Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜିଲ୍ଲା ପରିଷଦ ଲଢ଼େଇ : ମଇଦାନରେ ୩୪୧୮ ଯୋଦ୍ଧା

    Share on :
    ajab-Image
    Date: Jan 26, 2022    Views: 3320

    ଭୁବନେଶ୍ୱର :  ନିର୍ବାଚନ ଲଢ଼େଇ ପାଇଁ ମଇଦାନରେ ଥିବା  ଚୂଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା  ଜାରି ହୋଇଛି । ସଭିଙ୍କୁ ମିଳିଛି ନିର୍ବାଚନୀ ଚିହ୍ନ । ନିର୍ବାଚନୀ ଚିହ୍ନ ଧରି ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩୪୧୮ ଜଣ ପ୍ରାର୍ଥୀ ଲଢ଼େଇ ପାଇଁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି ।
     ପଞ୍ଚାୟତ ନିର୍ବାଚନ ରାଜନୀତି ପୂରା ଜୋର ଧରିନେଇଛି । ଯେଉଁ ଚିହ୍ନକୁ ଅପେକ୍ଷା ଥିଲା, ତାହା ମିଳିଯାଇଛି । ଏବେ ଚିହ୍ନ ଧରି ପ୍ରଚାରକୁ କୁଦିଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ । ରାତାରାତ୍‌ ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର । ବିଭିନ୍ନ କାନ୍ଥରେ ପ୍ରାର୍ଥୀଙ୍କ ଚିହ୍ନ ସହ ପ୍ରଚାର ଲେଖା ଆରମ୍ଭ ହୋଇଯାଇଛି । ହ୍ୱାଟସଆପ, ଫେସବୁକରେ ପ୍ରାର୍ଥୀ ଓ ତାଙ୍କ ଯୁବ ସମର୍ଥକମାନେ ଆରମ୍ଭ କରିଦେଇଛନ୍ତି ପ୍ରଚାର । ଆମର ଚିହ୍ନ- ବାଲତି, ଖଟ, ଚିଠି ବାକ୍ସ, ଖୋଲା ବହି, ଖୋଲା ଛତା, ମାଛ, ଶଗଡ଼ ଗାଡ଼ି, ସୂର୍ୟ୍ୟ, କଲମ, ନିକିତି, କେଟିଲି, ବସ୍‌, ତାଲା ଚାବି, ବାଳକ ବାଳିକା ଆଦି ଚିହ୍ନ ଘୁରି ବୁଲିଲାଣି ସୋସିଆଲ ମିଡିଆରେ । ଜିଲ୍ଲା ପରିଷଦ ପାଇଁ ଲଢ଼ୁଥିବା ଦଳୀୟ ପ୍ରାର୍ଥୀଙ୍କ ଫଟୋ ଓ ଚିହ୍ନ ପୂର୍ବରୁ ଜଣାଥିବାବେଳେ ନିର୍ଦ୍ଦଳୀୟ ପ୍ରାର୍ଥୀ ଆଜି ଚିହ୍ନ ପାଇବା ପରେ ସ୍ଲୋଗାନ ପ୍ରସ୍ତୁତ ଆରମ୍ଭ କରିଛନ୍ତି ।

