍ଥାନ ନେବାକୁ ଥିଲା ବେଳେ ଆଉ ୨ଟି ବିଲ୍ ଲୋକସଭା କମିଟିକୁ ପଠାଯାଇଛି । ଅନ୍ୟ ଯେଉଁ ୧୦ଟି ବିଲ୍ ରହିଛି ତା ଉପରେ ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିନାହାନ୍ତି । ତାଲିକାରେ ନଥିବା ବିଲ୍କୁ ହୁଏତ ସରକାର ଅଧିବେଶନ ଶେଷ ଆଡକୁ ତରବରିଆ ଭାବେ ଆଣି ଗୃହୀତ କରାଇବାକୁ ଚେଷ୍ଟା କରିପାରନ୍ତି । ବିରୋଧୀଙ୍କ ସହ ବିନା ଆଲୋଚନାରେ ସରକାର ଶୀତ ଅଧିବେଶନକୁ ସଂକ୍ଷିପ୍ତ କରିଥିବା ସେ କହିଛନ୍ତି ।

    ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିଭିନ୍ନ ରାଜନୈତିକ ଦଳର ଉଭୟ ଗୃହର ନେତାମାନଙ୍କ ସହ ପୃଥକ ଭାବେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ରାଜ୍ୟସଭା ବିଜିନେସ ଆଡଭାଇଜରି କମିଟି (ବିଏସି) ର ବୈଠକ ମଧ୍ୟ ହୋଇଥିଲା । ତେବେ ବୈଠକରେ ବିରୋଧୀମାନେ ଉଠାଇଥିବା ଏସ୍ଆଇଆର ଦାବି ଉପରେ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ । ସର୍ବଦଳୀୟ ବୈଠକ ପୂର୍ବରୁ ରିଜିଜୁ କହିଥିଲେ ଏସ୍ଆଇଆର ଉପରେ ଆଲୋଚନା ହେବ କି ନାହିଁ ତାହା ବିଏସିରେ ସ୍ଥିର କରାଯିବ । ସଂସଦୀୟ ଆଲୋଚନା ଗଠନମୂଳକ ତଥା ହଟ୍ଟଗୋଳ ଶୂନ୍ୟ ହେବା ଉଚିତ । ଯେହେତୁ ଏହା ଶୀତ ଅଧିବେଶନ ତେଣୁ ସବୁ ନେତା ଥଣ୍ଡାମନରେ ବସିବା ସହ ବାକ୍ବିତଣ୍ଡା ଏଡାଇବା ଆବଶ୍ୟକ । ଆଲୋଚନା ହେଉଛି ସଂସଦର ଏକ ଅଂଶ । ତେଣୁ ବିନା ବାଧାରେ ଏହା ହେବ ବୋଲି ସେ ଆଶା ପ୍ରକାଶ କରିଥିବା କହିଥିଲେ ।

    ସରକାରଙ୍କ ପକ୍ଷରୁ ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ, କିରେନ ରିଜିଜୁ, ଜେ.ପି ନଡ୍ଡା ଓ ଅର୍ଜୁନ ରାମ ମେଘୱାଲ ସର୍ବଦଳୀୟ ବୈଠକରେ ଯୋଗଦେଇଥିଲା ବେଳେ ବିରୋଧୀ ଦଳ ପକ୍ଷରୁ କଂଗ୍ରେସର ଜୟରାମ ରମେଶ, ଗୌରବ ଗୋଗୋଇ ଓ ପ୍ରମୋଦ ତିୱାରୀ, ଆରଜେଡିର ମନୋଜ ଝା, ଡିଏମ୍‌କେର ଟିଆର ବାଲୁ, ଟିଏମ୍‌ସିର ଡେରେକ ଓ’ବ୍ରାଏନ ଓ କଲ୍ୟାଣ ବାନାର୍ଜୀ ଏବଂ ଆଇୟୁଏମ୍ଏଲ ଇଟି ମହମ୍ମଦ ବସିର ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook