ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦ୍ବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆର୍ଶୀବାଦ ଆଣିବାକୁ ପରାମର୍ଶ ଦେଇଛନ୍ତି ।
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରଥମେ ଶ୍ରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ପ୍ରଦାନ ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ନିର୍ବାଚନରେ ପୂରାପୂରି ସାମିଲ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି । ଏହି ସମୟରେ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି । କୋଭିଡ ମହାମାରୀର ତୃତୀୟ ଲହର ଚାଲିଛି । ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ ପାଳନ କରିବେ । ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ ଅଟେ । ଆପଣମାନେ ଜାଣି ଖୁସି ହେବେ ଯେ ଓଡିଶା ଆଜି ସାରା ଭାରତ ବର୍ଷରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି । ବିଜେଡି ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ । ଏହି କଠିନ କୋଭିଡ ମହାମାରୀ ସମୟରେ ମହିଳାମାନଙ୍କୁ ମିଶନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ଆପଣଙ୍କ ବିଜେଡି ସରକାର ଦେଇଛି । ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦,୦୦୦ ଟଙ୍କା କାଳିଆ ଯୋଜନାରେ ସହାୟତା ଦେଇଛି ବିଜେଡି ସରକାର ।
ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ ଦେଖାଇଛି ।
ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି । ଆମେ ସମସ୍ତେ ଜାଣିଛୁ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି । ବିରୋଧିଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅନ୍ତୁ । ମୋର ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ ଲୋକଙ୍କ ଆର୍ଶୀବାଦ ଆଣିବେ । ଏଥିରେ ମୋର ପୂରା ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ପରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Comments ସମସ୍ତ ମତାମତ