ଦୁବାଇ: ସରିଯାଇଛି ଆଇପିଏଳ ମହାସମର। ଆଇପିଏଲର ସିଜିନ୧୪ରେ ବିଜୟର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏହି ବିଜୟ ସହ ୪ଥର ଆଇପିଏଲ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇଛି। ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ କଡା ଟକ୍କର ହୋଇଥିଲା। ହାଇସ୍କୋରିଂ ମ୍ୟାଚରେ କୋଲକାତାକୁ ୨୭ ରନରେ ମାତ୍ ଦେଇ ଚେନ୍ନାଇ ବିଜୟର ମୁକୁଟ ପିନ୍ଧିଛି। ଦୁବାଇ ମାଟିରେ ଦମ ଦେଖାଇଛି ଧୋନୀ ବାହିନୀ। ଏହାପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ରେ ମଧ୍ୟ ଚେନ୍ନାଇ ତା’ର ଚମକ ଦେଖାଇଥିଲା।
ଗତବର୍ଷ ଚେନ୍ନାଇ ଏତେ ଭଲ ପ୍ରଦର୍ଶନ କରିନଥିବାବେଳେ ୨୦୨୧ରେ ଚାମ୍ପିୟନ ହେବା ସହ ଚେନ୍ନାଇ ଉପରେ ଟଙ୍କା ବର୍ଷା ହୋଇଛି। ଫାଇନାଲରେ ମହାବିଜୟ ହାସଲ କରିଥିବା ଚେନ୍ନାଇକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ ହୋଇଥିବା କୋଲକାତା ନାଇଟ ରାଇଡର୍ସକୁ ୧୨.୫ କୋଟି ଟଙ୍କା ମିଳିଛି। ବିଶ୍ୱର ସବୁଠୁ ଦାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ଖେଳାଳୀଙ୍କ ଉପରେ ଟଙ୍କାର ବର୍ଷା ହୋଇଛି।
ସୂଚନା ଅନୁସାରେ ୨ ରନ୍ ବ୍ୟବଧାନରେ ଋତୁରାଜ ଆଇପିଏଲ ୨୦୨୧ ସର୍ବାଧିକ ରନ୍ ସହ ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି। ୬୩୫ ରନ୍ ସହ ଅରେଞ୍ଜ କ୍ୟାପ୍ ହାସଲ କରିଥିବା ଚେନ୍ନାଇର ଋତୁରାଜ ଗାଏକ୍ୱାଡଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି। ସେହିଭଳି ଇମର୍ଜିଙ୍ଗ୍ ପ୍ଲେୟାର ଭାବେ ମଧ୍ୟ ଋତୁରାଜଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି। ଚେନ୍ନାଇ ଫାପ୍ ଡୁ ପ୍ଲେସିସ ୬୩୩ ରନ୍ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେହିଭଳି ଚଳିତ ଆଇପିଏଲରେ ସର୍ବାଧିକ ୱିକେଟ ହାସଲ କରି ପର୍ପଲ କ୍ୟାପ୍ ହାତେଇଥିବା ବାଙ୍ଗାଲୋରର ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ, ସୁପର ଷ୍ଟ୍ରାଇକର ପାଇଁ ସିମରନ ହେଟମାୟରଙ୍କୁ ୧୦ ଲକ୍ଷ, ଆକର୍ଷଣୀୟ କ୍ୟାଚ୍ ପାଇଁ ରବି ବିଷ୍ଣୋୟୀଙ୍କୁ ୧୦ ଲକ୍ଷ, ଗେମ ଚେଞ୍ଜର ଖେଳାଳୀ ଭାବେ ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ, ସର୍ବାଧିକ ଛକା ପାଇଁ କେଏଲ ରାହୁଲଙ୍କୁ ୧୦ ଲକ୍ଷ, ପାୱାର ପ୍ଲେରେ ଭଲ ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟରଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି। ସେହିଭଳି ରାଜସ୍ଥାନ ଟିମକୁ ମଧ୍ୟ ଫେୟାର ପ୍ଲେ ଆୱାର୍ଡ ମିଳିଛି।
Comments ସମସ୍ତ ମତାମତ