ମୁଖ୍ୟ ଖବର
ଢେଙ୍କାନାଳ : ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ପ୍ରଣତୀ ସାହା ସୋମବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ରାସୋଳ ଥାନାର ପୂର୍ବତନ ଏଏସ୍ଆଇ ଅଭିମନ୍ୟୁ ସାହୁଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅର୍ଥ ଅନାଦେୟ ୩ ମାସ ଅଧିକ ଜେଲ୍ଦଣ୍ଡ ଭୋଗିବାକୁ ରାୟ ପ୍ରକାଶ ପାଇଛି । ବିଚାର ଚାଲିଥିବାବେଳେ ଏହି ଲାଞ୍ଚ ମାମଲାରେ ସଂପୃକ୍ତ ଉକ୍ତ ଥାନାର ଅନ୍ୟଜଣେ ଏଏସ୍ଆଇ ଶ୍ରୀରାମ ଚନ୍ଦ୍ର ଜେନାଙ୍କର ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ, ୨୦୧୨ ମାର୍ଚ୍ଚ ୧୫ ତାରିଖରେ ଲାଞ୍ଚ ନେଉଥିବାବେଳେ ରାସୋଳ ଥାନାର ତତ୍କାଳୀନ ଏଏସ୍ଆଇ ଅଭିମନ୍ୟୁ ସାହୁ ଓ ଏଏସ୍ଆଇ ଶ୍ରୀରାମ ଚନ୍ଦ୍ର ଜେନା ଭିଜିଲାନ୍ସ ହାତରେ ଧରାପଡି଼ଥିଲେ । ଜଣେ ଛାତ୍ରଙ୍କର ବାଇକ୍ରୁ ପେଟ୍ରୋଲ୍ ସରିଯିବାରୁ ରାସ୍ତାପାଶ୍ୱର୍ରେ ସେ ଗାଡ଼ି ରଖି ପେଟ୍ରୋଲ୍ ଆଣିବାକୁ ଟାଙ୍କିକୁ ଯାଇଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା ଏଏସ୍ଆଇ ଶ୍ରୀ ସାହୁ ଓ ଏଏସ୍ଆଇ ଶ୍ରୀ ଜେନା ଉକ୍ତ ଗାଡ଼ିକୁ ରାସ୍ତାରୁ ଜବତ କରି ଥାନାକୁ ନେଇଆସିଥିଲେ । ଛାତ୍ର ଜଣଙ୍କ ଥାନାରେ ପହଞ୍ଚି ବାଇକ୍ ମାଗିବାରୁ ତାଙ୍କୁ ନାନାଦି ହଇରାଣ କରିଥିଲେ । ଥାନାରୁ ବାଇକ୍ ନେବାକୁ ହେଲେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ୩ ହଜାର ଟଙ୍କା ଏଏସ୍ଆଇ ଶ୍ରୀ ସାହୁ ଓ ଆଉ ୨ ହଜାର ଟଙ୍କା ଏଏସ୍ଆଇ ଶ୍ରୀ ଜେନା ନେବା ପାଇଁ କଥା ଛିଡ଼ିଥିଲା । ଏ ନେଇ ଛାତ୍ର ଓ ତାଙ୍କ ଅଭିଭାବକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗ ଦୁଇ ଲାଞ୍ଚୁଆ ପୁଲିସ୍ ବାବୁଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ସେହି ଅନୁସାରେ ୩ ହଜାର ରାସାୟନିକ ରଙ୍ଗବୋଳା ଟଙ୍କାକୁ ଭିଜିଲାନ୍ସ ଟିମ୍ ଛାତ୍ରଙ୍କୁ ଦେଇଥିଲା । ଘଟଣା ଦିନ ଛାତ୍ର ଜଣଙ୍କ ଉକ୍ତ ୩ ହଜାର ଟଙ୍କା ନେଇ ଦେଉଥିବାବେଳେ ଦୁଇ ଲାଞ୍ଚୁଆ ପୁଲିସ୍ ବାବୁଙ୍କୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ । ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ଏଏସ୍ଆଇ ଶ୍ରୀ ସାହୁ ଓ ଏଏସ୍ଆଇ ଶ୍ରୀ ଜେନାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଥିଲା । ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲାର ବିଚାର ଚାଲିଥିଲା । ବିଚାର ଚାଲିଥିବା ବେଳେ ୨୦୨୧ ଡିସେମ୍ବର ୧୭ ତାରିଖରେ ଅଭିଯୁକ୍ତ ପୁଲିସ୍ ଏଏସ୍ଆଇ ଶ୍ରୀରାମ ଜେନାଙ୍କର ପରଲୋକ ଘଟିଥିଲା । ପରେ ଏହି ମାମଲାରୁ ତାଙ୍କୁ ନିବୃତ୍ତ କରାଯାଇ କେବଳ ଏଏସ୍ଆଇ ଅଭିମନ୍ୟୁ ସାହୁଙ୍କ ନାମରେ ମାମଲା ଚାଲିଥିଲା । ସାକ୍ଷ୍ୟ ପ୍ରମାଣ ଓ ଆନୁସଙ୍ଗିକ ଦସ୍ତାବିଜ୍କୁ ଆଧାର କରି ଅଭିଯୁକ୍ତ ପୂର୍ବତନ ଏଏସ୍ଆଇ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଭିଜିଲାନ୍ସର ପୂର୍ବତନ ଇନିସ୍ପେକ୍ଟର ସତ୍ୟନାରାୟଣ ପଟ୍ଟନାୟକ ମାମଲାର ତଦନ୍ତ କରୁଥିଲେ । ଭିଜିଲାନ୍ସ ସ୍ୱତନ୍ତ୍ର ପିପି ହେମନ୍ତ କୁମାର ଖଟୁଆ ମାମଲାକୁ ପରିଚାଳନା କରିଥିବାବେଳେ ସ୍ୱତନ୍ତ୍ର ପିପି ଅନୁଜ୍ଞା ମହାନ୍ତି ସହଯୋଗ କରିଥିଲେ । ଇତି ମଧ୍ୟରେ ଶ୍ରୀ ସାହୁ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିସାରିଛନ୍ତି । ତାଙ୍କ ବିରୋଧରେ ରାୟ ପ୍ରକାଶ ପାଇବା ପରେ ସରକାରଙ୍କ ତରଫରୁ ଶ୍ରୀ ସାହୁ ପାଉଥିବା ପେନ୍ସନ୍କୁ ରଦ୍ଦ କରିବା ପାଇଁ ଭିଜିଲାନ୍ସ ବିଭାଗ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୁପାରିସ୍ କରିଛି ।
Comments ସମସ୍ତ ମତାମତ