    ବିଭିନ୍ନ ଜିଲ୍ଲାରୁ ହସ୍ତଗତ ଚୂଡ଼ାନ୍ତ ତାଲିକା ଅନୁଯାୟୀ ଅନୁଗୁଳ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୧୦୭ ପ୍ରାର୍ଥୀ ଅଛନ୍ତି । ବରଗଡ଼ର ୩୪ଟି ଜୋନରେ ରହିଛନ୍ତି ୧୧୮ଜଣ ପ୍ରାର୍ଥୀ । ବଲାଙ୍ଗିର ଜିଲ୍ଲାର ୩୪ଟି ଜିଲ୍ଲା ପରିଷଦ ଜୋନ୍‌ ଲଢ଼େଇରେ ମୋଟ ୧୨୦ଜଣ ପ୍ରାର୍ଥୀ ରହିଲେ । ଗଞ୍ଜାମ ଜିଲ୍ଲାର ୬୯ ଜୋନ ପାଇଁ ୨୫୬ ଜିଲ୍ଲା ପରିଷଦ ପ୍ରାର୍ଥୀ, ଭଦ୍ରକରେ ୨୮ଟି ଜୋନରେ ୧୩୨ ପ୍ରାର୍ଥୀ, ନୂଆପଡ଼ାରେ ୧୪ଟି  ପାଇଁ ମୋଟ ୫୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ।
    କଟକ ଜିଲ୍ଲାର ୪୬ଟି ଜିଲ୍ଲା ପରିଷଦ ଜୋନ ପାଇଁ ୧୭୫ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଗଜପତି ଜିଲ୍ଲାରେ ୧୪ଟି ଜୋନରେ ୫୦ଜଣ ପ୍ରାର୍ଥୀ ଥିବାବେଳେ ବୌଦ୍ଧ ଜିଲ୍ଲାର ୯ଟି ଜୋନ ପାଇଁ ରହିଛନ୍ତି ମୋଟ ୩୮ ପ୍ରାର୍ଥୀ । ଦେବଗଡ଼ର ୭ଟି ଜୋନ ପାଇଁ ୨୭ଜଣ ପ୍ରାର୍ଥୀ ଥିବାବେଳେ ଜଗତସିଂହପୁର ଜିଲ୍ଲାର ୨୬ଟି ଜୋନରେ ରହିଲେ ୧୦୩ ପ୍ରାର୍ଥୀ । ପୁରୀ ଜିଲ୍ଲାରେ ୩୩ଟି ଜୋନ ଥିବାବେଳେ ୧୫୭ଜଣ ପ୍ରାର୍ଥୀ ଏବେ ଚୂଡ଼ାନ୍ତ ପର୍ୟ୍ୟାୟ ଲଢ଼େଇ ଲଢ଼ିବେ । ଢେଙ୍କାନାଳ ଜିଲ୍ଲାର ୨୭ଟି ଜିଲ୍ଲା ପରିଷଦ ଜୋନ ପାଇଁ ଚୂଡ଼ାନ୍ତ ତାଲିକାରେ ଅଛନ୍ତି ୧୦୦ଜଣ ପ୍ରାର୍ଥୀ । କଳାହାଣ୍ଡି ଜିଲ୍ଲାରେ ୩୬ଟି ଜୋନ ଥିବାବେଳେ ୧୪୪ଜଣ ପ୍ରାର୍ଥୀ ରହିଲେ ମଇଦାନରେ । କନ୍ଧମାଳ ଜିଲ୍ଲାର ୧୮ଟି ଜୋନରେ ମୋଟ ୭୦ଜଣ ପ୍ରାର୍ଥୀ ଥିବାବେଳେ ଝାରସୁଗୁଡ଼ାର ୯ଟି ଜୋନରେ ୩୩ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ତାଲିକାରେ ରହିଛି ।
    କେନ୍ଦ୍ରାପଡ଼ା ଜିଲ୍ଲାର ୩୨ଟି ଜୋନ ପାଇଁ ୧୩୧ଜଣ ପ୍ରାର୍ଥୀ ରହିଲେ ଚୂଡ଼ାନ୍ତ ଲଢ଼େଇରେ । ନୟାଗଡ଼ ଜିଲ୍ଲାର ୨୪ଟି ଜୋନରେ ମୋଟ ୯୭ଜଣ ପ୍ରାର୍ଥୀ ରହିଲେ ।  କେନ୍ଦୁଝରରେ ୩୭ଟି ଜୋନ୍‌ ପାଇଁ ୧୪୮ ପ୍ରାର୍ଥୀ ଥିବାବେଳେ ଖୋର୍ଦ୍ଧାର ୩୦ଟି ଜୋନରେ ମୋଟ ୧୨୯ଜଣ ପ୍ରାର୍ଥୀ ରହିଲେ । ରାୟଗଡ଼ାର ୨୨ଟି ଜୋନ ପାଇଁ ୧୧୯ଜଣ ପ୍ରାର୍ଥୀ, କୋରାପୁଟ ଜିଲ୍ଲାର ୨୯ଟି ଜୋନରେ ୧୦୮ଜଣ ପ୍ରାର୍ଥୀ, ମାଲକାନଗିରି ଜିଲ୍ଲାର ୧୫ଟି ଜୋନରେ ମୋଟ ୬୨, ମୟୂରଭଞ୍ଜରେ ୫୬ଟି ଜୋନ ପାଇଁ ୨୫୬ଜଣ ପ୍ରାର୍ଥୀ, ନବରଙ୍ଗପୁରର ୨୬ଟି ଜୋନରେ ୮୯ଜଣ ପ୍ରାର୍ଥୀ, ସୋନପୁର ଜିଲ୍ଲାର ୧୩ଟି ଜୋନରେ ମୋଟ ୫୧ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି ।   ସମ୍ବଲପୁର ଜିଲ୍ଲାରେ ୧୮ଟି ଜୋନ ପାଇଁ ୬୩ଜଣ ପ୍ରାର୍ଥୀ ଅଛନ୍ତି । ବାଲେଶ୍ୱରର ୪୫ଟି ଜୋନରେ ମୋଟ ୧୭୪ଜଣ ପ୍ରାର୍ଥୀ ଓ ଯାଜପୁର ଜିଲ୍ଲାର ୩୯ଟି ଜୋନ ଲାଗି ମୋଟ ୧୫୦ଜଣ ପ୍ରାର୍ଥୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର ୩୫ଟି ଜୋନରେ ମୋଟ ୧୬୦ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଲେ । ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବରମାନଙ୍କର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବି ପ୍ରକାଶ ପାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook