Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ଲବଣ ସତ୍ୟାଗ୍ରହ ଓ ଇଞ୍ଚୁଡି ଆନ୍ଦୋଳନ

    Share on :
    ajab-Image
    Date: Aug 11, 2022    Views: 2598

    ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା  । ଏହି ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ  । ୧୯୩୦ ଅପ୍ରେଲ ୬ରେ ଦାଣ୍ଡି ପଦଯାତ୍ରା ଆରମ୍ଭ ହୋଇଥିଲା  । ବ୍ରିଟିଶ ସରକାରଙ୍କର ଲବଣ ଆଇନ ପ୍ରତ୍ୟାଖ୍ୟାନ କରି ଗାନ୍ଧିଜୀ ଅହମ୍ମଦାବାଦର ସାବରମତୀ ଆଶ୍ରମ ଠାରୁ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଦାଣ୍ଡି ଅଭିମୁଖେ ଯାତ୍ରା କରିଥିଲେ  । ଦୀର୍ଘ ୨୪ ଦିନ ଧରି ସେ ପଦଯାତ୍ରା କରିବା ପରେ ଅପ୍ରେଲ ୬ରେ ଦାଣ୍ଡିଠାରେ ପହଁଚିଥିଲେ  । ସେତେବେଳେ ଭାରତୀୟମାନଙ୍କୁ ସମୁଦ୍ରରେ ଲୁଣ ମାରିବାକୁ ନିଷିଦ୍ଧ କରାଯାଇଥିଲା  । ବିଦେଶରୁ ଲୁଣ ଆସି ଭାରତରେ ବିକ୍ରି ହେଉଥିଲା  । ଗାନ୍ଧିଜୀ ନିଜେ ଏହି ଲବଣ ଆଇନ ଭଙ୍ଗ କରିବାକୁ ବାହାରିବା ପରେ ଭାରତର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଯାଇଥିଲେ  । ସାରା ଦେଶରେ ଲବଣ ଆଇନ ଭାଙ୍ଗି ଲୁଣ ମରାଗଲା  ।

    ଓଡ଼ିଶାରେ ମଧ୍ୟ ଏହି ଆନ୍ଦୋଳନର ପ୍ରଭାବ ପଡିଥିଲା  । ବାଲେଶ୍ୱରର ଇଞ୍ଚୁଡ଼ି ନାମକ ସ୍ଥାନରେ ଏହି ଆନ୍ଦୋଳନ ଆରମ୍ଭ ହୋଇ ଉପକୂଳର ଅନ୍ୟ ଅଞ୍ଚଳରେ ବ୍ୟାପି ଯାଇଥିଲା  । ଏହି ସତ୍ୟାଗ୍ରହରେ ସାମିଲ ହୋଇ ଶହ ଶହ ଲୋକ କାରାବରଣ କଲେ ଏବଂ ଅନେକ ବ୍ୟକ୍ତି ଇଂରେଜମାନଙ୍କ ନିର୍ମମ ମାଡରେ ମୃତ୍ୟୁବରଣ କରିଥିଲେ  । ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପକ୍ଷରୁ ବାଲେଶ୍ୱର ସହର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ ଇଞ୍ଚୁଡ଼ି ଠାରେ ଲୁଣ ମାରିବାକୁ ନିଷ୍ପତ୍ତି ନିଆଯାଇଥିଲା  । ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ସ୍ୱରାଜ ଆଶ୍ରମରୁ ୨୧ ଜଣ ସତ୍ୟାଗ୍ରହୀ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ  । ହରେକୃଷ୍ଣ ମହତାବ ବାଲେଶ୍ୱର ଉପକୂଳରେ ଲବଣ ସତ୍ୟାଗ୍ରହ ସଂଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ସେମାନେ ପଦଯାତ୍ରା କରି ଯାଉଥିବା ସମୟରେ ଗୋପବନ୍ଧୁ ଚୌଧୁରୀ ଓ ଅଟଳ ବିହାରୀ ଆଚାର୍ଯ୍ୟ କଟକରେ ଗିରଫ ହୋଇଥିଲେ  । ହରେକୃଷ୍ଣ ମହତାବ ମଧ୍ୟ ବାଲେଶ୍ୱର ରେଳ ଷ୍ଟେସନରେ ଗିରଫ ହେବା ପରେ ଆଚାର୍ଯ୍ୟ ହରିହର ଦାସ ଓ ବାଲେଶ୍ୱରର ସର୍ଦ୍ଦାର ସୁରେନ୍ଦ୍ର ନାଥ ଦାସ ପ୍ରମୁଖ ୧୯୩୦ ଅପ୍ରେଲ ୧୩ରେ ଇଞ୍ଚୁଡ଼ି ଠାରେ ଲୁଣ ମାରିଥିଲେ  ।


