Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୮ରେ କଂଗ୍ରେସର ଦିଲ୍ଲୀ ଚଲୋ ଡାକରା

    Share on :
    ajab-Image
    Date: Aug 14, 2022    Views: 4246

    ଭୁବନେଶ୍ବର: ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସଂପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବାପାଇଁ ଆସନ୍ତା ୨୩ରୁ ରାଜ୍ୟବ୍ୟାପି 'ମହଙ୍ଗାଇ ପର ଚର୍ଚ୍ଚା' ସହ ୨୮ ତାରିଖରେ ଦିଲ୍ଳୀ ଠାରେ 'ମହଙ୍ଗାଇ ପର ହଲ୍ଲା ବୋଲ-ଦିଲ୍ଲୀ ଚଲୋ' ଅନୁଷ୍ଠିତ ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

    ଦିଲ୍ଲୀ ଚଲୋ ଡାକରାପିସିସି ସଭାପତି କହିଛନ୍ତି, "ବିଜେପି ନେତୃତ୍ବାଧୀନ ମୋଦି ସରକାରଙ୍କ ଜନବିରୋଧୀ ନୀତି ତଥା ଆର୍ଥିକ ପରିଚାଳନା ବିଫଳତା ଯୋଗୁଁ ଦେଶରେ ଅହେତୁକ ଦରବୃଦ୍ଧି ଘଟି ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ବେଳେ ଉତ୍କଟ ବେକାରୀ ସମସ୍ୟା ଦେଶର ଯୁବସମାଜକୁ ହତାଶ ଓ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରି, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଜମା ତଥା ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଥିଲେ । ହେଲେ ସେ ସମସ୍ତ ପ୍ରତିଶ୍ରୁତିକୁ ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।"କେନ୍ଦ୍ର ସରକାରଙ୍କ ଏହି ପ୍ରତାରଣା ବିରୋଧରେ ଲୋକଙ୍କ ସ୍ୱାର୍ଥପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଛି । ଏହି ଜନମାରଣ ନୀତି ବିରୋଧରେ ପୂର୍ବରୁ ଏ ୨ଟି କାର୍ୟ୍ୟକ୍ରମରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ମିଳିଥିବାରୁ ଏ ଲଢ଼େଇ ଆଗକୁ ଯୋରଦାର କରିବାପାଇଁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି କଂଗ୍ରେସ କାର୍ୟ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତିସୂଚନା ଦେଇଛନ୍ତି ।

    ଦରଦାମ ବୃଦ୍ଧି ଏବେ ଲୋକଙ୍କ ଜୀବନକୁ ଦୁଃର୍ବିସହ କରିଦେଇଥିବା ବେଳେ ନିଯୁକ୍ତି ଅଭାବାରୁ ଯୁବ ସମାଜ ଗଭୀର ହତାଶ ଭିତରେ ଜୀବନ ଅତିବାହିତ କରୁଛନ୍ତି । ୨୦୧୪ ମସିହାରେ କେନ୍ଦ୍ରର ବିଜେପି ସରକାର ଆସିଲା ପରେ ନିତ୍ୟବ୍ୟବହାର୍ୟ୍ୟ ଖାଦ୍ୟ ପଦାର୍ଥର ଦରଦାମ ଏବଂ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି । ୨୦୧୪ ମସିହା କଂଗ୍ରେସ ସରକାର ସମୟରେ ରନ୍ଧନଗ୍ୟାସର ମୂଲ୍ୟ ୪୧୦ ଟଙ୍କା ଥିବା ବେଳେ ଆଜି ୮ବର୍ଷପରେ ଏହାର ମୂଲ୍ୟ ୧୦୮୦ ଟଙ୍କାରେ ପହଞ୍ଚିଲାଣି । ପେଟ୍ରୋଲ ଲିଟର ପିଛା ୭୧ ଟଙ୍କାରୁ ଏହା ୧୦୩ ଟଙ୍କା ଓ ଡିଜେଲ ୫୭ ଟଙ୍କାରୁ ଆସି ଟ.୯୫.୧୫ ପଇସା ରେ ପହଞ୍ଚିଛି ।କେନ୍ଦ୍ର ସରକାର ଏହି ସଦ୍ୟତମ ଜିଏସଟି କାଉନସିଲ ବୈଠକରେ ଅଟା, ଗୁଡ଼, ଖଇ, ଉଖୁଡ଼ା, ଚାଉଳଚୂନା, ଚୁଡ଼ା, ମୂଢ଼ି, ପନିର, ଦହି, ପେନସିଲ କଟର ନୋଟ ଖାତା ଉପରେ ୫% ଜିଏସଟି ଟ୍ୟାକ୍ସ ବସାଇଛନ୍ତି । ଗ୍ୟାସ ଉପରେ ସବସିଡି ସଂପୂର୍ଣ୍ଣ ବନ୍ଦ କରିଦିଆଯାଉଛି । କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୨୭.୭ ଲକ୍ଷ କୋଟି ଟଙ୍କା କର ଆଦାୟ କରିଛନ୍ତି । କିନ୍ତୁ ଧାର୍ୟ୍ୟଥିଲା ମାତ୍ର ୨୨ଲକ୍ଷ କୋଟି ଟଙ୍କା । ଧାର୍ୟ୍ୟ ଲକ୍ଷ ଠାରୁ ଅଧିକ ଟିକସ କେନ୍ଦ୍ର ସରକାର ଆଦାୟ କରୁଥିବା ବେଳେ ଦରଦାମ କାହିଁକ ଉତ୍କଟ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ।

