ମୁଖ୍ୟ ଖବର
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜଧାନୀରେ ଜୋର୍ଦାର ପ୍ରଚାର ଚାଲିଛି । ଦ୍ୱାରକୁ ଦ୍ୱାର ଯାଇ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାଥି ଓ ପ୍ରାଥିନୀ ପ୍ରଚାର କରୁଛନ୍ତି । ଏହାରି ଭିତରେ କଂଗ୍ରେସ ମଧ୍ୟ ତାର ପ୍ରଚାର ଜୋରଦାର କରିଛି । କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ୟ୍ୟ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ୩୦ ନଂ ୱାର୍ଡର କଂଗ୍ରେସ ପ୍ରାର୍ଥୀ ସ୍ମୃତିରଞ୍ଜନ ତ୍ରିପାଠୀ ସ୍ଥାନୀୟ ଅଞ୍ଚଳରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି । ୩୦ ନମ୍ବର ୱାର୍ଡର ସହିଦନଗର ଭେଟେନାରୀ ହସ୍ପିଟାଲ ଛକ, ଲେଭେଲ୍ କ୍ରସିଂ, ମହର୍ଷି କଲେଜ ରୋଡ, ବିସ୍ରାମୁଣ୍ଡା ବସ୍ତି କ ଓ ଖ, ତେଲୁଗୁ ବସ୍ତି, ସହିଦନଗର ହାଟରେ ବହୁ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ୟ୍ୟ କହିଛନ୍ତି ଯେ, ବସ୍ତି ଲୋକମାନେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନାହିଁ । କଂଗ୍ରେସକୁ ଜନସମର୍ଥନ ମିଳିଲେ ଲୋକଙ୍କର ଜୀବନଜୀବିକା ପରିବର୍ତ୍ତନ ହେବ । ସେହିଭଳି ବିଧାୟକ ସୁରେଶ ରାଉତରାୟ କହିଥିଲେ ଯେ, ୨୨ ବର୍ଷର ବିଜେଡି ସରକାରରେ ବର୍ତ୍ତମାନ ପର୍ୟ୍ୟନ୍ତ ରାଜଧାନୀର ବସ୍ତିବାସୀନ୍ଦାଙ୍କୁ ସମ୍ପୂର୍ଣ୍ଣ ଭାବେ ଥଇଥାନ କରାଯାଇନାହିଁ । ଲୋକେ ଏବେ ବି ଟ୍ରେନ ଲାଇନ କଡରେ ରହୁଛନ୍ତି । ସ୍ମାର୍ଟ ସିଟି କେବଳ ନାଁକୁ ମାତ୍ର । ଅଳ୍ପ ବର୍ଷା ହେଲେ ରାଜଧାନୀରେ ଡଙ୍ଗା ଭାସୁଛି ବୋଲି କହି ସେ କଂଗ୍ରେସ ପାଇଁ ସମର୍ଥନ ଲୋଡିଥିଲେ । ଏହି ୱାର୍ଡରେ ବିଜେଡି ଓ ବିଜେପିର ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଥିବା କଂଗ୍ରେସର ନୂଆ ଚେହେରା କର୍ପୋରେଟର ପ୍ରାର୍ଥୀ ସ୍ମୃତିରଞ୍ଜନ ୱାର୍ଡର ବିଭିନ୍ନ ସମସ୍ୟା ଯେପରିକି ଡ୍ରେନେଜ ସମସ୍ୟା, ସ୍ୱରେଜ, ବସ୍ତିବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇନାହିଁ । ଜାଗା ମିଶନ କେବଳ ନାମକୁ ମାତ୍ର । ଲୋକଙ୍କର ପ୍ରଗତି ହୋଇନାହିଁ । ରାଜଧାନୀରେ ଲୋକେ ଏବେ ବି ଟ୍ରେନ ଲାଇନ କଡରେ ରହୁଛନ୍ତି । କଂଗ୍ରେସକୁ ଜନସମର୍ଥନ ମିଳିଲେ ଏଠାରେ ଥିବା ସମସ୍ୟା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ କିଭଳି ଲୋକଙ୍କ ସୁବିଧା କରାଯିବ ସେନେଇ ଭୋଟରଙ୍କୁ ବୁଝାଇ ଭୋଟ ଭିକ୍ଷା କରିଛନ୍ତି ।
Comments ସମସ୍ତ ମତାମତ