    ପରବର୍ତ୍ତୀ ସମୟରେ ମାଳତୀ ଦେବୀ, କୋକିଳ, ଜାହ୍ନବୀ, କିରଣବାଳା ଓ କାନନବାଳା ଲବଣ ଆଇନ ଭଙ୍ଗ କରିଥିଲେ  । ସେହିପରି କଟକରୁ ଗୌରାଙ୍ଗ ଚରଣ ଦାସଙ୍କ ନେତୃତ୍ୱରେ ଲୌହସ୍ତମ୍ଭ ବାହିନୀ, ପୁରୀରୁ ପତିତପାବନ ବାହିନୀ, ଗଞ୍ଜାମ ବାହିନୀ, ସମ୍ବଲପୁର ବାହିନୀ ଲବଣ ଆଇନ ଆନ୍ଦୋଳନରେ ଯୋଗ ଦେଇଥିଲେ  । ଇଞ୍ଚୁଡି ତଥା ଅନ୍ୟ ସ୍ଥାନରୁ ପ୍ରାୟ ୨୦ ମହଣ ଲୁଣ ବାଲେଶ୍ୱର ଅଣାଯାଇଥିଲା  । ସେଥିପାଇଁ ଏହାକୁ ଓଡିଶାର ଦାଣ୍ଡି ବୋଲି କୁହାଯାଏ  । ଇଞ୍ଚୁଡ଼ି ବ୍ୟତୀତ ବାଲେଶ୍ୱର ଜିଲ୍ଲାର ସାର୍ଥା, ଭଦ୍ରକ ଜିଲ୍ଲାର ଇରମ, କଟକ ଜିଲ୍ଲାର କୁଜଙ୍ଗ, ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ଚିଲିକା, ହୁମା, ଗୋପାଳପୁର ତଥା ଚାଟୁଆ ଆଦି ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା  । ସମ୍ବଲପୁରରେ ଘନଶ୍ୟାମ ପାଣିଗ୍ରାହୀ, ଦୟାନନ୍ଦ ଶତପଥି ଓ ହରିହର ବେହେରାଙ୍କ ନେତୃତ୍ୱରେ ସତ୍ୟାଗ୍ରହ କମିଟି ଗଠନ କରାଯାଇଥିଲା  । କୁଜଙ୍ଗରେ ନାରାୟଣ ବୀରବର ସାମନ୍ତ ଓ ଭାଗ୍ୟବତୀ ପାଟ୍ଟ ମହାଦେଈ, ରମାଦେବୀ, ମାଳତୀ ଚୌଧୁରୀ, ନାରାୟଣ ପାତ୍ର, ଶରତ ଚନ୍ଦ୍ର ଦାସ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ  ।  


    ବ୍ରିଟିଶ ଶାସନ ସମୟରେ ଲବଣ ସତ୍ୟାଗ୍ରହ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା  । ଲବଣ ସତ୍ୟାଗ୍ରହ ବେଳେ ଇଞ୍ଚୁଡ଼ି ନିକଟବର୍ତ୍ତୀ ଶ୍ରୀଜଙ୍ଗ ଗ୍ରାମର ଗୌରମୋହନ ଦାସ ଓ ବିଦ୍ୟାଧର ରାଉତଙ୍କ ନେତୃତ୍ୱରେ ଲୋକେ ଚୌକିଦାରୀ ଟିକସ ନଦେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ  । ଏହି ସମୟରେ ଘଟିଥିବା ଆଉ ଏକ ବିଶେଷ ଘଟଣା ହେଉଛି ବାନର ସେନା ଗଠନ  । ୧୭ ବର୍ଷରୁ କମ ବୟସର ପିଲାମାନେ ସ୍ୱେଚ୍ଛାସେବକ ହୋଇ ଲୁଣ ମାରିବା, ପିକେଟିଂ କରିବା ଆଦି କାର୍ଯ୍ୟରେ ଯୋଗ ଦେଇଥିଲେ  । ୧୯୩୦ର ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଓ ଦାଣ୍ଡି ଯାତ୍ରା ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି  ।

    Maximum 500 characters

    ICSE 10TH View all

    Find Us on Facebook