    ସେହିପରି ବେକାରୀ ସମସ୍ୟା ଦେଶରେ ଉତ୍କଟ ହେବାରେ ଲାଗିଛି । ବର୍ଷକୁ ୨ କୋଟି ଚାକିର ଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲା ବେଳେ ତାହା ଏବେ ଯୁବ ସମାଜ ପାଇଁ ସ୍ବପ୍ନ ପାଲଟିଛି । ୨୦୧୪ ମସିହାରୁ ୨୦୨୨ ବର୍ଷ ଭିତରେ ୧୪ କୋଟି ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଗ୍ରାମାଞ୍ଚଳ ଅପକ୍ଷୋ ସହରାଞ୍ଚଳରେ ବେକାରୀ ସମସ୍ୟା ଅଧିକ ଉତ୍କଟ ଧାରଣ କରିଛି । କେନ୍ଦ୍ର ସରକାର ଯୁବକଯୁବତୀ ମାନଙ୍କର ଭବିଷ୍ୟତକୁ ମଧ୍ୟ ଖେଳୁଛନ୍ତି । କେନ୍ଦ୍ର ସରକାରଙ୍କର ଏ ସମସ୍ତ ଜନବିରୋଧି ନିଷ୍ପତ୍ତିକୁ ଓଡ଼ିଶା ସରକାର ସଲାସୁତରାରେ ସମର୍ଥନ କରିଚାଲିଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଜନସାଧାରଣଙ୍କ ପ୍ରତି ପ୍ରତାରଣା ଅଭିଯୋଗ କରିଛି କଂଗ୍ରେସ । ତେଣୁ ମୁଦ୍ରାସ୍ପୀତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଅଖିଳ ଭାରତ ଜାତୀୟ କଂଗ୍ରେସ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ଭିତରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ମଣ୍ଡି, ହାଟବଜାର, ଜନଗହଳି ପୂର୍ଣ୍ଣ ଅଂଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମହଙ୍ଗାଇ ପର ଚର୍ଚ୍ଚା କରିବା ସହ ଓ ପ୍ରଚାରପତ୍ର ବଣ୍ଟନ କରି ଜନସଚେତନା ସୃଷ୍ଟି କରିବ।

    ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ମହଙ୍ଗାଇ ପର ହାଲ୍ଲା ବୋଲ ପାଇଁ ଦିଲ୍ଲୀ ଚଲୋ ଡାକରା ଦେଇଛି। ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ବର ବେହେରା ବେକାରୀ ଓ ଦରବୃଦ୍ଧିର ଚରମସୀମାରେ ପହଞ୍ଚିଥିଲା ବେଳେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଯୋରଦାର କରାଯିବ ବୋଲି କହିଥିଲେ। ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook