Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନେତାଙ୍କ ଥୋପ, ଚାପ ରଣନୀତି ଫେଲ୍‌: କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ

    Share on :
    ajab-Image
    Date: Jan 26, 2022    Views: 3357

    କୋରାପୁଟ : କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ସହମତି ଭିତ୍ତିରେ ଦିଆଯାଇଥିବା ପ୍ରାର୍ଥୀଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ପାଇଁ ସର୍ବଦଳୀୟ ନେତାଙ୍କ ଉଦ୍ୟମ ଶେଷରେ ଫସର ଫାଟିଯାଇଛି । ନେତାଙ୍କ ଥୋପ, ଚାପ ରଣନୀତି ଫେଲ୍‌ ମାରିଛି । କଂଗ୍ରେସ ଟିକେଟରୁ ବଞ୍ଚିତ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ସର୍ବଦଳୀୟ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ମମତା ଜାନୀଙ୍କ ବିରୋଧରେ ଲଢ଼ିବାକୁ ଆଗକୁ ଆସିଛନ୍ତି । ଫଳରେ ପଟ୍ଟାଙ୍ଗି ବ୍ଲକ ଜୋନ-୧ରେ ଦ୍ୱିପାକ୍ଷିକ ଲଢ଼େଇ ହେବା ସ୍ପଷ୍ଟ ହୋଇଛି । ଏହି ଜୋନ୍‌ର ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ସାବିନା ବୁଡ଼ିଆ ମଙ୍ଗଳବାର ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଏବେ ମଇଦାନରେ ମମତାଙ୍କ ନାଗରା ବନାମ ଟିକାଇଙ୍କ ପାଣିବୋତଲ ଚିହ୍ନ ମଧ୍ୟରେ ଲଢ଼େଇ ହେବ ।

    ସୂଚନାଥାଉକି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ ନେତା କୋଟିଆ ଅଞ୍ଚଳରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ପଟ୍ଟାଙ୍ଗି ଜିଲ୍ଲା ପରିଷଦ ଜୋନ୍‌-୧ରେ ସହମତି ଭିତ୍ତିରେ ମମତା ଜାନୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ନାମାଙ୍କନ ଦିନ ସର୍ବଦଳୀୟ ସମର୍ଥନରେ ମମତା ଜାନୀଙ୍କ ସହ ଟିକାଇ ଗେମେଲ ଓ ସାବିନା ବୁଡ଼ିଆ ନାମାଙ୍କନପତ୍ର ଦାଖଲ କରିଥିଲେ । ମଙ୍ଗଳବାର ସାବିନା ବୁଡ଼ିଆ ନାମାଙ୍କନ ପ୍ରତ୍ୟାହାର କରି ମମତାଙ୍କୁ ସମର୍ଥନ ଦେବେ ବୋଲି କହିଥିବାବେଳେ ଟିକାଇ କିନ୍ତୁ ଲଢ଼ିବାକୁ ରଣହୁଙ୍କାର ଦେଇଛନ୍ତି । ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିବସ ଥିବାରୁ ସର୍ବଦଳୀୟ ନେତା ଟିକାଇଙ୍କୁ ମନାଇ ପ୍ରତ୍ୟାହାର ଉଦ୍ୟମ କରିଥିଲେ । କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ସାବିନା ନାମାଙ୍କନ ପ୍ରତ୍ୟାହାର ପରେ ସର୍ବଦଳୀୟ ସମର୍ଥିତ ପ୍ରାର୍ଥୀ ମମତା ଓ ଟିକାଇ ମଧ୍ୟ ସେଠାକୁ ଆସିଥିଲେ । ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା । ଟିକାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ସର୍ବଦଳୀୟ ନେତା ଆଶା କରିଥିଲେ । କିନ୍ତୁ ସେ ନିର୍ବାଚନ ଲଢ଼ିବା ଜିଦରେ ଅଟଳ ରହିଲେ । ଫଳରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଉଭୟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଚିହ୍ନ ପ୍ରଦାନ କରାଯାଇଥିଲା । ମମତାଙ୍କୁ ନାଗରା ଓ ଟିକାଇଙ୍କୁ ପାଣିବୋତଲ ଚିହ୍ନ ପ୍ରଦାନ କରାଯାଇଥିଲା ।

    ସର୍ବଦଳୀୟ ପ୍ରାର୍ଥୀ ମମତା କହିଛନ୍ତି, ତାଙ୍କ ପ୍ରତି ସମସ୍ତ ନେତା ଓ ଜନସାଧାରଣଙ୍କ ଆଶୀର୍ବାଦ ରହିଛି । ସେ ସଫଳ ହୋଇ କୋଟିଆରେ ଆନ୍ଧ୍ର ଷଡ଼ଯନ୍ତ୍ରକୁ ରୋକିବେ ବୋଲି କହିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ଟିକାଇ କହିଛନ୍ତି, ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଅର୍ଥଲୋଭଠାରୁ ଆରମ୍ଭକରି ଚାପପକା ଯାଇଥିଲା । ଏସବୁକୁ ପଛରେ ପକାଇ ଅଞ୍ଚଳର ବିକାଶ ପାଇଁ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି । ତାଙ୍କ ପ୍ରତି ସମର୍ଥନ ରହିଥିବାରୁ ସେ ସଫଳ ହେବେ ବୋଲି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook