Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    "ଭୋଟ ଚୋର ଗାଦି ଛାଡ଼" କାର୍ୟ୍ୟକ୍ରମ ଓଡ଼ିଶାରେ ସମ୍ପନ୍ନ

    Share on :
    ajab-Image
    Date: Nov 9, 2025    Views: 2692

    ଭୁବନେଶ୍ୱର : କଂଗ୍ରେସର ସର୍ବମାନ୍ୟ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧି ଗତ ଅଗଷ୍ଟ ୭ ତାରିଖ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ, ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟାପକ ହେରଫେର ଓ ଭୋଟ ଜାଲିଆତି ହୋଇଥିବା ବର୍ଣନା କରିଥିଲେ । ‘ଭୋଟ୍ ଚୋରି' ଜରିଆରେ ବିଜେପି କିପରି ଏକାକି ନିର୍ବାଚନ ଜିଣିଛି ଦର୍ଶାଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ଭୋଟ ଚୋରି ପ୍ରସଙ୍ଗରେ ପିସିସି ସଭାପତି ଉକ୍ତ ଚରଣ ଦାସ ନିର୍ଦ୍ଦେଶ କ୍ରମେ  ରାଜ୍ୟର ସମସ୍ତ ୩୫ ଗୋଟି ସାଂଗଠାନିକ ଜିଲ୍ଲା ଏବଂ ରାଜ୍ୟସ୍ତରରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସ୍କ୍ରିନିଂ କରାଯାଇଥିଲା। ବିଜେପିର ଏପରି ହୀନ ପଦକ୍ଷେପ ବିରୋଧରେ ଦେଶବ୍ୟାପୀ ସାଧାରଣରେ ନିନ୍ଦା କରାଯାଉଥିବା ସ୍ପଷ୍ଟ ହୋଇଛି । ନିର୍ବାଚନ ଆୟୋଗ ପରି ଏକ ପବିତ୍ର ସାମ୍ବିଧାନିକ ଅନୁଷ୍ଠାନକୁ ହାତବାରିସି କରି ଏ ଦେଶର ଆତ୍ମା ‘ଗଣତନ୍ତ୍ର’ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପାଇଁ ଏବଂ ଜନଜାଗରଣ ସୃଷ୍ଠି କରିବା ନିମନ୍ତେ ଏଆଇସିସି ପକ୍ଷରୁ "ଭୋଟ ଚୋର ଗାଦି ଛାଡ଼" ଜରିଆରେ ବିଭିନ୍ନ କାର୍ୟ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅନୁରୂପ ଭାବେ ସମଗ୍ର ଭାରତ ବର୍ଷରେ ସେପ୍ଟେମ୍ୱର ୧୫ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ୟ୍ୟନ୍ତ ୫ କୋଟି ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତିଙ୍କୁ ଦସ୍ତଖତ ଅଭିଯାନ ସମ୍ବଳିତ ଦାବିପତ୍ର ଦିଆଯିବାର ନିଷ୍ପତି ନିଆଯାଇଥିଲା। 

    ତଦନୁଯାୟୀ ଓପିସିସି ପକ୍ଷରୁ ୱାର ରୁମ୍ ଜରିଆରେ "ଭୋଟ ଚୋର ଗାଦି ଛାଡ଼"  ଦସ୍ତଖତ ଅଭିଯାନକୁ ଜୋରଦାର କରାଯାଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ଯୁବ, ମହିଳା, ଛାତ୍ର, ସେବାଦଳ, ସମସ୍ତ ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତା ସାମିଲ ହୋଇ  ଦସ୍ତଖତ ଅଭିଯାନକୁ ସଫଳ କରିଛନ୍ତି। ରାଜ୍ୟରୁ ମୋଟ ୧୨ ଲକ୍ଷ ୫୩୭ ଟି ଦସ୍ତଖତ ସଂଗ୍ରହ କରାଯାଇଛି । ଏହାକୁ ଏଆଇସିସି ପଠାଇବା ପାଇଁ  ଶେଷରେ ଆଜି କଂଗ୍ରେସ ଭବନଠାରେ ବରିଷ୍ଠ କଂଗ୍ରେସ ମୁଖପାତ୍ର ତଥା ପିସିସି ୱାର ରୁମ୍ ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଦସ୍ତଖତ ଅଭିଯାନର ନଥିପତ୍ର "ଫ୍ଲାଗ ଅଫ" ଓ ଆଲୋଚନା କାର୍ୟ୍ୟକ୍ରମ ସହିତ ଏକ ନାଗରିକ ସଚେତନ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶରତ କୁମାର ରାଉତ, ସମୀର କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ସୁଜିତ ପାଢ଼ୀ, ଶୁଭେନ୍ଦୁ ମହାନ୍ତି  ପ୍ରମୁଖ ଯୋଗଦେଇ ଭୋଟ ଚୋରୀ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ଆଜିର କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ନଗର କଂଗ୍ରେସ ଜିଲ୍ଲା ସଭାପତି ଗିରିବାଳା ବେହେରା, ଜଗସିଂହପୁର ଜିଲ୍ଲା ସଭାପତି  ଦେବ ପ୍ରସାଦ ନାୟକଙ୍କ ସମେତ ଶାନ୍ତନୁ ସାହୁ, ତରୁଣ ମିଶ୍ର, ଦୀପକ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ଅଶୋକ ଦାସ, ଜିତେନ୍ଦ୍ର ବିଶ୍ୱାଳ, ଆଲୋକ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ସତ୍ୟବ୍ରତ ନାୟକ, ବିଭୁ ପ୍ରସାଦ ମିଶ୍ର, ସନ୍ତୋଷ ପ୍ରଧାନ, ଜୟକୃଷ୍ଣ ସୁବୁଦ୍ଧି, ଦେବୀ ପ୍ରସାଦ ନାୟକ, ସେକ ତକ୍ୱିମ ଅହମଦ, ମିହିର ଆଚାର୍ୟ୍ୟ, ମୋଟରାଜ ଡୁଙ୍ଗଡୁଙ୍ଗ, ପ୍ରଶାନ୍ତ ଚମ୍ପତ୍ତି, ଜୟକୃଷ୍ଣ ମଲ୍ଲିଆ, ଦୀପକ ସାହୁ, ଚାଲୁ ମଙ୍ଗରାଜ, ଜମ୍ବେଶ୍ୱର ମଲ୍ଲିକ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ରାଉତରାୟ,  ବସନ୍ତ ପଣ୍ଡା, ବଳଦେବ ରଥ, ରଞ୍ଜନ ଭୋଇ, କାହ୍ନା ରାଉତ ଯୋଗ ଦେଇଥିବା ବେଳେ ଯୁବ କଂଗ୍ରେସ ନେତା ସୂର୍ୟ୍ୟକାନ୍ତ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସେବାଦଳ, ମହିଳା, ଯୁବ ଏବଂ ଛାତ୍ର କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook