ମୁଖ୍ୟ ଖବର
ଭୁବନେଶ୍ୱର: ପୂର୍ବ ଭାରତରେ ଓଡ଼ିଶା, କେବଳ ସୁଯୋଗର ଭୂମି ନୁହେଁ ବରଂ ଦେଶର ଡ୍ରାଇଭିଂ ଇଞ୍ଜିନ୍ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ଉକôର୍ଷ ଓଡିଶା-ମେକ୍ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ “ଉକôର୍ଷ ଓଡିଶା-ମେକ୍ ଇନ୍ ଓଡ଼ିଶା” ରେ ଯୋଗଦାନ କରି ଶୁଭାରମ୍ଭ କରିବା ଆମ ପାଇଁ ଗର୍ବ ଓ ଗୌରର୍ବର ବିଷୟ । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପଂଚମ ଗସ୍ତ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦାନ କରି ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି କରିବା ଆମ ପାଇଁ ବଡ଼ ଉପହାର ହୋଇଛି, ଯଦ୍ୱାରା କିଛି ମାସ ପରେ ରାଜ୍ୟର ବିକାଶର ସ୍ଥିତି ଓ ଦିଗ ବଦଳିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୭ ମାସ ତଳେ ପ୍ରଧାନମନ୍ତ୍ରୀ ‘ପୂର୍ବୋଦୟ’ର ବିକାଶ ପ୍ରତିଷ୍ଠା ସ୍ୱରୂପ ଯେଉଁ ମୂଳଦୂଆ (ଭିତ୍ତିପ୍ରସ୍ତର) ସ୍ଥାପନ କରିଥିଲେ , ସେହି ଭିତ୍ତିପ୍ରସ୍ତର ଉପରେ ଏକ ମଜଭୁତ ଢାଂଚା ନିର୍ମାଣ ହେଉଥିବା ସେ ପ୍ରକାଶ କରିଥିଲେ । ଏଥିପାଇଁ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ମିଳନୀରେ ଯୋଗଦାନ, ଉପସ୍ଥିତ ନିବେଶକ ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ରାଜ୍ୟରେ ନିବେଶ ପାଇଁ ତଥା ଦୀର୍ଘକାଳୀନ ନିବେଶରେ ରହିବାପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ 'ପୂର୍ବୋଦୟ' ପରିକଳ୍ପନାର ଅଂଶ ସ୍ୱରପ, ପୂର୍ବ ଭାରତରେ ଓଡ଼ିଶା, କେବଳ ସୁଯୋଗର ଭୂମି ନୁହେଁ ବରଂ ଦେଶର ଡ୍ରାଇଭିଂ ଇଞ୍ଜିନ୍ ହେବାକୁ ଯାଉଛି । ସମୃଦ୍ଧ ଓ ବ୍ୟାପକ ପ୍ରାକୃତିକ ସମ୍ପଦ, ଉନ୍ନତ ସଡ଼କ, ରେଳ ଓ ବନ୍ଦର ଭିତ୍ତିଭୂମି ସହିତ ଦୁବାଇ, ସିଙ୍ଗାପୁର ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ସମେତ ଦକ୍ଷ ଶ୍ରମ ଶକ୍ତି, ଶାନ୍ତିପୂର୍ଣ୍ଣ ସାମାଜିକ ଢାଂଚା, ଏକ ସ୍ଥିର ଏବଂ ପ୍ରଗତିଶୀଳ ଦୃଷ୍ଚିଭଙ୍ଗୀ ରଖୁଥିବା ସରକାର ଏବଂ ସର୍ବୋପରି ଶିଳ୍ପ ଅନୁକୂଳ ନୀତି ଯୋଗୁଁ ପୁଞ୍ଜି ନିବେଶ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନା ରହିଥିବା ସେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜି ନିବେଶ ସୁଯୋଗ ଅନୁସନ୍ଧାନ କରିବା ପାଇଁ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁର ପରିଦର୍ଶନ କରିଥିବା ଓ ଆଲୋଚନା ସମୟରେ ଓଡ଼ିଶାରେ ନିବେଶ କରିବାକୁ ଯେଉଁ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ, ଆଜିର ସମ୍ମିଳନୀରେ ବହୁ ସଂଖ୍ୟାରେ ଯୋଗଦାନ, ଏବେ ତାହାର ଫଳାଫଳକୁ ଦର୍ଶାଉଛି ବୋଲି ସେ କହିଥିଲେ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଆମେ ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ପାଇଲୁ ଏବଂ ସିଙ୍ଗାପୁରର ପ୍ରମୁଖ ସଂସ୍ଥାଗୁଡ଼ିକ ସହିତ ଆଠଟି ପରିବର୍ତ୍ତନକାରୀ ବୁଝାମଣାପତ୍ର ସ୍ୱାକ୍ଷର କଲୁ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ମାର୍ଗଦର୍ଶନରେ ଓଡ଼ିଶା ଏହାର ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦେଶର ଦୁଇ ଡଜନରୁ ଅଧିକ ରାଜ୍ୟ ନିଜ ନିଜ ରାଜ୍ୟକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଭାରତୀୟ ଅର୍ଥନୀତି ପାଇଁ ଉତ୍ତମ । ଆମର ସିଙ୍ଗଲ-ୱିଣ୍ଡୋ କ୍ଲିୟରାନ୍ସ, ଅନାବଶ୍ୟକ ଏବଂ ଏଡ଼ାଇ ଦିଆଯାଇପାରୁଥିବା ଦସ୍ତାବିଜକୁ ଦୂର କରିବା ଭଳି ନିଷ୍ପତ୍ତି ଦ୍ୱାରା ଆମେ ନିବେଶକମାନଙ୍କ କାର୍ଯ୍ୟ ସହଜ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଆମେ ସମସ୍ତ ୩୦ଟି ଜିଲ୍ଲାରେ ବୈଷୟିକ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଏବଂ ଏମଏସଏମଇ ପାର୍କ ପାଇଁ କ୍ଷେତ୍ରୀୟ ପାର୍କ ସହିତ ରାଜ୍ୟରେ ନୂତନ ଏଫଡିଆଇ ପାର୍କ ସମେତ ସୁବିଧାରେ ଶିଳ୍ପ ପାର୍କ ସ୍ଥାପନ ପାଇଁ ପ୍ଲଗ୍ ଆଣ୍ଡ ପ୍ଲେ ବ୍ୟବସ୍ଥା କରୁଛୁ । ଆମ ସରକାର ଭୌଗୋଳିକ ଏବଂ କ୍ଷେତ୍ରୀୟ ବିବିଧତା ଉପରେ ରଣନୈତିକ ଧ୍ୟାନ ଦେଇ ଶିଳ୍ପାୟନର ଲାଭ ଯେପରି ଆଭ୍ୟନ୍ତରୀଣ ଅଂଚଳରେ ପହଂଚିବ, ତାହାକୁ ସୁନିଶ୍ଚିତ କରୁଛନ୍ତି । ମାଲକାନଗିରି, ରାୟଗଡ଼ା ଓ କେନ୍ଦୁଝର ଭଳି ଅଂଚଳ ଐତିହାସିକ ଦୃଷ୍ଟିରୁ ଅନଗ୍ରସର ଥିବା ବେଳେ ଏବେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟର ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ସୁଯୋଗ ରହିଛି । ଏହି ଅସୀମିତ ସୁଯୋଗର ଫାଇଦା ଉଠାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ସମ୍ମିଳନୀରେ ଯୋଗ ଦେଇଥିବା ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ନିବେଶ କ୍ଷେତ୍ରରେ ବିଭିନ୍ନ ସୁଯୋଗ ରହିଛି । ଖଣି ଏବଂ ଧାତୁବିଜ୍ଞାନ କ୍ଷେତ୍ର ସହିତ ଆମେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ସବୁଜ ହାଇଡ୍ରୋଜେନ, ଆଇଟି ସେବା, ବୟନଶିଳ୍ପ, ଔଷଧ ଏବଂ ଧାତୁ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ନିବେଶକମାନଙ୍କ ନିକଟରେ ଉପସ୍ଥାପନ କରି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ସହ ପୁଞ୍ଜିନିବେଶ କରିବାକୁ ସେ ଉତ୍ସାହିତ କରିଥିଲେ । ଏ ସମସ୍ତ ବିଶ୍ୱର ଅଭିବୃଦ୍ଧି ଧାରା ସହିତ ସଂଯୁକ୍ତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୁଶଳୀ ଶ୍ରମଶକ୍ତିର ନିରନ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାର "ସ୍କିଲ୍ଡ ଇନ୍ ଓଡ଼ିଶା" କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛନ୍ତି । ସେମିକଣ୍ଡକ୍ଟର, ଉନ୍ନତ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ଏମ୍ ଭଳି ଉଦୀୟମାନ ଉଦ୍ୟୋଗ ଗୁଡ଼ିକ ପାଇଁ ଆମେ ଆମର ଯୁବକମାନଙ୍କୁ ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଦକ୍ଷତା ପ୍ରଦାନ କରୁଛୁ, ଯାହା ଦ୍ୱାରା ଶିଳ୍ପଜଗତ ପାଇଁ ପ୍ରସ୍ତୁତ ପ୍ରଶିକ୍ଷିତ ମାନବସମ୍ବଳ ଶ୍ରମ ବଜାରରେ ପ୍ରବେଶ କରିପାରିବେ ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବାକୁ ହେବ ଏବଂ ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତି ବ୍ୟବସ୍ଥାରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୂରଦୃଷ୍ଟି ଓ ସଂକଳ୍ପ ରହିଛି, ଏହି ଯଜ୍ଞରେ ଓଡ଼ିଶାର ବିଶେଷ ଯୋଗଦାନ ରହିବ । ଓଡ଼ିଶାର ଶିଳ୍ପ ବିକାଶ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ପ୍ରଗତିର ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉକôର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରି ଓଡ଼ିଶାରେ ନିବେଶ ପାଇଁ ଏହି ସମୟ ପ୍ରକୃତ ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକମାନଙ୍କୁ ଓଡ଼ିଶାର ଅଭିବୃଦ୍ଧିରେ ସହଭାଗୀ ହେବା ସହ ବିକାଶର ସଫଳ କାହାଣୀର ଏକ ଅଂଶ ହେବାକୁ ଖୋଲା ହୃଦୟରେ ସାଦର ନିମନ୍ତ୍ରଣ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଶିଳ୍ପ ସଂଗଠନ ଯଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତ ରିସୋର୍ସେସ୍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ୍ଙ୍କ ସମେତ ବି. ଡ଼ି. ଗୋୟେଙ୍କା, ହିତେଶ ଦୋଷି, କରନ୍ ଆଦାନୀ, ଟି. ଭି. ନରେନ୍ଦ୍ରନ୍ ପ୍ରମୁଖ ସେମାନଙ୍କର ଭିଡ଼ିଓ ବାର୍ତ୍ତାରେ ଉକôର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଆୟୋଜନ ନିମନ୍ତେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାରେ ଶିଳ୍ପ ବିକାଶ ଯାତ୍ରାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
Comments ସମସ୍ତ ମତାମତ