Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 12TH

ମୁଖ୍ୟ ଖବର

    ଭାରତ ମୁକ୍ତି ସଂଗ୍ରାମରେ ‘ରମାଦେବୀ’

    Share on :
    ajab-Image
    Date: Aug 9, 2022    Views: 2612

    ଭୁବନେଶ୍ୱର : ଭାରତର କ୍ରାନ୍ତି ସଂଗ୍ରାମରେ ନାରୀନେତ୍ରୀମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ   । ଯେଉଁ ସମୟରେ ନାରୀମାନେ ଚୁଲି ମୁଣ୍ଡରେ ବସୁଥିଲେ ଅଥବା ଘରର ଚାରି କାନ୍ଥ ଭିତରେ ଆବଦ୍ଧ ଥିଲେ ସେତେବେଳେ କେତେକ ମହିୟସୀ ମହିଳା ସ୍ୱାଧୀନତା ସଂଗ୍ରାମର ଅଗ୍ନିକୁଣ୍ଡକୁ ଲମ୍ଫ ଦେଇଥିଲେ । ପୁରୁଷମାନଙ୍କ ସହ ପାଦକୁ ପାଦ ମିଳାଇ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଭାରତର କ୍ରାନ୍ତି ଆନ୍ଦୋଳନଆହୁରି ଶକ୍ତିଶାଳୀ କରିପାରିଥିଲେ   ।

    ସ୍ୱାଧୀନତା ସଂଗ୍ରାମରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ବେଳେ ସର୍ବଦା ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ ହିଁ ଆଖିଆଗରେ ନାଚି ଉଠନ୍ତି   । ତାଙ୍କର ଅଦମ୍ୟ ବୀରତ୍ୱର କାହାଣୀ ସବୁଦିନ ପାଇଁ ଭାରତ ଇତିହାସରେ ଜାଜ୍ଜୁଲ୍ୟମାନ ହୋଇ ରହିବ । ଲକ୍ଷ୍ମୀବାଈଙ୍କ ବ୍ୟତୀତ ଲକ୍ଷ୍ମୀ ସେହଗଲ, କସ୍ତୁରବା ଗାନ୍ଧୀ, ରାଜକୁମାରୀ ଅମ୍ରିତ କୌର, କମଳା ନେହେରୁ, ଲକ୍ଷ୍ମୀ ପଣ୍ଡିତ, ଇନ୍ଦିରା ପ୍ରିୟଦର୍ଶିନୀ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।
     ଓଡ଼ିଶାର ନାରୀମାନେ ମଧ୍ୟ ଏକ୍ଷେତ୍ରରେ ପଛରେ ନଥିଲେ । ବୀର ମାଟି ଓଡ଼ିଶାର ଝିଅ ରମାଦେବୀ, ମାଳତୀ ଚୌଧୁରୀ, ସରଳାଦେବୀଙ୍କ ଠାରୁ ନେଇ ଅନେକ ମହିଳା ବ୍ରିଟିଶ ବିରୋଧରେ ଲଢ଼ିଥିଲେ । ସେମାନେ ହୁଏତ ଶସ୍ତ୍ର ଉଠାଇନଥିଲେ ହେଲେ ଗାଁ ଗାଁ ବୁଲି ବ୍ରିଟିଶ ବିରୋଧରେ ସେମାନେ ମହିଳାମାନଙ୍କୁ ମତାଇ ପାରିଥିଲେ । ମହିଳାମାନେ ସ୍ୱାଧୀନତା ସଂଗ୍ରାମକୁ ଝାସ ଦେବା ପରେ ଆନ୍ଦୋଳନ ଆହୁରି ବଳିଷ୍ଠ ହୋଇପାରିଥିଲା ।

