Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 12TH

ମୁଖ୍ୟ ଖବର

    ସ୍ୱାଧୀନତା ସଂଗ୍ରାମରେ ପ୍ରଥମ ଓଡିଆ ନାରୀ ‘ସରଳା ଦେବୀ’

    Share on :
    ajab-Image
    Date: Aug 9, 2022    Views: 2663

    ଭୁବନେଶ୍ୱର : ୧୯୦୪ ମସିହା ଅଗଷ୍ଟ ୧୯ ତାରିଖ ଦିନ ସରଳା ଦେବୀ ଜନ୍ମଗ୍ରହଣ କରିଥିଲେ   । ଜଗତସିଂହପୁର ଅନ୍ତର୍ଗତ ନରିଲୋ ଗ୍ରାମର ଏକ ରକ୍ଷଣଶୀଳ ଓ ସମ୍ଭ୍ରାନ୍ତ ପରିବାରରେ ତାଙ୍କର ଜନ୍ମ ହୋଇଥିଲା   । ତାଙ୍କ ପିତାଙ୍କ ନାମ ବାସୁଦେବ କାନୁନଗୋ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ   । ବିଦ୍ୟାସାଗରଙ୍କର ‘ଫାଷ୍ଟ ବୁକ ଅଫ ରିଡିଙ୍ଗ’ରୁ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା   । କଟକର ରେଭେନସା ବାଳିକା ବିଦ୍ୟାଳୟ ଓ ସମ୍ବଲପୁରର କ୍ରୋଫୋର୍ଡ ବାଳିକା ବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ  ।


    ଇଂରାଜୀ ଓ ଓଡିଆ ସହ ସରଳାଙ୍କର ବଙ୍ଗାଳୀ ଭାଷାରେ ବି ଦକ୍ଷତା ଥିଲା   । ବଙ୍କିମ ଚନ୍ଦ୍ର, ରବୀନ୍ଦ୍ରନାଥ ଟାଗୋର, ଶରତଚନ୍ଦ୍ର, ରାମମୋହନ ରାୟ, କେଶବ ଚନ୍ଦ୍ର ସେନ, ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଓ ଗୋପାଳକୃଷ୍ଣ ଗୋଖଲେଙ୍କ ଭଳି ମହାନ ଲେଖକ ଓ ଦାର୍ଶନିକଙ୍କ ଲେଖାରୁ ସେ ପ୍ରେରଣା ପାଇଥିଲେ ।

    ରକ୍ଷଣଶୀଳ ପରିବାରର ହୋଇଥିଲେ ମଧ୍ୟ ସେ କିନ୍ତୁ ସେଭଳି ଚାଲିଚଳଣକୁ ପସନ୍ଦ କରୁନଥିଲେ   । ସେ ମୁଣ୍ଡରେ ଲୁଗା ଦେଉନଥିଲେ କି ଛୁଆଁ ଅଛୁଆଁ ଭେଦଭାବକୁ ଗ୍ରହଣ କରୁନଥିଲେ   । ୧୯୧୮ରେ ମାତ୍ର ୧୪ ବର୍ଷ ବୟସରେ ଜଗତସିଂହପୁରର ଜଣେ ଜମିଦାରଙ୍କ ପୁଅ ଭାଗିରଥି ମହାପାତ୍ରଙ୍କୁ ସେ ବିବାହ କରିଥିଲେ   । ଭାଗିରଥି ସ୍ୱାଧୀନଚେତା ଓ ଦେଶପ୍ରେମୀ ଥିବାରୁ ସରଳା ଦେବୀ ଦେଶପ୍ରେମରେ ଉଦବୁଦ୍ଧ ହୋଇଥିଲେ । ୧୯୧୯ ଜାଲିଆନୱାଲବାଗ ହତ୍ୟାକାଣ୍ଡ ବିରୋଧରେ କଟକରେ ହୋଇଥିବା ଏକ ଶୋଭାଯାତ୍ରାର ଅଗ୍ରଭାଗରେ ଥିଲେ ସରଳା ଦେବୀ । ନବବଧୂ ହୋଇ ଏଭଳି କରୁଥିବାରୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିନ୍ତୁ ସେହି ସମୟରେ ସେ ଯେଉଁ ଓଜସ୍ୱିନୀ ଅଭିଭାଷଣ ଦେଇଥିଲେ, ତାହା ନାରୀ ଜାତି ମନରେ ଗଭୀର ରେଖାପାତ କରିଥିଲା ।

