ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆପଡ଼ାର ମତଦାତାଙ୍କୁ ଐତିହାସିକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ।
ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ଏଥିରେ ୮୩.୪୫% ମତଦାନ ହୋଇଛି । ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ ରହିଛି । ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ନୂଆପଡାରେ ମୋଟ ୨,୫୪,୪୯୭ ଜଣ ଭୋଟର । ସେଥିରେ ୧,୨୪,୫୪୪ ଜଣ ପୁରୁଷ ଓ ୧,୨୯,୯୩୨ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨,୧୨,୩୮୫ ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ଜଣ ପୁରୁଷ ଓ ୧,୦୮,୫୬୩ ଜଣ ମହିଳା ଭୋଟ ଦେଇଛନ୍ତି । ଯାହା ଏକ ସୁସ୍ଥ ସମାଜ ଏବଂଉତ୍ତମ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, "ମତଦାନ ଶେଷ ହେବା ପରେ ସମସ୍ତ ଇଭିଏମ ଏବଂ ଭିଭିପ୍ୟାଟକୁ ନିର୍ଦ୍ଧିଷ୍ଟ ଷ୍ଟ୍ରଙ୍ଗରୁମରେ ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ରଖାଯାଇଛି । ଷ୍ଟ୍ରଙ୍ଗରୁମ ଟି ୨୪ ଘଣ୍ଟା ସିସିଟିଭି ନିରୀକ୍ଷଣରେ ରହିଛି । ମେସିନଗୁଡିକର ମୁଦ ଓ ସଂରକ୍ଷଣ ପ୍ରକ୍ରିୟା ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଭିଡିଓଗ୍ରାଫ ସହ ସମ୍ପନ୍ନ ହୋଇଛି । ଭୋଟ ଗଣନା ସଂପୂର୍ଣ୍ଣ ସ୍ବଚ୍ଛ ଓ ସୁରକ୍ଷିତ ଭାବରେ କରାଯିବ । ମତଗଣନା ଟେବୁଲ, ପର୍ୟ୍ୟବେକ୍ଷକ ନିଯୁକ୍ତି, ସିସିଟିଭି ନିରୀକ୍ଷଣର ବ୍ୟବସ୍ଥା ଓ ଷ୍ଟ୍ରଙ୍ଗରୁମର ପର୍ୟ୍ୟବେକ୍ଷଣ କରାଯାଇଛି । ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣନା ଅନୁଷ୍ଠିତ ହେବ । ଭୋଟ ଗଣନା ପାଇଁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଇଭିଏମ ଓ ପୋଷ୍ଟଲ ବାଲାଟ ଗଣତି ହେବ । ଏହା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଇଭିଏମ୍ ଗଣନା ପାଇଁ ୧୪ ଟେବୁଲ ବ୍ୟବସ୍ଥା ହୋଇଛି । ଭିଭିପାଟ ଓ ପୋଷ୍ଟାଲ ବାଲାଟ ଗଣତି ପାଇଁ ଗୋଟେ ଗୋଟେ ଟେବୁଲ ବ୍ୟବସ୍ଥା ହୋଇଛି । ଯେଉଁଠି ଇଭିଏମ୍ ଖରାପ ହୋଇଛି ସେଠାରେ ଭିଭିପାଟ ଗଣତି ପାଇଁ ବ୍ୟବସ୍ଥା ରହିଛି ।ଦେଶର ଅନ୍ୟ ୮ ବିଧାନସଭା ମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ନୂଆପଡ଼ାରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ଉତ୍ତମ ପ୍ରସ୍ତୁତି, ବ୍ୟାପକ ଜନସଚେତନତା, ସଶକ୍ତ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନ ଅଧିକାରୀ ଓ କର୍ମଚାରୀ, ପ୍ରାର୍ଥୀ, ଅନ୍ୟାନ୍ୟ ଅଂଶୀଦାର ସର୍ବୋପରି ମତଦାତାଙ୍କ ସକ୍ରିୟ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ସୁନାବେଡ଼ା ଅଞ୍ଚଳରେ ଥିବା ସମସ୍ତ ୮ଟି ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ପୋଲିଂ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମ୍ପନ୍ନ ହୋଇଛି । ଆକାଶରୁ ନିରୀକ୍ଷଣ ପାଇଁ ନିଯୋଜିତ ହେଲିକପ୍ଟର ଓ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଅଞ୍ଚଳରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ଜୟନ୍ତୀ ଛତ୍ରିଆଙ୍କ ଭୋଟ ଅନ୍ୟ ଜଣେ କେହି ଦେଇଦେବାର ଅଭିଯୋଗ ଆସିଥିଲା । ଅଭିଯୋଗକୁ ଗୁରୁତର ସହିତ ନେଇ ଏ ସମ୍ପର୍କରେ କ୍ଷେତ୍ର ଅଧିକାରୀ ଓ ପୁଲିଙ୍ଗ ଅଫିସର ତତକ୍ଷଣାତ ଯାଞ୍ଚ କରିଥିଲେ । ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ଯାଞ୍ଚ ସମୟରେ ଜଣାପଡିଛି ।"
Comments ସମସ୍ତ ମତାମତ