Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ:ଏସ୍‌ଆର୍‌ସି

    Share on :
    ajab-Image
    Date: Aug 14, 2022    Views: 3035

    ଭୁବନେଶ୍ୱର: ଦୁଇ ଦିନ ତଳେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ଆସିବ ବୋଲି କହିଥିବା ବେଳେ ରବିବାର ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି ମଧ୍ୟମ ଧରଣର ବନ୍ୟା ଆସିବ। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।
    ଏସ୍‌ଆର୍‌ସି କହିଛନ୍ତି ୭ଟି ଓଡ୍ରାଫ୍‌ ଟିମ୍‌, ୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ଓ ୧୨ଟି ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯିବ। ବର୍ତ୍ତମାନ ପାଇଁ ଏହି ନିଷ୍ପତ୍ତି ହୋଇଛି। ଆବଶ୍ୟକ ହେଲେ ଅଧିକ ଟିମ୍‌କୁ ମୁତୟନ କରାଯିବ।
     ପୁରୀ ଓ କେନ୍ଦ୍ରାପଡ଼ା ପାଇଁ ୨ଟି ଲେଖାଁ ଓଡ୍ରାଫ୍ ଏବଂ ଗୋଟିଏ ଲେଖାଏଁ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ କରାଯିବ। ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍ ରହିବେ। ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବେ। ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ଯିବେ।

    ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ,, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଯେଉଁ ବର୍ଷା ଲାଗି ରହିଛି, ତା’ ପ୍ରଭାବରେ ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷତଃ ମହାନଦୀ ଅବବାହିକାରେ ଏହି ସମ୍ଭାବ୍ୟ ବନ୍ୟା ସ୍ଥିତି ଅଧିକ ରହିଛି। ଆଜି ପର୍ୟ୍ୟନ୍ତ ଯାହା ବର୍ଷା ହୋଇଛି ଓ ଆସନ୍ତାକାଲି ପର୍ୟ୍ୟନ୍ତ ବର୍ଷା ନେଇ ଯେଉଁ ଆକଳନ କରାଯାଇଛି, ତାକୁ ବିଚାରକୁ ନେଲେ ମହାନଦୀରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଖଇରମାଳରେ ଏବେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେଲ ନଦୀରୁ ବେଶି ପାଣି ଆସୁ ନାହିଁ। ସେଥିରୁ ମାତ୍ର ଲକ୍ଷେ ୩୫ ହଜାର କ୍ୟୁସେକ ପାଣି ଆସୁଛି। ତେଣୁ ଅଧିକ ପାଣି ଆସୁଛି ହୀରାକୁଦ ଡ୍ୟାମ୍‌ରୁ। ହୀରାକୁଦରୁ ସୋନପୁର ଭିତରେ ଥିବା ଜୀରା, ରାଞ୍ଜୋର ଓ ଅଙ୍ଗ ଆଦି ନଦୀରୁ ମଧ୍ୟ ପାଣି ଆସୁଛି।

    ସେ କହିଛନ୍ତି, ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସରାଢିହି ଠାରେ ପାଖାପାଖି ୬ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପାସ୍ କରୁଛି। ଆସନ୍ତାକାଲି ପାଇଁ ଯେଉଁ ଆକଳନ କରାଯାଇଛି, ମହାନଦୀ ଓ ତେଲ ଅବବାହିକାରେ ବର୍ଷା ଅଛି। ଉପକୂଳରୁ ବର୍ଷା ଧୀରେ ଧୀରେ କମି ସେପଟୁ ଅଧିକ ହେବ। ହୀରାକୁଦରେ ଏବେ ୩୪ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ଆଉ ଅଧିକ ଗେଟ୍ ଖୋଲା ଯିବ ନାହିଁ।
    ଏସ୍‌ଆର୍‌ସି କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଂଶ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। 

    Maximum 500 characters

    ତାଜା ଖବର View all

    Find Us on Facebook