ମୁଖ୍ୟ ଖବର
କଟକ: ପ୍ରତିବର୍ଷ ମାଟ୍ରିକ ପ୍ରଥମ ପରୀକ୍ଷା ସାହିତ୍ୟ ବିଷୟରୁ ଆରମ୍ଭ ହେଉଥିବାବେଳେ ଏଥର ପ୍ରଥମେ ଇଂରାଜୀ ପରୀକ୍ଷା କରାଯିବାକୁ ସ୍ଥିର କରାଯାଇଛି । ଏପ୍ରିଲ୍ ୨୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ର ସମେଟିଭ୍ ଆସେସ୍ମେଣ୍ଟ୍-୨ ପରୀକ୍ଷାର ସମୟ ନିର୍ଘଣ୍ଟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜାରି କରାଯାଇଛି । ଏଥର ହାଇସ୍କୁଲ୍ ସାର୍ଟଫିକେଟ୍ ପରୀକ୍ଷାରେ ଭୋକେସନାଲ୍ ଟ୍ରେଡ୍ ଏବଂ ଟିଏଲ୍ଭି ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କର ପରୀକ୍ଷା କରାଯିବ । ଏଥିରେ ୫୦ ନମ୍ବର ଅବଜେକ୍ଟିଭ୍ ତଥା ମଲ୍ଟିପଲ ଚଏସ ପ୍ରଶ୍ନପତ୍ର ରହିବ । ଅବଶିଷ୍ଟ ୩୦ ନମ୍ବର ପ୍ରଶ୍ନ ସବଜେକ୍ଟିଭ୍ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅବଜେକ୍ଟିଭ୍ (ମଲ୍ଟିପଲ୍ ଚଏସ କୋଶ୍ଚିନ)ର ଉତ୍ତର ଓଏମ୍ଆର୍ ଆନସର୍ ସିଟ୍ରେ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର କୋଶ୍ଚିନ୍ରେ ସଂଲଗ୍ନ ହୋଇଥିବା ଉତ୍ତର ଖାତାରେ ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧୦ଟା ଯାଏ ଚାଲିବ । ସେହିପରି ଦ୍ୱିତୀୟ ଦିନ ମେ ୧ ତାରିଖ ରବିବାର ଧନ୍ଦାମୂଳକ ଶିକ୍ଷା (ଭୋକେସନାଲ୍) ପରୀକ୍ଷାର୍ଥୀଙ୍କର ଟିଏଲ୍ଭି ପ୍ରାକ୍ଟିକାଲ୍ ପରୀକ୍ଷା, ମେ’ ୨ ରେ ଗଣିତ ପରୀକ୍ଷା ସକାଳ ୮ଟାରୁ ୧୦ଟା ୧୫ ଯାଏ ସମୟ ନିର୍ଘଣ୍ଟ ରହିଛି । ୪ ତାରିଖରେ ସାଧାରଣ ବିଜ୍ଞାନ ପରୀକ୍ଷା, ୫ରେ ସାହିତ୍ୟ ପରୀକ୍ଷା, ୬ରେ ହିନ୍ଦୀ/ ସଂସ୍କୃତ ପରୀକ୍ଷା ରହିଛି । ସେହିପରି ୬ରେ ଭୋକେସନାଲ୍ ପରୀକ୍ଷାର୍ଥୀଙ୍କର ଥିଓରୀ ପରୀକ୍ଷା ଓ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି । ତେବେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ସାହିତ୍ୟ, ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ପୃଥକ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ୍ ପରୀକ୍ଷା (୫୦ ନମ୍ବର ସମ୍ବଳିତ) ୨ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ପରୀକ୍ଷା ଓସେପା ତତ୍ତ୍ୱାବଧାନରେ ନିଜ ବିଦ୍ୟାଳୟରେ କରାଯିବ ।
Comments ସମସ୍ତ ମତାମତ