Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ଅମର ସହିଦ ଲକ୍ଷ୍ମଣ ନାଏକ

    Share on :
    ajab-Image
    Date: Aug 11, 2022    Views: 2984

    ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅନନ୍ୟ ଭୂମିକା ରହିଛି  । ୧୮୦୪ରେ ଜୟୀ ରାଜଗୁରୁଙ୍କର ବିଦ୍ରୋହ, ୧୮୧୬ରେ ପାରଳାଖେମୁଣ୍ଡିର କନ୍ଧ ଆନ୍ଦୋଳନ, ୧୮୧୭ରେ ଖୋର୍ଦ୍ଧାର ପାଇକ ବିଦ୍ରୋହ, ୧୮୨୭ରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ, ୧୮୩୫ରେ ଘୁମୁସରର ବିଦ୍ରୋହ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି  । ଏହିସବୁ ଆନ୍ଦୋଳନ ବ୍ୟତୀତ ୧୯୪୦ରୁ ୧୯୪୨ ପର୍ଯ୍ୟନ୍ତ କୋରାପୁଟର ଆଦିବାସୀମାନଙ୍କ ବିଦ୍ରୋହ ବି ଚିରସ୍ମରଣୀୟ  । ଏହି ସଂଗ୍ରାମର ମୁଖ୍ୟ ନାୟକ ଥିଲେ ବୀର ଲକ୍ଷ୍ମଣ ନାଏକ  ।

    କୋଲାବ ନଦୀ ପାର ହୋଇ ପ୍ରାୟ ୧୨ ମାଇଲ ଗଲେ ପଡେ଼ ତେନ୍ତୁଳିଗମ୍ମା  । ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମର ମୁଖିଆ ଥିଲେ ପଦଲମ ଭୂମିଆ  । ସେ ଆଖପାଖ ଚାରି ଖଣ୍ଡି ଗ୍ରାମର ମଧ୍ୟ ମୁଖିଆ ଥିଲେ  । ୧୮୯୯ ମସିହା ନଭେମ୍ବର ୨୨ରେ ପଦଲମ ଓ ସମ୍ଭାରୀଙ୍କ ଔରସରୁ ଲକ୍ଷ୍ମଣ ନାଏକ ଜନ୍ମ ଗ୍ରହଣ କରିଥିଲେ  । ପିଲାଟି ଦିନରୁ ବାପାଙ୍କ ସହ ଲକ୍ଷ୍ମଣ ବିଭିନ୍ନ ଗାଁ ବୁଲି ଲୋକଙ୍କ ସୁଖଦୁଃଖ ବୁଝୁଥିଲେ  । ମାତ୍ର ୧୯ ବର୍ଷ ବୟସରେ ସେ ଘାସି ଭୂମିଆଙ୍କ ଝିଅ ମଙ୍ଗୁଳିଙ୍କୁ ବିବାହ କରିଥିଲେ  । ଯୁବାବସ୍ଥାରୁ ସେ ବେଶ ଲୋକପ୍ରିୟତା ଅର୍ଜନ କରିପାରିଥିଲେ  । ପିତାଙ୍କ ମୃତ୍ୟୁ ପରେ ତାଙ୍କୁ ହିଁ ୪ଟି ଗ୍ରାମର ନାୟକ ଭାବେ ନିଯୁକ୍ତ କରାଯାଇଥିଲା  । ସେହି ସମୟରେ କଂଗ୍ରେସ ନେତୃତ୍ୱରେ ସାରା ଦେଶରେ ଇଂରେଜମାନଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ ଚାଲିଥିଲା  । ଜଣେ ବିପ୍ଲବୀ ଚିନ୍ତାଧାରାର ହୋଇଥିବାରୁ ଲକ୍ଷ୍ମଣ ମଧ୍ୟ କଂଗ୍ରେସ ସହ ଯୋଡ଼ି ହୋଇ ଯାଇଥିଲେ  । କମ ଦିନରେ ସେ କୋରାପୁଟର ଜଣେ ଆଗଧାଡ଼ିର ନେତା ଭାବେ ପରିଗଣିତ ହୋଇପାରିଥିଲେ  । ମହାତ୍ମାଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଡାକରାରେ ସାମିଲ ହୋଇ ଲକ୍ଷ୍ମଣଙ୍କୁ ୯ ମାସ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା  ।

