Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 12TH

ମୁଖ୍ୟ ଖବର

    କାଳଜୟୀ ସାହିତ୍ୟିକା, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

    Share on :
    ajab-Image
    Date: Aug 9, 2022    Views: 2588

    ଭୁବନେଶ୍ୱର : ୧୯୦୦ ମସିହା ଫ୍ରେବୃଆରୀ ୮ ତାରିଖ ଦିନ କୁନ୍ତଳା କୁମାରୀ ସାବତ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ମାତ୍ର ୩୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା  । ଧରାଭୂମିରେ ସେ ଚାରି ଦଶନ୍ଧି ଭୋଗ କରିନଥିଲେବି ତାଙ୍କର ସୃଜନଶୀଳତା ତାଙ୍କୁ ଯୁଗେଯୁଗେ ମନେରଖିବ।

    ଓଡ଼ିଶାର ବିଚ୍ଛିନାଞ୍ଚଳ ବସ୍ତରରେ ସେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ସହ ସେ କିଛିଦିନ ସୁଦୂର ବର୍ମାରେ ଅବସ୍ଥାନ କରିଥିଲେ । ପିତା ଦାନିଏଲ ସାବତ ଓ ମାତା ମଣିକା ସାବତ ଖ୍ରୀଷ୍ଟଧର୍ମାବଲମ୍ବୀ ଥିଲେ। ତେବେ ପିତା ଦାନିଏଲ ଶାଳୀଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କ ମା’ ପିଲାମାନଙ୍କୁ ନେଇ ଖୋର୍ଦ୍ଧା ପଳାଇ ଆସିଥିଲେ ।

    ୧୯୧୭ରେ ରେଭେନ୍ସା ବାଳିକା ବିଦ୍ୟାଳୟରେ କୁନ୍ତଳା ଶିକ୍ଷାଗ୍ରହଣ କରିଥିଲେ । ଜଣେ ମେଧାବୀ ଛାତ୍ରୀ ଥିବାରୁ ସେ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲେ ।୧୯୨୧ରେ ମେଡ଼ିକାଲ କଲେଜରୁ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ୧୯୨୧ରେ ସେ କଟକ ରେଡ଼କ୍ରସର ତତ୍ତ୍ୱାବଧାରିକା ଭାବେ ନିଯୁକ୍ତ ହୋଇଥିଲେ  । ତେବେ ୧୯୨୭ରେ ସେ ଚାକିରୀ ଛାଡ଼ି ଦିଲ୍ଲୀ ଯିବା ସହ ସ୍ୱାଧୀନ ଭାବେ ଡାକ୍ତରୀ ଚିକିତ୍ସା ଆରମ୍ଭ କରିଥିଲେ । 

    ଜୀବନର ଶୈଶବ ଓ ଯୌବନ ସମୟ ସେ ଓଡ଼ିଶା ବାହାରେ ଅତିବାହିତ କରିଥିଲେ ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟରେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ। ସାହିତ୍ୟ ସାଧନାରେ ସେ ଅହରହ ବ୍ରତୀ ରହିଥିଲେ । ମାଧବୀ, ବୃନ୍ଦାବତୀଙ୍କ ଭଳି ନାରୀ କବିଙ୍କ ତୁଳନାରେ ଭାଷା ସାହିତ୍ୟକୁ ତାଙ୍କର ଅବଦାନ କମନଥିଲା ବୋଲି ସମୀକ୍ଷକମାନେ ମତପୋଷଣ କରନ୍ତି ।

    କବିବର ରାଧାନାଥ, ଭକ୍ତକବି ମଧୁସୂଦନ ଓ ବ୍ୟାସକବି ଫକୀରମୋହନ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ମାଇଲଖୁଣ୍ଟ । ତେବେ ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ମଧ୍ୟରେ ଏହି ତିନି ମହାରଥି ଧରାଧାମରୁ ବିଦାୟ ନେଇଥିଲେ। ଫଳରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ପରେ ପରେ ସତ୍ୟବାଦୀ ଯୁଗର ପଞ୍ଚସଖା ଏହି ଶୂନ୍ୟସ୍ଥାନକୁ ପୂରଣ କରି ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଇଥିଲେ। 

    କୁନ୍ତଳାକୁମାରୀ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିଲେ ବି ପରେ ଆର୍ଯ୍ୟ ସମାଜ ମତରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଧର୍ମକୁ ନେଇ ତାଙ୍କର କୌଣସି ସଂକୀର୍ଣ୍ଣତା ନଥିଲା। ତାଙ୍କ ରଚିତ ‘ଅଞ୍ଜଳୀ’ରେ ସ୍ଥାନ ପାଇଥିବା ପୂଜା ପଦ୍ଧତି କବିତା ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରାର୍ଥନା ରୂପେ ଗୃହୀତ ହୋଇଥିଲା। 

    ମାତ୍ର ୨୨ ବର୍ଷ ବୟସରୁ କୁନ୍ତଳାକୁମାରୀ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ଅଞ୍ଜଳୀ, ଉଚ୍‌ଛ୍ୱାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ପ୍ରେମଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା, ଗଡ଼ଜାତ କୃଷକ, ମଣିକାଞ୍ଚନ ଭଳି କବିତା ପୁସ୍ତକ ସେ ରଚନା କରିଥିଲେ। ଏହାଛଡ଼ା ଭ୍ରାନ୍ତି, ନଅତୁଣ୍ଡି, ପରଶମଣି, କାଳିବୋହୂ, ରଘୁ ଅରକ୍ଷିତ, ଚିତ୍ରପଟ୍ଟ ଭଳି ଉପନ୍ୟାସ ରଚନା କରି ସେ ନିଜର ସୃଜନଶୀଳତାର ପ୍ରମାଣ ଦେଇଛନ୍ତି । ଓଡ଼ିଆ ସାହିତ୍ୟରେ ତାଙ୍କୁ ପ୍ରଥମ ଔପନାସିକା ବୋଲି କୁହାଯାଏ  । ଦିଲ୍ଲୀରେ ଥିବାବେଳେ ହିଁ ସେ ଓଡ଼ିଆରେ ଅନେକ କବିତା, ଗପ ଲେଖିପାରିଛନ୍ତି  ।

    ଖାଲି ଓଡ଼ିଆରେ ନୁହେଁ ହିନ୍ଦୀରେ ମଧ୍ୟ ସେ କଲମ ଚାଳନା କରିଥିଲେ । ସେ ହିନ୍ଦୀରେ ‘ବରମାଳା’ ନାମକ ଏକ କବିତା ରଚନା କରିବା ସହ ମହାବୀର, ଜୀବନ ଏବଂ ନାରୀ ଭାରତୀ ପ୍ରଭୃତିର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ଏହାଛଡ଼ା କୁନ୍ତଳା ଅନେକ ଇଂରାଜୀ କବିତା ମଧ୍ୟ ଲେଖିଛନ୍ତି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ କବିତା, ଉପନ୍ୟାସ ଆଦି ରଚନା କରି ସେ ଜଣେ କାଳଜୟୀ ସାହିତ୍ୟିକା ଭାବେ ଯୁଗେଯୁଗେ ଅମର ରହିବେ ।

     

    Maximum 500 characters

    ICSE 12TH View all

    Find Us on Facebook