ମୁଖ୍ୟ ଖବର
ଭୁବନେଶ୍ୱର: ମହାନଗର ନିଗମ ନିର୍ବାଚନକୁ ନେଇ ରାଜଧାନୀରେ ରାଜନୀତିର ଉଷ୍ମତା । ମେୟର ପ୍ରଚାର ନିମନ୍ତେ ସକ୍ରିୟ ହୋଇଉଠିଥିବାବେଳେ କର୍ପୋରେଟର ପ୍ରାର୍ଥ ମଧ୍ୟ ପଛରେ ନାହାନ୍ତି । ପୁରୁଣା ଭୁବନେଶ୍ୱର ୫୯ ନମ୍ବର ୱାର୍ଡରେ ରାଜନୈତିକ କସରତ ସ୍ପଷ୍ଟ ବାରିହେଉଛି । ଏହି ୱାର୍ଡରେ ମୋଟ ୧୧୯୯୯ ଭୋଟର ରହିଥିବାବେଳେ ୬୦ ନମ୍ବର ୱାର୍ଡର ରବି ଟକିଜ ଅଞ୍ଚଳ, ଗୌରୀ ନଗର, ଅନନ୍ତ ବାସୁଦେବ, କୋଟି ତୀର୍ଥ ଏବଂ ପଞ୍ଚ ସାହି ଆଦି ଅଞ୍ଚଳ ସାମିଲ ହୋଇଛି । ଚଳିତ ନିର୍ବାଚନରେ ଏହି ୱାର୍ଡ ରେ କର୍ପୋରେଟର ପାଇଁ ୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ସମସ୍ତଙ୍କ ନଜର ଏବେ ଏହି ନୂଆ ଅଞ୍ଚଳରେ ରହିଛି । ମତଦାତାଙ୍କ ମନ ଜିଣିବା ପାଇଁ ଘନଘନ ବୈଠକ ବସୁଛି । ୱାର୍ଡ଼ରୁ ୭ ପ୍ରାର୍ଥୀ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଉଛନ୍ତି । ଯଦିଓ ଚୂଡାନ୍ତ ତାଲିକା ଆସନ୍ତା ୧୪ ଜଣାପଡିବ କିନ୍ତୁ ଏବେ ନଜର ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଥିବା ଜଣାପଡିଛି । ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରୁ ବିରଞ୍ଚି ନାରାୟଣ ମହାସୂପକାର, ବିଜେପିରୁ କୃଷ୍ଣ ଚନ୍ଦ୍ର ବଟୁ, କଂଗ୍ରେସରୁ ଦେବୀ ପ୍ରସାଦ ସ୍ୱାଇଁ, ଆପରୁ ନଗେନ୍ଦ୍ର ନାଥ ମିଶ୍ର ଏବଂ ସ୍ୱାଧୀନରୁ କୃଷ୍ଣଚନ୍ଦ୍ର ଦାସ, ଲିଙ୍ଗରାଜ ମହାନ୍ତି ଏବଂ ଶାରଦା ପ୍ରସାଦ ପାଣି ନିର୍ବାଚନକୁ ଓହ୍ଲାଉଥିବା ଜଣାପଡିଛି । ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ବିରଞ୍ଚି ନାରାୟଣ ମହାସୂପକାର ୩ ଥର ଗଡ ଜିତିଥିବାବେଳେ ଏଥର ବିଜେପି ଓ କଂଗ୍ରେସ ଗଡ ହାତେଇବାକୁ ପ୍ରଚେଷ୍ଟା କରୁଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ୱାର୍ଡ଼ରେ ପାନୀୟ ଜଳ ବ୍ୟବସ୍ଥା, ନାଳ ବ୍ୟବସ୍ଥା, ଆଲୋକୀକରଣ ଆଦି ନିର୍ବାଚନୀ ପ୍ରଚାର ପ୍ରସଙ୍ଗ ପାଲଟିଛି । ତେବେ ୱାର୍ଡ଼ର ପୂର୍ବତନ କର୍ପୋରେଟର ଥର ଚଳିତ ଥରର ବିଜେଡ଼ି ପ୍ର୍ରାର୍ଥୀ ବିରଞ୍ଚି ନାରାୟଣ ମହାସୂପକାର ପୁନର୍ବାର କ୍ଷମତାକୁ ଆସିବାକୁ ଅଣ୍ଟା ଭିଡ଼ିଛନ୍ତି । ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି । ବାକି ୧୦ ପ୍ରତିଶତ ନିର୍ବାଚନ ପରେ ଜନସାଧାରଣଙ୍କ ଆଶାକୁ ପୂରଣ କରାଯିବ । ଯଦିଓ କିଛି ନୂଆ ଅଞ୍ଚଳ ଆମ ୱାର୍ଡରେ ସାମିଲ ହୋଇଛି ସମସ୍ତଙ୍କ ନିକଟକୁ ଯାଇ ଆଲୋଚନା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକାର କାର୍ୟ୍ୟ ବିଶେଷ କରି ଏକାମ୍ର ବିକାଶ ଯୋଜନାରେ ବିରୋଧୀ ଧରାଶାୟୀ ହେବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଲୋକମାନେ ପରିବର୍ତ୍ତନ ଚାହୁଁଥିବା ସ୍ୱାଧୀନ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ଧରି ବିଜେପିର ସକ୍ରିୟ କର୍ମୀ ଥିବା ଶ୍ରୀ ଦାସ ଦଳୀୟ ଟିକଟ ନମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେବେ ବିଜେପିର ଆସ୍ଥା ହାସଲ କରିଥିବା ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ବଟୁ ଏବେ ଭୋଟରଙ୍କ ଆସ୍ଥା ଜିଣିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଲୋକ ମୌଳିକ ସମସ୍ୟାରୁ ମୁକ୍ତି ପାଇବେ ତାହାକୁ ଅଧିକ ଗୁରୁତ୍ୱ ଦେବା ସହ ଡ଼୍ରେନେଜ ସମସ୍ୟାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେଉଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ସ୍ୱାଇଁ ସରକାରୀ ଦଳର ମିଥ୍ୟା ପ୍ରତିଶ୍ରୁତି କାର୍ୟ୍ୟକାରୀ ହେବ ନାହିଁ ବୋଲି କହି ୱାର୍ଡ଼ଭାସୀଙ୍କ ସମର୍ଥନ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । କ୍ଷମତାକୁ ଆସିଲେନାଳରୁ ଆରମ୍ଭ କରି ପାର୍କ, ପାଣି, ଠାକୁର ଘର, ଗୌରୀକୁଣ୍ଡ ଆଦି ସମସ୍ୟାର ସମାଧାନ ବାଟ ଫିଟିବ ବୋଲି ସେ ଆଶ୍ୱସ୍ତି ଦେଉଛନ୍ତି ।
Comments ସମସ୍ତ ମତାମତ