    ୧୯୪୨ ମସିହା ଅଗଷ୍ଟ ୨୧ରେ ଲକ୍ଷ୍ମଣଙ୍କ ନେତୃତ୍ୱରେ ମାତିଲି ଥାନା ଘେରାଉ କରାଯାଇଥିଲା  । ସେଦିନ ହାଟପାଳି ଥିବାରୁ ସ୍ଥାନୀୟ ଅଞ୍ଚଳ ଜନାରଣ୍ୟ ହୋଇପଡ଼ିଥିଲା  । ଲକ୍ଷ୍ମଣଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ମାତିଲି ଥାନା ଅଭିମୁଖେ ଯାଉଥିବା କଥା ଜାଣି ତାଙ୍କୁ ଅଟକାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା  । ଶହ ଶହ ପୁଲିସ ଲାଠି ଧରି ଥାନା ଆଗରେ ଠିଆ ହୋଇଥିଲେ  । କିନ୍ତୁ ଏହାକୁ ଖାତିର ନକରି ବିପ୍ଲବୀମାନେ ଥାନା ଭିତରକୁ ପ୍ରବେଶ କରିଥିଲେ  । ତେବେ ପୁଲିସ ଲାଠିଚାର୍ଜ କରିବାରୁ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ  । ଲକ୍ଷ୍ମଣ ନାଏକଙ୍କୁ ୪ ଜଣ ପୁଲିସ ମାଡ଼ି ବସିବା ସହ ଠେଙ୍ଗାରେ ପିଟିପିଟି ଲହୁଲୁହାଣ କରିଦେଇଥିଲେ  । ପୁଲିସ ଭାବିଥିଲା ଲକ୍ଷ୍ମଣଙ୍କୁ ମାଡ଼ ମାରିଲେ ଅନ୍ୟମାନେ ଭୟଭୀତ ହୋଇ ପଳାଇବେ  । କିନ୍ତୁ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଥିଲା  । ନେତାଙ୍କୁ ଏଭଳି ମାଡ଼ ହେଉଥିବା ଦେଖିବା ପରେ ଲୋକମାନେ ଆହୁରି ଉତ୍ତ୍ୟକ୍ତ ହେବା ସହ ବାଉଁଶ ବାଡ଼ ଭାଙ୍ଗି ଥାନା ଭିତରକୁ ମାଡ଼ି ଯାଇଥିଲେ  । ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଗୁଳିମାଡ଼ କରିଥିଲା  । ଯେଉଁ ଗୁଳିମାଡ଼ରେ ୧୧ ଜଣ ସହିଦ ହୋଇଯାଇଥିଲେ  । ପୁଲିସର ଗୁଳି ଶବ୍ଦ ଓ ଲୋକଙ୍କ ଚିତ୍କାରରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା  । ପୁଲିସ ଓ ଜନତା ମୁହାଁମୁହିଁ ହେବା ସମୟରେ ଫରେଷ୍ଟ ଗାର୍ଡ ରାମେୟା ବି ପୁଲିସ ଗୁଳିରେ ଟଳି ପଡ଼ିଥିଲେ  । କିନ୍ତୁ ରାମେୟାର ମୃତ୍ୟୁ ପାଇଁ ଲକ୍ଷ୍ମଣ ନାଏକ ଓ ତାଙ୍କର ସହଯୋଗୀ ବଳରାମ ପୂଜାରୀଙ୍କୁ ଦାୟୀ କରାଯାଇଥିଲା  । ବନ୍ଧୁକ ମୁନ ଓ ଠେଙ୍ଗାରେ ମାଡ଼ ଯୋଗୁଁ ଲକ୍ଷ୍ମଣ ନାଏକ ଅଚେତ ହୋଇ ପଡ଼ି ରହିଥିଲେ  । ତେବେ ସେ ମରିଥିବା ଭାବି ପୁଲିସ ତାଙ୍କୁ ନେଇ ନାଳରେ ଫିଙ୍ଗିଦେଇଥିଲା  । ଚେତା ଫେରିବା ପରେ ଲକ୍ଷ୍ମଣ ନାଳରୁ ଉଠି ଖସି ପଳାଇଥିଲେ  । କଂଗ୍ରେସ କର୍ମୀମାନେ ତାଙ୍କୁ ଲୁଚାଇ ରଖିଥିଲେ  । ପୁଲିସ ଏହି ଖବର ପାଇବା ପରେ ଆହୁରି ଉଗ୍ର ହୋଇଯିବା ସହ ଭୀଷଣ ଅତ୍ୟାଚାର ଆରମ୍ଭ କରିଦେଇଥିଲା  । ଲୋକଙ୍କ କଷ୍ଟ ଦେଖି ଲକ୍ଷ୍ମଣ ନାଏକ ଆଉ ଲୁଚିନରହି ଗାଁକୁ ଫେରିବା ପରେ ପୁଲିସ ତାଙ୍କୁ ଗିରଫ କରିନେଇଥିଲା  ।
    ଲକ୍ଷ୍ମଣ ନାଏକଙ୍କ ବିରୋଧରେ ପୁଲିସ ମିଛ ମକଦ୍ଦମା ରୁଜୁ କରିବା ସହ ଫରେଷ୍ଟ ଗାଡର଼୍ ରାମେୟାଙ୍କ ହତ୍ୟାକାଣ୍ଡରେ  ଦୋଷୀ ସାବ୍ୟସ୍ତ କରିବା ନିମନ୍ତେ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବାରେ ସଫଳ ହୋଇଥିଲେ  । ପରେ ବିଚରାଳୟ ଲକ୍ଷ୍ମଣଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ  । ୧୯୪୩ ମସିହା ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଜେଲରେ ତାଙ୍କୁ ଫାଶୀ ଦିଆଯାଇଥିଲା  । ଫାଶୀ ପାଇବା ପୂର୍ବରୁ ତାଙ୍କ ଶେଷ ଇଚ୍ଛାରେ ସେ କହିଥିଲେଯେ, ‘ଯଦି ସୂର୍ଯ୍ୟ, ଚନ୍ଦ୍ର ଅଛି ତେବେ ଭାରତ ନିଶ୍ଚୟ ସ୍ୱାଧୀନ ହେବ  । ମୁଁ ଦେଖିନପାରିଲେ ମଧ୍ୟ ଦେଶବାସୀ ନିଶ୍ଚୟ ଦେଖିବେ ଓ ଉପଭୋଗ କରିବେ  ।’

    Maximum 500 characters

    ICSE 10TH View all

    Find Us on Facebook