Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ନୂଆଦିଲ୍ଲୀରେ ବିରୋଧୀ ‘ଇଣ୍ଡି’ ମେଣ୍ଟ ବୈଠକ

    Share on :
    ajab-Image
    Date: Jun 8, 2026    Views: 2595

    ନୂଆଦିଲ୍ଲୀ : ବିରୋଧୀ ଦଳଗୁଡିକୁ ନେଇ ଗଠିତ ‘ଇଣ୍ଡି’ ମେଣ୍ଟର ବୈଠକ ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ୨୩ଟି ବିରୋଧୀ ଦଳର ପ୍ରତିନିଧି ଯୋଗ ଦେବେ। ତେବେ ମେଣ୍ଟର ଦୁଇ ପ୍ରମୁଖ ଅଂଶୀଦାର ଡିଏମ୍‌କେ ଓ ଆପ୍ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଇଣ୍ଡିଆ ଜନବନ୍ଧନ ନାମରେ ହେବାକୁ ଥିବା ଏହି ବୈଠକ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଅନୁଷ୍ଠିତ ହେବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ପକ୍ଷରୁ କୁହାଯାଇଛି। ରମେଶ କହିଛନ୍ତି ଯେ ବୈଠକରେ ୨୩ଟି ବିରୋଧୀ ଦଳ ନେତା ଓ ପ୍ରତିନିଧି ଯୋଗଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି। ତେବେ ବୈଠକରେ କାର୍ଯ୍ୟସୂଚୀ ବାବଦରେ କିଛି ଘୋଷଣା କରାଯାଇ ନାହିଁ। ବୈଠକକୁ କିଛି ବିରୋଧୀ ଦଳ ଆସିବାକୁ ମନା କରିଥିବା ବିଷୟକୁ ଜୟରାମ ସ୍ବୀକାର କରିଛନ୍ତି। ମାତ୍ର ବୈଠକକୁ ନ ଆସିବା ସତ୍ତ୍ବେ ସେମାନେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ବିରୋଧ ଜାରି ରଖିବେ। ରମେଶ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଲକ୍ଷଲକ୍ଷ ଭାରତୀୟ ଭୋଟରଙ୍କ ମତଦାନ ଅଧିକାରକୁ ଚ୍ଛିନ୍ନ କରିନେଇଛନ୍ତି। ଏହା ସହିତ ସରକାର ପ୍ରତିଦିନ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରିଚାଲିଛନ୍ତି। ବୈଠକରେ ଯୋଗ ଦେବା ଲାଗି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।
    ‘ଇଣ୍ଡି’ ମେଣ୍ଟ ବୈଠକରେ ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍‌କେ ଯୋଗ ଦେବ ନାହିଁ ବୋଲି ଘୋଷଣା କରିଛି। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଦଳ ସହିତ ଡିଏମ୍‌କେର ମତଭେଦ ହୋଇଛି। ନିର୍ବାଚନ ଫଳ ପ୍ରକାଶ ପରେ କଂଗ୍ରେସ ଦଳ ଡିଏମକେ ଠାରୁ ସମ୍ପର୍କ ତୁଟାଇ ଯୋଶେଫ ବିଜୟଙ୍କ ନେତୃତ୍ବାଧୀନ ଟିଭିକେକୁ ସରକାର ଗଠନ ପାଇଁ ସମର୍ଥନ ଜଣାଇଥିଲା। କଂଗ୍ରେସର ଏପରି କାର୍ଯ୍ୟକୁ ଡିଏମକେ ବିଶ୍ବାସଘାତକତା ଓ ପ୍ରତାରଣା ବୋଲି କହି ସମାଲୋଚନା କରିଥିଲା। ଏହି ଘଟଣା ପରେ କଂଗ୍ରେସ ଦଳ ଠାରୁ ଡିଏମ୍‌କେ ଦୂରତା ରକ୍ଷା କରିଆସୁଛି। ତେଣୁ କଂଗ୍ରେସ ନେତୃତ୍ବରେ ପରିଚାଳିତ ହେଉଥିବା ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବାକୁ ଡିଏମ୍‌କେ ମନା କରିଛି। ଇଣ୍ଡି ମେଣ୍ଟ ଗଠନ ହେବା ପରଠାରୁ ଡିଏମ୍‌କେ ଏହାର ଏକ ପ୍ରମୁଖ ଅଂଶୀଦାର ହୋଇ ରହିଥିଲା। ଲୋକଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ବିରୋଧରେ ଡିଏମ୍‌କେ ସ୍ବର ଉତ୍ତୋଳନ କରିଆସୁଥିଲା। ଇଣ୍ଡି ମେଣ୍ଟର ବୈଠକକୁ ବର୍ଜନ କରିବା ସତ୍ତ୍ବେ ଡିଏମ୍‌କେ ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତାକୁ ବଜାୟ ରଖିବା ଲାଗି ନିଜର ସ୍ବର ଉତ୍ତୋଳନ କରିବ। ବାମ ଦଳଗୁଡିକ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି। ସିପିଏମ୍‌ ପକ୍ଷରୁ ଏହାର ରାଜ୍ୟସଭା ସଦସ୍ୟ ଜନ ବ୍ରିଟାସ୍ ବୈଠକରେ ପ୍ରତିନିଧିତ୍ବ କରିବେ। ମାତ୍ର ବୈଠକ ସମୟରେ କଂଗ୍ରେସର ଆଭିମୁଖ୍ୟ ପ୍ରତି ସିପିଏମ୍ ପ୍ରଶ୍ନ ଉଠାଇବେ ବୋଲି କହିଛି। କାରଣ ଗତ କେରଳ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ ବାମ ଦଳ ବିରୋଧରେ ଜୋରଦାର ପ୍ରଚାର କରିଥିଲା। ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଅଭିଯୋଗ କରିଥିଲେ​‌ ଯେ କେରଳରେ ବିଜେପି ସହିତ ସିପିଏମ୍‌ର ବୁଝାମଣା ହୋଇଛି। ଏଥିପାଇଁ ପିନାରାଇ ବିଜୟନଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗ ଉପରେ ଇଡି କୌଣସି ତଦନ୍ତ କରୁ ନାହିଁ। ନିର୍ବାଚନ ସମୟରେ କଂଗ୍ରେସ ଯେଉଁ ଅଭିଯୋଗ କରିଥିଲା ତା’ ଉପରେ ସିପିଏମ୍ ସ୍ପଷ୍ଟୀକରଣ ମାଗିବ ବୋଲି କହିଛି। କେରଳ ବିଧାନସଭା ନିର୍ବାଚନରେ ପିପିଏମ୍ ନେତୃତ୍ବାଧୀନ ଏଲ୍‌ଡିଏଫ୍ ସରକାର ପରାଜୟ ବରଣ କରିଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ବିଜୟୀ ହୋଇଛି।
    ଇଣ୍ଡି ମେଣ୍ଟର ଅନ୍ୟତମ ଅଂଶୀଦାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ମଧ୍ୟ କଂଗ୍ରେସ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛି। ଝାଡଖଣ୍ଡରେ ଦୁଇଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ ଗୋଟିଏ ଆସନ ଲାଗି ନିଜର ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ସମୟରେ କଂଗ୍ରେସ ଦଳ ଜେଏମଏମ ସହିତ କୌଣସି ଆଲୋଚନା କରିନାହିଁ। ଅନ୍ୟପଟେ ଜେଏମ୍ଏମ୍ ଦୁଇଟି ଯାକ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡରେ ଜେଏମଏମ୍ ଓ କଂଗ୍ରେସ ମେଣ୍ଟ କ୍ଷମତାରେ ରହିଛି। ‘ଇଣ୍ଡି’ର ଏହ ବୈଠକକୁ ବିଜେପି ସମାଲୋଚନା କରିଛି। ବିଜେପି କହିଛି ଯେ ଇଣ୍ଡି ମେଣ୍ଟ ଏକଜୁଟ୍ ହେବା ପରିବର୍ତ୍ତେ ଦିନକୁ ଦିନ ବିଭାଜନ ହେବାରେ ଲାଗିଛି। ବିଜେପି ମୁଖପାତ୍ର ଶେହଜାଦ ପୁନୱାଲା କହିଛନ୍ତି ଯେ ଇଣ୍ଡି ମେଣ୍ଟ ବୈଠକର କୌଣସି ଲକ୍ଷ୍ୟ ଓ ଯୋଜନା ନାହିଁ। ମେଣ୍ଟରେ କେବଳ ଦ୍ବନ୍ଦ୍ବ ବଢି ଚାଲିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook