ମୁଖ୍ୟ ଖବର
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମୋନ୍ଥା। ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ, ଝଟକା ପବନ ମଧ୍ୟ ବହିବା ଆରମ୍ଭ ହୋଇଯାଇଛି। ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାକୁ ଆହୁରି ୧ ଘଣ୍ଟାରୁ ଅଧିକ ସମୟ ଲାଗିବ। ଅବଶ୍ୟ ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।
ବାତ୍ୟା ମୋନ୍ଥା ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ମଙ୍ଗଳବାର ଦକ୍ଷିଣ ଉପକୂଳ ଆନ୍ଧ୍ରର ନେଲୋର ଏବଂ ପ୍ରକାଶମ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିଲା। ଏହି ଦୁଇଟି ଜିଲ୍ଲାର ଅନେକ ସ୍ଥାନରେ ସକାଳ ୮.୩୦ ରୁ ସନ୍ଧ୍ୟା ୭ ଟା ମଧ୍ୟରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ପରେ ବୃଷ୍ଟିପାତ ବଢିଥିବାରୁ ଏହି ଆକଳନ ଆଗକୁ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।
ଏହାଛଡା ବୁଧବାର କିଛି ଜିଲ୍ଲା ପାଇଁ ଜାରି କରାଯାଇଥିବା ରେଡ୍ ଆଲର୍ଟକୁ ଆଇଏମଡି ପ୍ରତ୍ୟାହାର କରିନେଇଛି। ଶ୍ରୀକାକୁଲମ୍, ପାର୍ବତୀପୁରମ୍ ମାନିଆମ୍, ଭିଜିଆନଗରମ୍, ବିଶାଖାପାଟନମ୍, ଆଲୁରି ସୀତାରାମା ରାଜୁ, ଅନାକାପାଲ୍ଲୀ, ଏଲୁରୁ, ଏନଟିଆର, କୃଷ୍ଣ, ଗୁଣ୍ଟୁର, ପାଲନାଡୁ, ବାପାଟଲା ଏବଂ ନନ୍ଦିଆଲ୍ ଭଳି ଜିଲ୍ଲା ଗୁଡିକ ହେଉଛି ପାଇଁ ରେଡ ଆଲର୍ଟ ହଟାଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ବାତ୍ୟା ମୋନ୍ଥା ପାଇଁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ସମଗ୍ର ଆନ୍ଧ୍ରପ୍ରଦେଶର ବ୍ୟାପକ କ୍ଷୟକ୍ଷତି ହୋଇଛି। କୃଷି ବିଭାଗର ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ଏହି ଅଦିନିଆ ବର୍ଷା ଯୋଗୁଁ ୪୩,୦୦୦ ହେକ୍ଟରରୁ ଅଧିକ ଫସଲ ବୁଡ଼ି ଯାଇଛି। ଯାହା ୨୯୨ଟି ମଣ୍ଡଳ ଓ ୧୭୧୨ ଗାଁର ପ୍ରାୟ ୮୩,୦୦୦ ଚାଷୀ ପ୍ରଭାବିତ ହୋଇଛନ୍ତି।
ବାତ୍ୟା ପ୍ରଭାବରେ, ମଙ୍ଗଳବାର ଅନ୍ନମାୟା ଜିଲ୍ଲାର ବହୁ ଅଂଶରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ ନଦୀ ଫୁଲିଉଠିବା ସହ ବନ୍ୟା ଆସିଥିଲା। ଏଥିଯୋଗୁଁ ପୂର୍ବ ମଣ୍ଡଳରେ ଅନେକ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆକଳନ ଅନୁଯାୟୀ ରାଜମପେଟା ରାଜସ୍ୱ ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। କେବଳ ଏହି ଅଞ୍ଛଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ ମିମି ବର୍ଷା ରେକର୍ଡ କରାଯାଇଛି।
Comments ସମସ୍ତ ମତାମତ