    ମୁକ୍ତି ସଂଗ୍ରାମରେ ଓଡ଼ିଆଣୀ ମାଆ ରମାଦେବୀଙ୍କ ଭୂମିକା ଚିରସ୍ମରଣୀୟ । କୁଳବୃଦ୍ଧ ମଧୁସୂଦନ ଦାସଙ୍କ କନିଷ୍ଠ ଭ୍ରାତା ଗୋପାଳ ବଲ୍ଲଭ ଦାସ ଓ ତାଙ୍କ ପତ୍ନୀ ବସନ୍ତ କୁମାରୀଙ୍କ ଅଳିଅଳ କନ୍ୟା ରୂପେ ସେ ୧୮୯୯ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରମାଦେବୀଙ୍କ ପିତା ପଶ୍ଚିମବଙ୍ଗର ମୁଜାଫରପୁରରେ ମାଜିଷ୍ଟ୍ରେଟ୍‌ ଥିବାବେଳେ ଦେଶଭକ୍ତ ଖୁଦିରାମ ବୋଷଙ୍କୁ ଇଂରେଜ ସରକାର ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଘଟଣା ରମାଦେବୀଙ୍କ ବାଳୁତ ମନରେ ଗଭୀର ପ୍ରଭାବ ପକାଇଥିଲା । ବଡ଼ବାପା ମଧୁସୂଦନଙ୍କ ଜାତୀୟତାବାଦ ଚିନ୍ତାଧାରା, ବିଚ୍ଛିନାଞ୍ଚଳ ଏକତ୍ରୀକରଣ ତଥା ଜନସେବା ତାଙ୍କ ପାଇଁ ପ୍ରେରଣା ପାଲଟିଥିଲା । ମଧୁବାବୁଙ୍କ ଆଦର୍ଶ ହିଁ ତାଙ୍କୁ ବେଶୀ ଅନୁପ୍ରାଣୀତ କରିଥିଲା । ରକ୍ଷଣଶୀଳ ଓଡ଼ିଆ ପରିବାର ହୋଇଥିବାରୁ ଅନ୍ୟ ଝିଅଙ୍କ ଭଳି ସେ ମଧ୍ୟ କମ ବୟସରେ ବିବାହ କରିଥିଲେ । ମାତ୍ର ୧୫ ବର୍ଷ ବୟସରେ ସମ୍ଭ୍ରାନ୍ତ ଚୌଧୁରୀ ପରିବାରର ପୁଅ ଗୋପବନ୍ଧୁଙ୍କୁ ସେ ବିବାହ କରିଥିଲେ ।

    ୧୯୨୧ ମସିହାରେ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଚାକିରୀରୁ ଇସ୍ତଫା ଦେଇ ସେ କଂଗ୍ରେସରେ ଯୋଗ ଦେଇଥିଲେ । ସେହିବର୍ଷ ମାର୍ଚ୍ଚ ୨୧ରେ କାଠଯୋଡ଼ି ବାଲିପଠାରେ ମହାତ୍ମାଗାନ୍ଧୀଙ୍କ ଅଭିଭାଷଣ ରମାଦେବୀଙ୍କ ମନରେ ଜାତିପ୍ରୀତି, ଦେଶପ୍ରୀତି ଭରି ଦେଇଥିଲା । ଦେଶ ପାଇଁ କିଛି କରିବାର ଜିଜ୍ଞାସା ତାଙ୍କ ମନରେ ଅଙ୍କୁରିତ ହୋଇଥିଲା । ପରେ ସେ ମଧ୍ୟ କଂଗ୍ରେସରେ ଯୋଗଦେବା ସହ ୧୯୨୨ରେ ଗୟା, ୧୯୨୮ରେ କଲିକତା ଓ ୧୯୨୯ରେ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ ।

    ୧୯୩୦ରେ ଇଞ୍ଚୁଡ଼ି ଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ହଜାର ହଜାର ଲୋକଙ୍କୁ ସମବେତ କରି ଅନ୍ୟମାନଙ୍କୁ ଚକିତ କରିଦେଇଥିଲେ । ଯେଉଁଥିପାଇଁ ସେ ବ୍ରିଟିଶମାନଙ୍କ ବିଷ ଚକ୍ଷୁରେ ପଡ଼ିଥିଲେ । ବ୍ରିଟିଶ ପୁଲିସମାନେ ତାଙ୍କୁ ବାନ୍ଧିନେଇ ଭାଗଲପୁର ଜେଲରେ ରଖିଥିଲେ । ସେଠାରେ ସେ ୮ ମାସ ଜେଲରେ କଟାଇଥିଲେବି ଦବି ଯାଇନଥିଲେ । ବରଂ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିବାରୁ ତାଙ୍କ ମନରେ ଥିବା ବିପ୍ଲବର ବହ୍ନି ହୁହୁ ହୋଇ ଜଳି ଉଠିଥିଲା । ଜେଲରୁ ବାହାରିବା ପରେ ସେ ୧୯୩୦ରୁ ୧୯୪୨ ମଧ୍ୟରେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରିଥିଲେ । ଫଳରେ ତାଙ୍କୁ ଅନେକ ଥର କାରାବରଣ କରିବାକୁ ପଡ଼ିଥିଲା । ଗାନ୍ଧିଜୀଙ୍କ ପରାମର୍ଶରେ ସେ ବରୀରେ ଏକ ଆଶ୍ରମ ପ୍ରତିଷ୍ଠା କରି ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ତାହାକୁ କର୍ମସ୍ଥଳୀ ଭାବେ ବାଛି ନେଇଥିଲେ   । ୧୯୮୫ ମସିହା ଜୁନ ୨୨ରେ ରମାଦେବୀଙ୍କର ଦେହାନ୍ତ ହୋଇଥିଲା । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ହେଉ ଅବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଉ, ମାଆ ରମାଦେବୀଙ୍କ ଭୂମିକା ଚିରସ୍ମରଣୀୟ   । ମହିଳା ସଶକ୍ତିକରଣର ସେ ଥିଲେ ଅନ୍ୟତମ ବିନ୍ଧାଣୀ   ।

    Maximum 500 characters

    ICSE 12TH View all

    Find Us on Facebook