    ନାଗପୁରରେ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସର ୩୫ତମ ଅଧିବେଶନରେ ସରଳା ଦେବୀ ଓଡ଼ିଶାର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ଗାନ୍ଧିଜୀ ଓଡ଼ିଶା ଆସିଥିବା ସମୟରେ ସରଳା ଦେବୀ ସମାବେଶରେ ଯୋଗଦେଇଥିଲେ। ଗାନ୍ଧିଜୀ ହିନ୍ଦୀରେ ଯାହା କହିଥିଲେ ସେ ତାହାର ଓଡ଼ିଆ ଅନୁବାଦ କରି ହଜାର ହଜାର ଜନତାଙ୍କୁ ଶୁଣାଇଥିଲେ । ସେହି ସଭାରେ ସେ ନିଜର ସମସ୍ତ ଅଳଙ୍କାରକୁ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହ ଜୀବନରେ କେବେ ଅଳଙ୍କାର ପିନ୍ଧିବେ ନାହିଁ ବୋଲି କହିଥିଲେ । ବାଲେଶ୍ୱରର ଇଞ୍ଚୁଡି  ଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ନାରୀମାନେ ଯେଭଳି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବେ ସେଥିପ୍ରତି ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କୁ ବ୍ରିଟିଶ ସରକାର ଗିରଫ କରିଥିଲେ । ପ୍ରଥମେ ଛତ୍ରପୁର ଜେଲ ଓ ପରେ ଭେଲୋର ଜେଲରେ ସେ ବନ୍ଦୀ ହୋଇ ରହିଥିଲେ । ସରଳା ଦେବୀ ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜନୈତିକ ମହିଳାବନ୍ଦୀ ।

    ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା  । ସରଳାଦେବୀ ପ୍ରଥମ ମହିଳା ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୩୯ ମସିହା ମାର୍ଚ୍ଚ ୨୪ରେ ସେ ଦିନକ ପାଇଁ ବାଚସ୍ପତି ଆସନରେ ବସି ବିଧାନସଭା କାର୍ଯ୍ୟକ୍ରମକୁ ଓଡିଆ ଭାଷାରେ ପରିଚାଳନା କରିଥିଲେ । ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ଓଡ଼ିଶାରୁ ଗାନ୍ଧିଜୀ ୨୭ ଜଣ ସତ୍ୟାଗ୍ରହୀଙ୍କୁ ଚୟନ କରିଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ସରଳା ଦେବୀ   । ୧୯୪୦ ମସିହା ଡିସେମ୍ବର ୧ ତାରିଖରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ କରି ଗିରଫ ହୋଇଥିଲେ ।

    ଅନେକ କ୍ଷେତ୍ରରେ ସରଳା ଦେବୀ ଥିଲେ ଓଡ଼ିଶାର ପ୍ରଥମ ମହିଳା   । ମୁକ୍ତି ସଂଗ୍ରାମର ପ୍ରଥମ ଓଡିଆ ନାରୀ ଭାବରେ ସେ ପର୍ଦ୍ଧାପ୍ରଥାର ଲଂଘନ କରି ସାହାସର ପରିଚୟ ଦେଇଥିଲେ । ଲବଣ ସତ୍ୟାଗ୍ରହରେ ଓଡିଶାର ପ୍ରଥମ ମହିଳା ରାଜନୈତିକ ବନ୍ଦୀ, ଖଦୀ ପିନ୍ଧିବାରେ ପ୍ରଥମ ମହିଳା, ବ୍ୟବସ୍ଥାପକ ସଭାର ପ୍ରଥମ ମହିଳା ବିଧାୟିକା, ବ୍ୟକ୍ତିଗତ ସତ୍ୟାଗ୍ରହୀ ଭାବେ ପ୍ରଥମ ମହିଳା ବନ୍ଦୀ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ଏହାଛଡା ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଶିକ୍ଷା କମିଶନରେ ଯୋଗ ଦେଇଥିବା ଏକମାତ୍ର ମହିଳା ପ୍ରତିନିଧି, ନେହେରୁଙ୍କ ଗଠିତ ପ୍ଲାନିଂ କମିଟିରେ ପ୍ରଥମ ଓଡିଆ ପ୍ରତିନିଧି, ଓଡିଶା ବିଧାନସଭାର ପ୍ରଥମ ଅସ୍ଥାୟୀ ନାରୀ ବାଚସ୍ପତି, ନାରୀ କଲ୍ୟାଣ ସମବାୟ ସମିତିର ମଧ୍ୟ ସେଥିଲେ ପ୍ରଥମ ମହିଳା ସଭାନେତ୍ରୀ । ଓଡିଶାର ନାରୀ ଜାଗରଣର ପ୍ରମୁଖ ନେତ୍ରୀ ଭାବେ ସେ ସବୁଦିନ ପାଇଁ ମନେରହିବେ ।

    Maximum 500 characters

    ICSE 12TH View all

    Find Us on Facebook