ଦଶମନ୍ତପୁର : ନିର୍ବାଚନ ପୂର୍ବରୁ ସମିତିସଭ୍ୟା ପ୍ରାର୍ଥୀଙ୍କୁ ଅପହରଣ ଉଦ୍ୟମ । ଅଜଣା ଦୁର୍ବୃତ୍ତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆରଶୁଣି ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ମୁତାଇ ସାଉନ୍ତାଙ୍କୁ ଘରୁ ଉଠାଇ ନେଇଥିଲେ । କିନ୍ତୁ ପାଟିତୁଣ୍ଡ ଶୁଣିବା ପରେ ଗ୍ରାମବାସୀ ପହଞ୍ଚି ଯିବାରୁ ରାସ୍ତାରେ ମୁତାଇଙ୍କୁ ଛାଡ଼ି ଚାଲି ଯାଇଥିଲେ । ଦୁର୍ବୃତ୍ତମାନେ କିଏ, କାହିଁକି ଅପହରଣ କରିବାକୁ ଆସିଥିଲେ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏକ ରାଜନୈତିକ ପାଇଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିବା କୁହାଯାଉଛି । ସକାଳେ ମୁତାଇ ଫାଣ୍ଡିରେ ଏତଲା ଦେଇ ସୁରକ୍ଷା ଲୋଡ଼ିଛନ୍ତି ।
ସୂଚନା ଅନୁଯାୟୀ, ଦୁଆରଶୁଣି ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେଥିରୁ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବା ବେଳେ ମୁତାଇଙ୍କ ସହ ଅନ୍ୟ ଜଣେ ପ୍ରାର୍ଥୀ ମଇଦାନରେ ରହିଥିଲେ । ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ନିର୍ବାଚନ ହେଉଥିବାରୁ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଥିଲା ।
ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ କୁକୁଡ଼ାକଟାସ୍ଥିତ ମୁତାଇଙ୍କ ଘରକୁ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସିଥିଲେ । ତାଙ୍କ ମା’ଙ୍କ ଦେହ ଭଲ ନଥିବା କହି ଜୋରଜବରଦସ୍ତ ଘରୁ ଟେକି ନେଉଥିଲେ । ପ୍ରତିବାଦ ସହ ମୁତାଇ ପାଟିତୁଣ୍ଡ କରିବାକୁ ଗ୍ରାମବାସୀ ଘରୁ ବାହାରି ଆସିଥିଲେ । ଗ୍ରାମବାସୀ ଦୁର୍ବୃତ୍ତଙ୍କୁ ଘେରାଉ କରିବାରୁ ଦୁର୍ବୃତ୍ତମାନେ ଦୌଡ଼ି ପଳାଇ ଯାଇଥିଲେ । ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ମୁତାଇ ମୁରାନ ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେହିପରି ତାଙ୍କୁ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ପୁଲିସ ଏତଲାକୁ ଗ୍ରହଣ କରିଥିବା ବେଳେ ତଦନ୍ତ କରାଯିବ ବୋଲି ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ମିଶ୍ର ପ୍ରକାଶ କରିଛନ୍ତି । ପୂର୍ବରୁ କୌଣସି ଦଳ ତାଙ୍କ ପରିବାର ସହ ନିର୍ବାଚନ ସଂପର୍କରେ ଆଲୋଚନା କରି ନଥିବା ମୁତାଇଙ୍କ ସ୍ୱାମୀ ଚଣା ସାଉନ୍ତା ପ୍ରକାଶ କରିଛନ୍ତି । ଥାନାରେ ଏତଲା ଦେବା ସମୟରେ ବିଜେପି ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ବିଜେପି ମଣ୍ଡଳ ସଭାପତି ଚକ୍ର ଜାନୀ, ଜିଲ୍ଲା ବିଜେପି ସଂପାଦକ ରବିଚନ୍ଦ୍ର ପାଢୀ, ପୋଡାଗଡ଼ ମଣ୍ଡଳ ସଭାପତି ସୀତାରାମ ରାୟ, ଦୁର୍ଯେ୍ୟାଧନ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